ନବରଙ୍ଗପୁର,୩।୯(ଆପ): ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଜଜ୍ ବିଷ୍ଣୁପ୍ରସାଦ ମିଶ୍ର ଏକ ହତ୍ୟା ମାମଲାର ବିଚାର କରି  ୫ଜଣଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।  ସେମାନେ ହେଲେ କୋଡିଙ୍ଗା ଥାନା ବାରମାସୀ ଗାଁର ଅନନ୍ତପୂଜାରୀ, ଶିବ ଶଙ୍କର ପୂଜାରୀ, ଚନ୍ଦନ ପୂଜାରୀ, ଡୁମର ପୂଜାରୀ ଓ ଡାଳିମ୍ବ ପୂଜାରୀ। ଏଥି ସହିତ ପ୍ରତ୍ୟେକଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଜରିମନା  ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟରେ ଆହୁରି ୬ ମାସ ଲେଖାଏଁ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ସ୍ପଷ୍ଟ କରିଛନ୍ତି। ଏଥିସହ ଜଣେ ନାବାଳକଙ୍କୁ ସୁଧାର ଗୃହକୁ ପଠାଇଛନ୍ତି।

ମାମଲାକୁ ପରିଚାଳନା କରୁଥିବା ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ସନ୍ତୋଷ ମିଶ୍ରଙ୍କ ସୂଚନା ଅନୁଯାୟୀ, ୦୨୨ ଅଗଷ୍ଟ ୯ ତାରିଖ ଅପରାହ୍ନ ୨ଟାରେ ବାରମାସି ଗାଁରେ ଜମିଜମା ଓ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କାଣ୍ଡ ହୋଇଥିଲା । ସେହି ଦିନ ଗାଁ ପଦଲାମ ପୂଜାରୀ, ଡମ୍ବରୁପୂଜାରୀ, ଭରତ ପୂଜାରୀ ପ୍ରମୁଖ ସେମାନଙ୍କ ସ୍ତ୍ରୀ ଓ ପିଲା ଛୁଆଙ୍କ ସମେତ ପୁରା ପରିବାର ନିଜ ବାରିରେ ବିନ୍‌ ପରିବା ତୋଳୁଥିଲେ । ଏହି ସମୟରେ ଗାଁର ୬ଜଣ ସେମାନଙ୍କ ବାରିରେ ଜୋରଜବରଦସ୍ତ ପଶି ଯାଇଥିଲେ । ସେମାନଙ୍କ ହାତରେ ଖଣ୍ଡାକାତି, ବଛା ସମେତ ଅନ୍ୟାନ୍ୟ ମାରାସ ଧରି ପବଲାମି ଓ ତମ୍ବରକୁ ଆକ୍ରମଣ କରିଥିଲେ । ଶେଷକୁ ପଦଲାମ ଉପରେ ଟ୍ରାକ୍ଟର ମଢାଇଦେଇଥିଲେ । ଟ୍ରାକ୍ଟର ମଢାଇବା ଫଳରେ ପଦଲାମର ଦୁଇ ଗୋଡ ଭାଙ୍ଗି ଯାଇଥିଲା । କେବଳ ଏତିକିରେ ଅଟକି ନଥିଲେ । ପଦଲାମକୁ ଆଗପଟେ ଓ ପିଠି ପଟେ ଖଣ୍ଡା କାତିରେ ଭୃଷି ଦେଇଥିଲେ । ଲହୁ ଲୁହାଣ ହୋଇ ପଦଲାମ ଟଳିପଡିଥିବା ଦେଖି ସେଠାରୁ ଚାଲିଯାଇଥିଲେ । ପଦଲାମକୁ ନବରଙ୍ଗପୁର ପରେ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨୦୨୨ ଅଗଷ୍ଟ ୧୬ରେ ପଦଲାମ ପୂଜାରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ମାମଲାରେ ପଦଲାମର ଭାଇ ଭରତ ପୂଜାରୀ କୋଡିଙ୍ଗା ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିଭିକରି  ପୋଲିସ  ନାବାଳକ ସମେତ ୬  ଜଣଙ୍କୁ ଧରିଥିଲା। ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା ।  ଏହି ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲାଜଜ୍ ବିଷ୍ଣୁ ପ୍ରସାଦ ମିଶ୍ର ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ସନ୍ତୋଷ ମିଶ୍ର କହିଛନ୍ତି