ଲେମ୍ବୁ-ଲଙ୍କା ସିଦ୍ଧାନ୍ତ ଭଳି ଭାରତର ପ୍ରାଚୀନ ବିଶ୍ୱାସ ବା ପରମ୍ପରାକୁ ପରିତ୍ୟାଗ କରିବା ପରିବର୍ତ୍ତେ ସେମାନଙ୍କର ଲୁକ୍କାୟିତ ଉପଯୋଗିତାକୁ ଚର୍ଚ୍ଚାରେ ଆଣି, ସେମାନଙ୍କୁ ପରିବେଶ ଏବଂ ବ୍ୟାବହାରିକ ସ୍ୱାସ୍ଥ୍ୟର ଏକ ବୃହତ ଢାଞ୍ଚାରେ ଏକୀକୃତ କରି, ନୃତାତ୍ତ୍ୱିକ ବୈଜ୍ଞାନିକ ଅନୁସନ୍ଧାନର ବ୍ୟାପକ ସୁଯୋଗ ସୃଷ୍ଟି କରି, ଭାରତୀୟ ଜ୍ଞାନକୌଶଳ ଓ ବ୍ୟବସ୍ଥାର ମନୋରମ ଛବି ସାରା ବିଶ୍ୱକୁ ପ୍ରଦାନ କରିହେବ ।
ଭୋକିଲା ପେଟ ଆଗରେ ଯେତେବେଳେ ପତ୍ର ପଡ଼ିଯାଏ ଓ ସେଥିରେ ପରଷି ଦିଆଯାଏ ଲେମ୍ବୁ, ଲଙ୍କା ଓ ଲୁଣ, ସେତେବେଳେ ଆପେ ଆପେ ପାଟିରୁ ଲାଳ ବୋହିଆସେ ଓ ସକ୍ରିୟ ହୋଇଯାଏ ପାଚନ ତନ୍ତ୍ର । ଏହା ସ୍ୱାସ୍ଥ୍ୟ ବିଜ୍ଞାନ ଏବଂ ରନ୍ଧନ ଜ୍ଞାନର ଏକ ସୁନ୍ଦର ମିଶ୍ରଣ, ଯାହା ପ୍ରତିଫଳନ କରେ ଯେ ପାରମ୍ପରିକ ଭାରତୀୟ ଖାଦ୍ୟ ସଂସ୍କୃତି କିପରି ସ୍ୱାଦ, ପାଚନ, ବିଶ୍ୱାସ ଏବଂ ଆତିଥ୍ୟକୁ ସୁନ୍ଦର ଓ ସରଳ ଭାବରେ ଏକୀକୃତ କରେ । ଥାଳିରେ ପରଷା ଯାଇଥିବା ଲେମ୍ବୁ-ଲଙ୍କା ତ ବୁଝିହେଉଛି, ହେଲେ ରାସ୍ତା, ଦୋକାନ, ଯାନବାହନ ବା ଘରଦ୍ୱାର ସାମ୍ନାରେ ଗୁନ୍ଥା ହୋଇଥିବା ସାତଟି ସବୁଜ ଲଙ୍କା ଏବଂ ଗୋଟିଏ ଲେମ୍ବୁ ଝୁଲୁଥିବା କି ପ୍ରକାରର ଦୃଶ୍ୟ ପ୍ରଦର୍ଶନ କରନ୍ତି? ଏହି ଦୃଶ୍ୟ ଅତି ସାମାନ୍ୟ ଓ ସାଧାରଣତଃ କେବେ ଆଲୋଚନା ପରିସରକୁ ଆସେନାହିଁ, କାରଣ ଏହା ପ୍ରାୟ ସମସ୍ତଙ୍କୁ ଜଣା ଯେ ଝୁଲୁଥିବା ଲେମ୍ବୁଲଙ୍କାର ହେଉଛି ଖରାପ ନଜର ବିରୁଦ୍ଧରେ ଏକ ସୁରକ୍ଷା । ପାରମ୍ପରିକ ଲୋକକଥା ଅନୁଯାୟୀ ଏହା ଦୁର୍ଭାଗ୍ୟ ବା ଦାରିଦ୍ର୍ୟର ଦେବୀ ଅଲକ୍ଷ୍ମୀ ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରିଥାଏ । କିମ୍ବଦନ୍ତୀ ଅନୁସାରେ, ଖଟା ଏବଂ ରାଗ ଅଲକ୍ଷ୍ମୀଙ୍କ ପସନ୍ଦ । ସେଥିପାଇଁ ପ୍ରବେଶ ଦ୍ୱାରରେ ଲେମ୍ବୁଲଙ୍କା ବାନ୍ଧିବା ଦ୍ୱାରା ଅଲକ୍ଷ୍ମୀଙ୍କ ଭୋକ ଠିକ୍ ଦ୍ୱାର ବାହାରେ ମେଣ୍ଟିଯାଇଥାଏ ଓ ସେ ବାହାରୁ ବାହାରୁ ସନ୍ତୁଷ୍ଟ ହୋଇ ଫେରିଯାନ୍ତି, ଯାହାଫଳରେ ଦୁର୍ଭାଗ୍ୟ ଭିତରକୁ ଆସିପାରେ ନାହିଁ । କିନ୍ତୁ ଏହି ‘ଲେମ୍ବୁ-ଲଙ୍କା ଥିଓରୀ' କ'ଣ କେବଳ ଲୋକକଥାରେ ନିହିତ ଏକ ବିଶ୍ୱାସ ନା ଅନ୍ଧବିଶ୍ୱାସ? ନା ଏହି ପାରମ୍ପରିକ ଅଭ୍ୟାସରେ ବୈଜ୍ଞାନିକ, ମନସ୍ତାତ୍ତ୍ୱିକ, ଅର୍ଥନୈତିକ ବା ପରିବେଶ ସମ୍ବନ୍ଧୀୟ କିଛି ଦିଗ ଲୁଚି ରହିଛି? କୌଣସି ଅର୍ଥନୀତି, ମନୋବିଜ୍ଞାନ ବା ସମାଜବିଜ୍ଞାନ ବହିରେ ଏଇ "ଲେମ୍ବୁ-ଲଙ୍କା ଥିଓରୀ'ର ଉଲ୍ଲେଖ ନାହିଁ ସତ, ହେଲେ ଏଇ ଲେମ୍ବୁ-ଲଙ୍କା ଆମ ମାନସିକ, ସାମାଜିକ ବା ଆର୍ଥିକ ବ୍ୟବସ୍ଥାକୁ କେତେ ଯେ ସୁଆଦିଆ ଓ ମୂଲ୍ୟବାନ କରିଦିଏ, ତାହାର ହିସାବ କରିବା ଜରୁରି । ସେଇ ତଥାକଥିତ ଲେମ୍ବୁ-ଲଙ୍କା ସିଦ୍ଧାନ୍ତକୁ ଏକ ବହୁବିଷୟକ ଏବଂ ତଥ୍ୟଚାଳିତ ଦୃଷ୍ଟିକୋଣରୁ ଦେଖିଲେ ଏହାର ସାଂସ୍କୃତିକ, ପରିବେଶଗତ ଏବଂ ବ୍ୟାବହାରିକ ଆଧାରକୁ ଅନୁଭବ କରିହେବ, ଯାହା ଭାରତୀୟ ପାରମ୍ପରିକ ଜ୍ଞାନ ବ୍ୟବସ୍ଥାକୁ ପ୍ରତିଫଳିତ କରେ । ଲେମ୍ବୁ-ଲଙ୍କାର ମୂଳଦୁଆ ହିନ୍ଦୁ ସମାଜରେ ପ୍ରାଚୀନ ଲୋକବିଶ୍ୱାସରୁ ଆସିଛି ।
ବୈଦିକ ରୀତିନୀତିରେ ଲେମ୍ବୁ ଶୁଦ୍ଧତାର ପ୍ରତୀକ ହୋଇଥିବାବେଳେ, ଲଙ୍କା କ୍ଷତିରୁ ସୁରକ୍ଷା ଦେଇଥାଏ । ସାତଟା ଲଙ୍କା ଏବଂ ଗୋଟିଏ ଲେମ୍ବୁ ସଂଖ୍ୟାଗତ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ, ଯାହା ଶକ୍ତିର ସନ୍ତୁଳନକୁ ପ୍ରତିନିଧିତ୍ୱ କରେ (ସପ୍ତାହରେ ସାତ ଦିନ, ସାତ ଚକ୍ର ଇତ୍ୟାଦି) । ଯେତେବେଳେ କୌଣସି ଘଟଣା ଆଶ୍ଚର୍ଯ୍ୟଜନକ କିମ୍ବା ନକାରାତ୍ମକ ହୋଇଥାଏ ସେତେବେଳେ ଲୋକେ ପ୍ରାୟତଃ ବାହ୍ୟ ଅଲୌକିକ ଶକ୍ତିକୁ ଦାୟୀ କରନ୍ତି, ଯାହାର ନିୟନ୍ତ୍ରଣ ବା ପ୍ରତିରୋଧ ଲେମ୍ବୁ-ଲଙ୍କା ଭଳି ସିଦ୍ଧାନ୍ତ ଦ୍ୱାରା ସମ୍ଭବ ବୋଲି ଆଶା ଓ ବିଶ୍ୱାସ । ବିଶ୍ୱାସରେ ଯେମିତି ଭଗବାନଙ୍କ ବାସ, ସେହିପରି ଅନ୍ଧବିଶ୍ୱାସର ମଧ୍ୟ ବିଶ୍ୱାସରେ ବାସ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ରଙ୍ଗ ମନୋବିଜ୍ଞାନ ଅନୁଯାୟୀ ଉଜ୍ୱଳ ହଳଦିଆ(ଲେମ୍ବୁ) ଏବଂ ସବୁଜ(ଲଙ୍କା) ରଙ୍ଗ ଧ୍ୟାନ ଆକର୍ଷଣ କରିଥିବାବେଳେ, ସବୁଜ ପ୍ରାୟତଃ ସତେଜତା ଏବଂ ଜୀବନ୍ତତାର ପ୍ରତୀକ । କିନ୍ତୁ ରୀତିନୀତି ସନ୍ଦର୍ଭରେ, ଏହି ଦୁଇ ରଙ୍ଗର ସଂଯୋଗ ହେଉଛି ସୁରକ୍ଷାର ପ୍ରତୀକ । ବ୍ୟାବହାରିକ ବିଜ୍ଞାନ ଦୃଷ୍ଟିକୋଣରୁ ଲେମ୍ବୁ-ଲଙ୍କା ଏକ ମନସ୍ତାତ୍ତ୍ୱିକ ପ୍ରତିରୋଧକାରୀ ଭାବରେ କାର୍ଯ୍ୟ କରି ଏକ ପ୍ଲାସିବୋ ପ୍ରଭାବ ସୃଷ୍ଟିକରେ, ଯେଉଁଠି ଲୋକେ ବିଶ୍ୱାସ କରନ୍ତି ଯେ ଏହା ନକାରାତ୍ମକତାକୁ ଦୂରେଇ ରଖେ । ବ୍ୟବସାୟ ପ୍ରତିଷ୍ଠାନରେ, ଲେମ୍ବୁ-ଲଙ୍କାର ଉପସ୍ଥିତି, ବିଫଳତା କିମ୍ବା ଦୁର୍ଭାଗ୍ୟର ମନୋସାମାଜିକ ଚାପକୁ ହ୍ରାସ କରି, ଔଦ୍ୟୋଗିକ ଆତ୍ମବିଶ୍ୱାସକୁ ଉତ୍ସାହିତ କରିଥାଏ । ପରୀକ୍ଷାରେ ଭାଗ୍ୟଶାଳୀ ବା ଶୁଭ କଲମ ଯେପରି ଚମତ୍କାର ଦେଖାଇଥାଏ, ସେହିପରି ଲେମ୍ବୁ-ଲଙ୍କା ମାଳ ଦୋକାନୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଏବଂ ସକାରାତ୍ମକତା ସୃଷ୍ଟିକରି ସୂକ୍ଷ୍ମଭାବରେ ବ୍ୟାବସାୟିକ ଫଳାଫଳକୁ ଉନ୍ନତ କରିଥାଏ । ଭାରତର ଅସ୍ଥିର ଅନୌପଚାରିକ କ୍ଷେତ୍ର, ଯାହା ମୋଟ୍ ଘରୋଇ ଉତ୍ପାଦରେ ୪୫% ଯୋଗଦାନ କରିଥାଏ ଏବଂ ୮୦%ରୁ ଅଧିକ ନିଯୁକ୍ତି ପ୍ରଦାନ କରିଥାଏ, ସେଠାରେ ଏହି ଲେମ୍ବୁ-ଲଙ୍କା ସିଦ୍ଧାନ୍ତ ଏକ ପ୍ରମୁଖ କାର୍ଯ୍ୟାତ୍ମକ ଭୂମିକା ନିର୍ବାହ କରେ । ଏହି ପାରମ୍ପରିକ ଅଭ୍ୟାସ ସୂକ୍ଷ୍ମ ଅନୌପଚାରିକ ଅର୍ଥନୀତିକୁ ମଧ୍ୟ ସମର୍ଥନ କରେ । ଭାରତର ସହରାଞ୍ଚଳରେ ଶହ ଶହ ରାସ୍ତାକଡ଼ ବିକ୍ରେତା ଲେମ୍ବୁ-ଲଙ୍କାର ମାଳ ବିକ୍ରି କରି ନିଜ ଜୀବିକା ନିର୍ବାହ କରନ୍ତି ।
ମୁମ୍ବାଇରେ ଏକ ସର୍ବେକ୍ଷଣ ଅନୁଯାୟୀ, ଜଣେ କ୍ଷୁଦ୍ର ବିକ୍ରେତା ଦୈନିକ ପ୍ରାୟ ୧୫୦ରୁ ୨୫୦ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରେ, ଯାହା ବେଳେବେଳେ ବାର-ତୀର୍ଥ, ଗ୍ରହ-ନକ୍ଷତ୍ରଙ୍କ ଗତିବିଧି ଦ୍ୱାରା ମଧ୍ୟ ତ୍ୱରାନ୍ୱିତ ହୋଇଥାଏ । ଯେଉଁ ସମୟରେ ଲେମ୍ବୁ ମୂଲ୍ୟ ୮୦% ଏବଂ ସବୁଜ ଲଙ୍କା ମୂଲ୍ୟ ୧୫% ପର୍ଯ୍ୟନ୍ତ ବୃଦ୍ଧି ପାଇଯାଏ, ସେତେବେଳେ ମଧ୍ୟ ଏହି ବ୍ୟାପାର ଜାରି ରୁହେ ଓ ଲାଭ ଦ୍ୱିଗୁଣିତ ହୋଇଯାଏ । କାରଣ ବିଶ୍ୱାସରେ ବନ୍ଧା ମଣିଷ ଲକ୍ଷ୍ମୀଙ୍କୁ ଡରି ଅଲକ୍ଷ୍ମୀଙ୍କୁ ନିମନ୍ତ୍ରଣ କରିବାକୁ କେବେ ଚାହିଁବ ନାହିଁ । ସେଥିପାଇଁ ଲେମ୍ବୁ-ଲଙ୍କାର ଯେତେ ଦର ଥାଉ ନା କାହିଁକି, ଖାଇବା ପଛେ ବନ୍ଦ କରିହେବ, ହେଲେ ମାଳ କରି ଟାଙ୍ଗିବା ଛାଡ଼ି ହୁଏନାହିଁ । ସେଇ ଲେମ୍ବୁ-ଲଙ୍କାର ମାଳ ଘରେ ଦୋକାନରେ ବା ଯାନବାହାନରେ ଟାଙ୍ଗିଲେ ଲକ୍ଷ୍ମୀ ଆସିବା ବିଶ୍ୱାସରେ, ଉଭୟ କ୍ରେତା ଓ ବିକ୍ରେତା ଲକ୍ଷ୍ମୀବନ୍ତ ହୁଅନ୍ତି । ବିଶ୍ୱାସ ବା ଅନ୍ଧବିଶ୍ୱାସ ବ୍ୟତୀତ, ବୈଜ୍ଞାନିକ ଅନୁସନ୍ଧାନ, ଲେମ୍ବୁ-ଲଙ୍କା ବ୍ୟବହାରର ବାୟୋକେମିକାଲ୍ ଏବଂ ପରିବେଶଗତ ତର୍କ ମଧ୍ୟ ଦିଆଯାଇପାରିବ । ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ଏବଂ ଲିମୋନିନ୍ ଥାଏ ଓ ସବୁଜ ଲଙ୍କା କ୍ୟାପସାଇସିନରେ ସମୃଦ୍ଧ । ଅଧ୍ୟୟନରୁ ଜଣାପଡିଛି ଯେ ମଶା, ପିମ୍ପୁଡ଼ି ଏବଂ ପୋକ ବିରୁଦ୍ଧରେ ଲିମୋନିନ୍ ପ୍ରଭାବଶାଳୀ ଏବଂ କ୍ୟାପସାଇସିନ୍ ମାଛି ଏବଂ ଛାଟ କୀଟପତଙ୍ଗର ସ୍ନାୟୁତନ୍ତ୍ରରେ ହସ୍ତକ୍ଷେପ କରି ସେମାନଙ୍କର ଉପସ୍ଥିତିକୁ ବାଧା ଦେଇଥାଏ । ତେଣୁ ପ୍ରବେଶ ଦ୍ୱାରରେ ଝୁଲୁଥିବା ଲେମ୍ବୁ-ଲଙ୍କା ଏକ ଜୈବ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରିଥାଏ । ସୂତାଦ୍ୱାରା ବିଦ୍ଧ ହେଲେ ଲେମ୍ବୁ ଏବଂ ଲଙ୍କା ବାୟୁରେ ଅସ୍ଥିର ତେଲ ଛାଡ଼ିଥାଏ, ଯାହା ବାୟୁ ବିଶୋଧକ ଭାବରେ କାର୍ଯ୍ୟ କରେ । ପ୍ଲାଷ୍ଟିକ୍ କିମ୍ବା ସିନ୍ଥେଟିକ୍ ଉପକରଣ ତୁଳନାରେ ଏହା ଶୂନ୍ୟ-ବର୍ଜ୍ୟ ସ୍ୱଦେଶୀ ବିଜ୍ଞାନର ଉଦାହରଣ, ଯାହା ୧୦୦% ବାୟୋଡିଗ୍ରେଡେବଲ୍ ।
ଲେମ୍ବୁ-ଲଙ୍କା ମାଳ ସ୍ଥାନୀୟ ଉତ୍ସ, ସ୍ୱଳ୍ପ ମୂଲ୍ୟ ଏବଂ ପରିବେଶ ଅନୁକୂଳ । ଅନେକଙ୍କ ପାଇଁ ଏହି ରୀତିନୀତି ସାମାଜିକ ଏକତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକାତ୍ମକ ଭାବନା । କିନ୍ତୁ ବହୁ ସମୟରେ ନିର୍ବିବାଦିତ ବିଶ୍ୱାସ, ବ୍ୟକ୍ତିବିଶେଷଙ୍କୁ ଜ୍ଞାନ ପ୍ରତି ଅନ୍ଧ କରିଦେଇପାରେ, ଯାହାର ପରିଣାମସ୍ୱରୂପ କ୍ୱାକ୍ କିମ୍ବା ତାନ୍ତ୍ରିକଙ୍କ ଶୋଷଣର ଶିକାର ହେବାର ସମ୍ଭାବନା ତୀବ୍ର ହୋଇଯାଏ । ଲେମ୍ବୁ-ଲଙ୍କା ଯେ ଅଲୌକିକ ଶକ୍ତି ବା ମନ୍ଦଦୃଷ୍ଟିକୁ ପ୍ରତିରୋଧ କରେ, ତାହାର କୌଣସି ପ୍ରମାଣ ନାହିଁ । ସେଥିଲାଗି ଯେପର୍ଯ୍ୟନ୍ତ ଲେମ୍ବୁ-ଲଙ୍କା ବିଶ୍ୱାସର ଭୂମିକା ନିର୍ବାହ କରେ, ସେତେ ପର୍ଯ୍ୟନ୍ତ ଭଲ । ହେଲେ ଯେଉଁଦିନ ସେଇ ବିଶ୍ୱାସ ଅନ୍ଧବିଶ୍ୱାସର ପଥକୁ ଆପଣେଇ ନିଏ, ତାହା ଅମୃତରୁ ବିଷାକ୍ତ ହାଇଯାଏ । ଲେମ୍ବୁ-ଲଙ୍କା, ନାଲିସୂତା, ଗୋବର, ହଳଦୀ ବା ସିନ୍ଦୂର ଦ୍ୱାରା ସୁରକ୍ଷିତ ଏକଦା ଭାରତୀୟ ପରମ୍ପରା, ସଂସ୍କୃତି ଓ ବିଶ୍ୱାସ ଆଜି ଅଧିକରୁ ଅଧିକ ଲାଫିଙ୍ଗ୍ ବୁଦ୍ଧ, ୱିଣ୍ଡ ଚାଇମ୍, ଭାଗ୍ୟ ବାଉଁଶ ଏବଂ ଧାତବ ପିରାମିଡ୍ ଦ୍ୱାରା ବଦଳି ଚାଲିଛି । ଏହି ପ୍ରତୀକଗୁଡ଼ିକ ମୁଖ୍ୟତଃ ଫେଙ୍ଗଶୁଇ, ଜାପାନୀ ଜେନ୍, କିମ୍ବା ୟୁରୋ-ଆମେରିକୀୟ ଅଧିବିଦ୍ୟାରୁ ଆମଦାନୀ ହୋଇଛି, ଯାହା ଆଧୁନିକୀକରଣ ସହିତ ଘର, ବ୍ୟବସାୟ ଏବଂ ଏପରିକି ଆଧ୍ୟାତ୍ମିକ ସ୍ଥାନଗୁଡ଼ିକରେ ଦୃଢ଼ ସ୍ଥାନ ପାଇଚାଲିଛନ୍ତି । ସାମାନ୍ୟ ଲାଗୁଥିଲେ ମଧ୍ୟ ଏହି ପରିବର୍ତ୍ତନ ଭାରତର ପାରମ୍ପରିକ ଜ୍ଞାନ, ବିଶ୍ୱାସ ଏବଂ ଆଚରଣ ବ୍ୟବସ୍ଥାର ଏକ ଗଭୀର କ୍ଷୟ ଏବଂ ଉପନିବେଶବାଦର ପ୍ରତିଫଳନ । ବିଡ଼ମ୍ବନାର ବିଷୟ ହେଉଛି, ଲେମ୍ବୁ-ଲଙ୍କା ସମେତ ଭାରତର ଅନେକ ପାରମ୍ପରିକ ଅଭ୍ୟାସର ଅନ୍ତର୍ନିହିତ ବୈଜ୍ଞାନିକ ଆଧାର ଥିବାବେଳେ, କିନ୍ତୁ ଏହି ଅଭ୍ୟାସଗୁଡିକ ପ୍ରାୟତଃ ଅନ୍ଧବିଶ୍ୱାସ ମଣି ଏହାକୁ ପ୍ରତ୍ୟାଖାନ କରିଦିଆଯାଏ ଓ ବଦଳରେ ବିଦେଶୀ ବସ୍ତୁକୁ ଛଦ୍ମବୈଜ୍ଞାନିକ ଶବ୍ଦାବଳୀ ସହିତ "ଶକ୍ତି ସନ୍ତୁଳନ’ ଉପକରଣ ଭାବରେ ସ୍ୱୀକୃତି ଓ ଆଦୃତି ପ୍ରଦାନ କରାଯାଏ ।
ଘରେ ୱିଣ୍ଡ ଚାଇମ୍ ଟାଙ୍ଗିଲେ ତା'ର ଧ୍ୱନି କାଳେ ସକାରାତ୍ମକ ଭାବ ଘରକୁ ଆଣେ । ହେଲେ ଘଣ୍ଟ ବା ଘଣ୍ଟିର ଧ୍ୱନି ଯେ ସ୍ନାୟୁ-ସତର୍କତା ଏବଂ ସୋନିକ୍ ଶୁଦ୍ଧିକରଣ ଭୂମିକା ନିର୍ବାହ କରେ, ତାହାର କୌଣସି ଗ୍ରହଣୀୟତା ନାହିଁ । ସେହିପରି ଶଙ୍ଖଧ୍ୱନି ମଣିଷ ଶରୀର ଚାପ ହ୍ରାସ କରିପାରେ, ଧ୍ୟାନ ଏବଂ ସତର୍କତାକୁ ବୃଦ୍ଧି କରିପାରେ ଏବଂ ଶରୀରକୁ ଏକ ପାରାସିମ୍ପେଥେଟିକ (ବିଶ୍ରାମ-ପାଚନ) ଅବସ୍ଥାକୁ ଆଣିପାରେ । ଶଙ୍ଖ ବଜାଇବା ଦ୍ୱାରା ଗଳା ଏବଂ ଫୁସଫୁସ ସହିତ ଶରୀରର ଶ୍ୱାସକ୍ରିୟା ପ୍ରଣାଳୀ ସକ୍ରିୟ ହୁଏ, ଯାହା ଫୁସଫୁସ କ୍ଷମତାକୁ ଉନ୍ନତ କରେ । ଶଙ୍ଖଧ୍ୱନି ମସ୍ତିଷ୍କକୁ ଶାନ୍ତ ମଧ୍ୟ କରିଥାଏ । ଫେନ୍ସି ବାଉଁଶ ଗଛକୁ "ଭାଗ୍ୟ ଚୁମ୍ବକ’ ଭାବରେ ବିକ୍ରି କରାଯାଉଛି ଓ ତାହା ଘରର ବୈଠକ ଘରେ ଶୋଭା ପାଇ ନିୟମିତ ଯତ୍ନ ମଧ୍ୟ ଲାଭ କରୁଛି । ହେଲେ ଘରର ଅଗଣାରେ ତୁଳସୀ ବା ନିମ୍ବ ଭଳି ପାରମ୍ପରିକ ପରିବେଶଗତ ଲାଭରେ ସମୃଦ୍ଧ ଗଛର କୌଣସି ସ୍ଥାନ ରହୁନାହିଁ । ଏହିପରି ସ୍ୱଦେଶୀ ତର୍କ ବିଦେଶୀ ଅନ୍ଧବିଶ୍ୱାସ ଦ୍ୱାରା ସ୍ଥାନଚ୍ୟୁତ ହେବାରେ ଲାଗିଛି ।
ଲୋକଦେଖାଣିଆ ଏଇ ଯୁଗରେ, ନିଜର ପରମ୍ପରାଗତ ଜିନିଷ ବା ଉପକରଣର ପରିତ୍ୟାଗ ଓ ବିଦେଶୀ ସାମଗ୍ରୀର ବ୍ୟବହାର କାଳେ ଆର୍ଥନୀତିକ ସ୍ଥିତିସ୍ଥାପନ କରି ବ୍ୟକ୍ତିବିଶେଷଙ୍କୁ ଆଧୁନିକ, ଅତ୍ୟାଧୁନିକ କିମ୍ବା ବିଶ୍ୱସ୍ତରୀୟ ଭାବରେ ବିବେଚିତ କରୁଛି । ଏହା ପ୍ରଭାବଶୀଳତା ନିର୍ବିଶେଷରେ ବିଦେଶୀ ସାମଗ୍ରୀକୁ ସ୍ୱଦେଶୀ ସାମଗ୍ରୀ ତୁଳନାରେ ଅଧିକ ମୂଲ୍ୟବାନ ଭାବେ ସମ୍ମାନିତ କରେ । ଗୋଟିଏ ୱିଣ୍ଡ ଚାଇମ୍ର ମୂଲ୍ୟ ଟ୫୦୦ରୁ ଟ୩୦୦୦, ଗୋଟିଏ ଭାଗ୍ୟବାନ ବାଉଁଶ ଟ୩୦୦-ଟ୮୦୦, ଲାଫିଙ୍ଗ୍ ବୁଦ୍ଧ ଟ୬୦୦-ଟ୨୦୦୦, ଯେତେବେଳେ କି ଲେମ୍ବୁଲଙ୍କା ମାଳର ମୂଲ୍ୟ ଟ୧୦-ଟ୨୦ । ଏହା କେବଳ ବିଶ୍ୱାସର ସାମଗ୍ରୀକରଣ । ଏହି ଧାରା ବୈଜ୍ଞାନିକ ବର୍ଣ୍ଣନାକୁ ମଧ୍ୟ ବିକୃତ କରିଦିଏ । ପାରମ୍ପରିକ ଜ୍ଞାନର ଅଧ୍ୟୟନ, ସଂରକ୍ଷଣ, ଆଲୋଚନା, ସଂଚାର ଓ ପ୍ରସାରଣର ଅଭାବ ହେତୁ, ଭାରତ ଆଜି ଆମଦାନୀ କରାଯାଉଥିବା ନକଲି ବୈଜ୍ଞାନିକ ସାମଗ୍ରୀ ଆଡ଼କୁ ମୁହାଁଉଛି । ସ୍ୱଦେଶୀ ଜ୍ଞାନକୁ ପୁନର୍ବାର ଦାବି କରିବା ଯେ ଅତୀତକୁ ଫେରିଯିବା ତାହା ନୁହେଁ । ବରଂ ପ୍ରାଚୀନ, ପାରମ୍ପରିକ, ସାଂସ୍କୃତିକ ଜ୍ଞାନ ଓ ବୁଦ୍ଧିମତାର ସୁରକ୍ଷା କରିବା, ଯାହା ଆଚରଣଗତ ଅଭିଯୋଜନ, ସ୍ଥାନୀୟ ସ୍ଥିରତା ଏବଂ ସାମାଜିକ ଏକତା ଉପରେ ଆଧାରିତ ।