କୁଚିଣ୍ଡା, ୧୩।୧୦(ଆପ): ମାଆ ଓ ଝିଅଙ୍କୁ ବସାଇ କାର ଚଳାଉଥିଲେ ଚାଳକ ଶ୍ରୀକାନ୍ତ ନାଗ (୩୬)। ଝିଅକୁ ସ୍କୁଲରୁ କାରରେ ଘରକୁ ଆଣୁଥିଲେ । ହେଲେ ହଠାତ କୁଚିଣ୍ଡା ସାପ୍ତାହିକ ବଜାର ନିକଟରେ ଶ୍ରୀକାନ୍ତଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । କେହି କିଛି ବୁଝିବା ପୂର୍ବରୁ ଶ୍ରୀକାନ୍ତଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା I କ୍ଷଣିକ ମଧ୍ୟରେ ଚାଲିଗଲା ତାଙ୍କ ଜୀବନ।
ସୂଚନା ଅନୁସାରେ, କତରବଗା ଥାନା ଅଞ୍ଚଳର ଜଣେ ମହିଳା ତାଙ୍କ ଝିଅ ଅସୁସ୍ଥ ଥିବାରୁ ସ୍କୁଲରୁ ତାଙ୍କୁ ଘରକୁ ନେବାକୁ କାରରେ ଆସିଥିଲେ । ସାଥିରେ ଥିଲେ ଚାଳକ ଶ୍ରୀକାନ୍ତ ନାଗ । ଝିଅକୁ ସ୍କୁଲରୁ ଆଣି ଘରକୁ ଫେରୁଥିବା ସମୟରେ କୁଚିଣ୍ଡା ସାପ୍ତାହିକ ବଜାର ଛକରେ ହଠାତ ଚାଳକ ଜଣକ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଛାଟିପିଟି ହୋଇ ସିଟ୍ରେ ଲୋଟି ପଡ଼ିଥିଲେ । ଏହା ଦେଖି ପଛ ସିଟ୍ରେ ବସିଥିବା ମାଆ ଓ ଝିଅ ଚିତ୍କାର କରିଥିଲେ । ସ୍ଥାନୀୟ ଲୋକ ତୁରନ୍ତ ଗାଡ଼ିର ଷ୍ଟାର୍ଟ ବନ୍ଦ କରି ଚାଳକଙ୍କୁ ଉଦ୍ଧାର କରିଥିଲେ । ହେଲେ ତାଙ୍କର ଜୀବନ ବଞ୍ଚାଇବାରେ ସଫଳ ହୋଇନଥିଲେ ।
ଏନେଇ କୁଚିଣ୍ଡା ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ ତ.ସୁବୋଧ ନୟନ କହିଛନ୍ତି, ଚାଳକଙ୍କୁ ମୃତ ଅବସ୍ଥାରେ ଚିକିତ୍ସାଳୟକୁ ଅଣାଯାଇଥିଲା। ତାଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନଥିଲା । ପ୍ରାଥମିକ ତଦନ୍ତରୁ ଏହା ହୃଦଘାତ ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ । ହେଲେ ମାତ୍ର ୩୬ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହେବାକୁ ନେଇ ଡ.ନାୟକ କହିଛନ୍ତି, ଏହା କ୍ଵଚିତ ଦେଖିବାକୁ ମିଳିଥାଏ । ଏହାକୁ 'ୟଙ୍ଗଷ୍ଟୋନ୍' କୁହାଯାଏ। ଯଦି ଅଳ୍ପ ବୟସରେ କୋଲେଷ୍ଟ୍ରୋଲ୍ ବଢ଼ିବା ସହ ଉଚ୍ଚ ରକ୍ତଚାପ ଥାଏ ୟଙ୍ଗଷ୍ଟୋନ' ହେବାର ଆଶଙ୍କା ଥାଏ । ଏହା ବହୁ କ୍ଵଚିତ୍ । ତଥାପି ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡିବ।