ପରିବର୍ତ୍ତନଶୀଳ ପ୍ରକୃତି ଆଗରେ  ବେଳେବେଳେ ଏ ଅସହାୟ ମଣିଷଟି  ହାରିଯାଏ ସଂଘର୍ଷମୟ ଜୀବନ ଭିତରେ ବି!  ଜୀବନର ମୂଲ୍ୟ ଅମୂଲ୍ୟ ସବୁ ଜାଣି ମଧ୍ୟ ଜୀବନ  ଆଜି କେତେକ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ  ଅକାଳରେ ଚାଲିଯାଏ । ବିଚରା ବେଖିଆଲି  ମଣିଷଟି ହାରିଯାଏ ପ୍ରକୃତିର ତାଣ୍ଡବ ଆଗରେ ।  ଋତୁ ପରିବର୍ତ୍ତନର ଚକ୍ରାକାର ମଧ୍ୟରେ ମଣିଷଟି  ନିଜର ନିରାପଦ ଜୀବନ ଖୋଜୁ ଖୋଜୁ କେବେ  କେବେ ଧକ୍କା ଖାଇଯାଏ, ତାହା ସେ ଜାଣିନଥାଏ ।  କାରଣ ନିରାପଦ ଜୀବନ ସେତେବେଳେ ଆଉ  ତା’ ହାତ ପାଆନ୍ତାରେ ନଥାଏ । ସେ ଯାହାହେଉ,  ନିର୍ବୋଧ ଏଇ ମଣିଷ ଜାଣିପାରେନି ପ୍ରକୃତି  ଭିତରେ ରହି ଗଛଟିକୁ କାଟିଦେଲେ ସେ ତା'ର  କରାଳ ରୂପ ଦେଖେଇବ । ଯେହେତୁ ବୃକ୍ଷଗୁଡ଼ିକର  ଅସ୍ତିତ୍ୱ ଉପରେ ହିଁ ମନୁଷ୍ୟ ତଥା ଅନ୍ୟପ୍ରାଣୀଙ୍କ  ଜୀବନ ଆଧାରିତ, ଯେମିତିକି ତାଳଗଛଟିଏ  ଆଜି ଅଦରକାରୀ ପାଲଟି ଯାଇଛି ମଣିଷ ପାଇଁ!  ଯେଉଁଟା କି ଚାଷୀଭାଇଟିର ଜୀବନ ନାଟିକାର କା’  ନେଇଥାଏ । ଆଜି ବିଲରେ ଚାଷୀଭାଇଟିଏ ତଥା  ପଶୁପକ୍ଷୀ ମଧ୍ୟ ମୃତ୍ୟୁମୁଖରେ ପଡ଼ିବାକୁ ମୁହୂର୍ତ୍ତେ  ସମୟ ଲାଗୁନି । ବଜ୍ରପାତର କ୍ରୁର ପ୍ରହାର ତାଙ୍କୁ ସେ  ପାରିକୁ ନେଇଯାଉଛି । ଆଜି ଯଦି ବିଲ ହୁଡ଼ାରେ  ତାଳଗଛ ପୂର୍ବପରି ଧାଡ଼ି ଧାଡ଼ି ହେଇ ଥାଆନ୍ତା  କେତେ ସୁନ୍ଦର ଦୃଶ୍ୟପଟ୍ଟ ସହ ଚାଷୀ ମୃତ୍ୟୁକୁ  ମଧ୍ୟ ଏଡ଼ାଇ ହୁଅନ୍ତା! ଅକ୍ଷତ ଜୀବନ ଆଜି ବିପନ୍ନ  ଅବସ୍ଥାରେ ବିଲରେ ପଡ଼ି ରହୁଛି ବଜାପାତର କ୍ରୁର  ପ୍ରହାରରେ । ଗାଈଗୋରୁ ମଧ୍ୟ ବାଦ୍‌ ପଡୁନାହାଁନ୍ତି!  ପୁରୁଖାମାନେ କ'ଣ କିଛି ଅର୍ଥ ନଥାଇ ତାଳଗଛ  ରୋପଣ କରିଯାଇଥିଲେ?

