ଫୁଲବାଣୀ/ରାଇକିଆ/ଭଞ୍ଜନଗର୧୬/୯ : କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ମଙ୍ଗଳବାର ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ପାହାଡରୁ ମାଟି ଅତଡା ଧସି ରାସ୍ତା ଉପରେ ଗଦା ହୋଇଛି। ପାଖରେ ଥିବା ଗୋଟିଏ ପୋଲ ମଧ୍ୟ ଧୋଇ ହୋଇଯାଇଛି।
ଲଗାଣ ବର୍ଷା ଯୋଗୁଁ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଭୂସ୍ଖଳନ ଘଟିଛି। ଏହି ସ୍ଥାନରେ ପ୍ରାୟ ୨୦ରୁ ୩୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଭୂସ୍ଖଳନ ଦେଖିବାକୁ ମିଳିଛି। ପାହାଡ଼ରୁ ବିରାଟ ପଥର ଓ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ବସ୍, ଟ୍ରକ୍ ଓ କାର ଅଟକି ରହିଛି। ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି।
ଫୁଲବାଣୀ, ଦାରିଙ୍ଗବାଡି, ବାଲିଗୁଡା, ଜି. ଉଦୟଗିରି, ରାଇକିଆରୁ ବ୍ରହ୍ମପୁର, ଭଂଜନଗର, ବ୍ରହ୍ମପୁର, ଭୁବନେଶ୍ୱର ଅଞ୍ଚଳକୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଘାଟିରେ ଶହଶହ ଗାଡି ଅଟକି ରହିଛି।ଭୂସ୍ଖଳନ ଫଳରେ ଘାଟି ରାସ୍ତାର ବ୍ୟାପକ କ୍ଷୟକ୍ଷତି ହୋଇଛି। ଖବର ଲେଖାଯିବା ସୁଦ୍ଧା ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଖବର ପାଇ ଗଞ୍ଜାମ ଓ କନ୍ଧମାଳ ଜିଲାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ସୂଚନା ଯୋଗ୍ୟ, ଚଳିତ ବର୍ଷ ବାରମ୍ବାର ଲଘୁଚାପ ଜନିତ ବର୍ଷାରେ ଉକ୍ତ ଘାଟି ରାସ୍ତା ବିପଦପୂର୍ଣ୍ଣ ହୋଇପଡିଛି। ଗତ କିଛି ଦିନ ତଳେ ଘାଟିରୁ ଏକ ବିରାଟ ପଥର ଖସି ଆସିଥିଲା।କନ୍ଧମାଳ ଜିଲାର ଲାଇଫଲାଇନ କୁହାଯାଉଥିବା ଉକ୍ତ ଘାଟି ରାସ୍ତାରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇପାରୁ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି।