ବ୍ରହ୍ମପୁର, ୭/୧୦: ରାଜ୍ୟର ଜଣାଶୁଣା ଆଇନଜୀବୀ, ରାଜ୍ୟ ବାର୍ କାଉନସିଲ୍ ସଦସ୍ୟ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣାରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । ସୋମବାର ରାତିରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା, ପୀତବାସ ପଣ୍ଡାଙ୍କ ଘର ବୈକୁଣ୍ଠନଗରରେ ରାଜନେତା, ସମର୍ଥକ, ପୁଲିସ ଅଧିକାରୀଙ୍କ ଚଳଚଞ୍ଚଳ ଦେଖିବାକୁ ମିଳିଥିଲା। ଘଟଣା ପରେ ପରେ ପୁଲିସ ଆଇଜି ନିତିଶେଖର, ବ୍ରହ୍ମପୁର ଏସପି ଦାୟିତ୍ଵରେ ଥିବା ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଫରେନ୍ସିକ୍ ଟିମ୍ ସହ ବୈକୁଣ୍ଠନଗରରେ ତନାଘନା କରିଛନ୍ତି। ସିସିଟିଭି ଫୁଟେଜ୍ ସହ ଅନ୍ୟାନ୍ୟ ସୂତ୍ରରୁ କିଛି ସୁରାକ୍ ପୁଲିସକୁ ମିଳିଥିବା କୁହାଯାଉଛି।
ପୀତବାସ ସୋମବାର ସନ୍ଧ୍ୟାରେ ବଡ଼ବଜାର ଥାନା ଓ ସେଠାରୁ ଏସଏନଟି ରୋଡରେ ଥିବା ଚ୍ୟାମ୍ବରକୁ ଯାଇଥିଲେ। ପରେ ନୂଆ ବସଷ୍ଟାଣ୍ଡ ରୋଡରେ ଥିବା ଏକ ହୋଟେଲରୁ କିଛି ଖାଦ୍ୟ ସାମଗ୍ରୀ କିଣି ଘରକୁ ଫେରୁଥିଲେ। ହତ୍ୟାକାରୀ ଦୁଇ ଜଣ ଯୁବକ ଏକ ବାଇକରେ ପୀତବାସଙ୍କୁ ଚ୍ୟାମ୍ବରରୁ ଅନୁସରଣ କରି ତାଙ୍କ ଘର ନିକଟ ଏକ ହୋଟେଲ ପାଖରେ ଛକି ରହି ସେ ସ୍କୁଟରରୁ ଓହ୍ଲାଇବା କ୍ଷଣି ଅତି ନିକଟରୁ ଗୁଳି କରି ଚମ୍ପଟ ମାରିଥିଲେ। ଘଟଣା ପରର କିଛି ଭିଡିଓ ତଥା ସାହି ବାସିନ୍ଦା ପୀତବାସଙ୍କୁ ଗୁଳିବିଦ୍ଧ ଅବସ୍ଥାରେ ଉଦ୍ଧାର କରି ମେଡିକାଲକୁ ନେଉଥିବା ଫୁଟେଜ୍ ଭାଇରାଲ୍ ହେଉଛି। ଡାହାଣ ଛାତିକୁ ପଏଣ୍ଟ୍ ବ୍ଲାଙ୍କ୍ ଫାୟାରିଂ ପରେ ଗୁଳି ପୀତବାସଙ୍କ ହୃତପିଣ୍ଡକୁ ଚିରି ସ୍ପାଇନାଲ୍ କଡ୍ ଓ ପେଟ ନିକଟରେ ରହିଯାଇଥିଲା। ଏଣୁ ଅଳ୍ପ କିଛି ସମୟ ପରେ ହିଁ ତାଙ୍କ ଜୀବନ ଚାଲି ଯାଇଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ ପାଇଛି। ରାତିରେ ହିଁ ଶବ ବ୍ୟବଚ୍ଛେଦ ପରେ ତାଙ୍କ ଶରୀରରୁ ୯ ମିମିର ଗୁଳି ବାହାର କରାଯାଇଛି।
ବିଳମ୍ବିତ ରାତିରୁ ଭୋର ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ଘୁମୁସର ସାଙ୍ଗଠନିକ (ଆସିକା) ଜିଲ୍ଲା ସଭାପତି ବିଜୟ ସ୍ୱାଇଁ, ବିଜେଡି ନେତା ସୁବାସ ମହାରଣା, ରାଜ୍ୟ ବିଜେପି ସାଙ୍ଗଠନିକ ସମ୍ପାଦକ ମାନସ ରଞ୍ଜନ ମହାନ୍ତି, ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ, ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ର, ବରିଷ୍ଠ ନେତା ରାମଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିତ୍ଵ ଏମକେସିଜିରେ ପହଞ୍ଚିଥିଲେ। ଭୋରରୁ ପୀତବାସଙ୍କ ମର ଶରୀରକୁ ତାଙ୍କ ଘରକୁ ନିଆଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା, ସମର୍ଥକ, ଆଇନଜୀବୀ ଶେଷ ଦର୍ଶନ କରିଥିଲେ। ପରେ ମରଶରୀରକୁ ଗଞ୍ଜାମ ବାର୍ ଆସୋସିଏସନ୍ ଓ ହିଲପାଟଣାସ୍ଥିତ ବିଜେପି କାର୍ଯ୍ୟାଳୟକୁ ନିଆଯାଇଛି। ଶେଷରେ ଘର ନିକଟ ବୈକୁଣ୍ଠନଗର ଶ୍ମଶାନରେ ଶେଷକୃତ୍ୟ କରାଯିବ ବୋଲି ଜଣାପଡିଛି।