maadhu mohanty

ଆମେ ମୂର୍ଖ ତାଙ୍କଠାରୁ ଜନ୍ମ ହୋଇ ପରପିଢ଼ିକୁ  ଧ୍ୱଂସମୁଖ ଆଡ଼କୁ ନେଇଯାଉଛୁ । ତାଳଗଛ  ଠାରୁ ଜୀବନରକ୍ଷାକାରୀ ବନ୍ଧୁ ବୋଧେ ଚାଷୀଭାଇ  ତଥା ମଣିଷ ପାଇଁ ନଗଣ୍ୟ । କିନ୍ତୁ ଆଜି ଗଛଟି  ଅଦରକାରୀ ଭାବେ ପରିଗଣିତ ହୋଇ ଧ୍ୱଂସମୁଖୀ!  କୌଣସି ସେବା ଯତ୍ନ ନପାଇ ସେ ମଣିଷର  ସେବାରେ ନିଜକୁ ଜଳାଞ୍ଜଳି ଦିଏ ବିନା ସ୍ୱାର୍ଥରେ!  ମଣିଷ ଆଜି ଏତେ କ୍ରୁର, ଅହଂକାରୀ ପାଲଟିଯାଇଛି  ଯେ ଗଛଲତା, ପଶୁପକ୍ଷୀ ଇତ୍ୟାଦିଙ୍କୁ ଧ୍ୱଂସମୁଖକୁ  ନେଇଯାଉଛି ନିଜର ସ୍ୱାର୍ଥ ଟିକକ  ପାଇଁ । ଟିକିଏ ଯଦି ପଛକୁ ଅନେଇ ଦିଅନ୍ତା କେତେ ନିରୀହ ଜୀବନ ରକ୍ଷା  ପାଇଯାଆନ୍ତା ତାଳଗଛଟିଏ ପାଇଁ । ଗତ  ଦୁଇତିନି ବର୍ଷ ଭିତରେ ବଜ୍ରପାତଜନିତ  ଚାଷୀ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି । ତା'ର  ହିସାବ ଦେବାକୁ ଆମେ ଓ ଆମର  ସରକାର ତଥା ଆମର ସମାଜ ସମସ୍ତେ  ନିରବ । ସବୁଦିନ ଖବରକାଗଜର ଜଣା ଅଜଣା  ଘଟଣା ଆଜି ଅଜଣା ପୃଷ୍ଠା ଭିତରେ ରହିଯାଉଛି ।

ତଥାକଥିତ ସଭ୍ୟ ସମାଜ ଓ ସହରି ବାବୁମାନେ  ସହରରେ ରହିଯାଉଛନ୍ତି, କିନ୍ତୁ ମଳିମୁଣ୍ଡିଆ  ଚାଷୀଭାଇ ତଥା ପଶୁପକ୍ଷୀ ବଜ୍ରପାତରେ ମରି  ହଜିଗଲେ ଗାଁ ଲୋକେ କିଛିଦିନ ଭୋକ ଶୋକରେ  କାଳ କାଟିବେ ସିନା, ତା'ପରେ କିନ୍ତୁ ମନକୁ ବୁଝାଇ  ବିଲରେ ନଖଟିଲେ ନଚଳେ । ଚୁଲିକୁ ହାଣ୍ଡିଟି  ଯିବନି! ତଥାପି ଆଜିର ସମାଜ ବୁଝେନାହିଁ ଯେ, ଚାଷୀ ମୂଲିଆ ବିଲକୁ ନଗଲେ ଆହାର ବନ୍ଦ  ସମସ୍ତଙ୍କର । କଥାରେ ଅଛି ପରା "ଚାଷ ଅଛି  ଯାହାର କି ଆନନ୍ଦ ତାହାର/ ଚାଷୀ ଭାଇ ଯୋଗାଉଛି  ଦୁନିଆକୁ ଆହାର’ । ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କର  ସ୍ଳୋଗାନ୍‌ ‘ଜୟ ଯବାନ୍‌ ଜୟ କିଷାନ୍‌’ ଆଜି  ବହିପୃଷ୍ଠା ଭିତରେ ଲୁଚିରହିଛି । ନିଜେ ବଞ୍ଚିଲେ  ବାପର ନାଁ, ଅନ୍ୟ କାହା କଥା ବୁଝିବାକୁ ଆଉ  ସମୟ ନାହିଁ କାହାର! କାହିଁ କେତେଦୂରରେ  ବାଇଚଢ଼େଇର ବସାଟିଏ ଦେଖିଲେ ମନରେ  ଅସଂଖ୍ୟ ପ୍ରଶ୍ନ ଉଙ୍କିମାରେ । କେତେ ସ୍ମୃତି  ଉଜାଗର ହୋଇଉଠେ । ପରିବେଶକୁ ସରସ  ସୁନ୍ଦର କରିଥାଏ ତାଳଗଛରେ ବାଇଚଢ଼େଇର  ବସାଟିଏ । ଯେଉଁ ପରିବେଶକୁ ଅବଲୋକନ  କରି ଅତୀତରେ ଅନେକ କବି କାବ୍ୟମାଳା  ଲେଖିଯାଇଛନ୍ତି । ଯେତେ ଝଡ଼ ଆସିଲେ ସେ ତା' ବସାରେ ସୁରକ୍ଷିତ । କଥାରେ ଅଛି ପରା  ‘ବାଈଚଢ଼େଇର କି ଯାଏ ଆସେ ନା, ବାଆ କଲେ  ବସା ଦୋହଲୁଥାଏ' । କିନ୍ତୁ କର୍ପୁର ଉଡ଼ି କନା  ପଡ଼ିରହିଲା ପରି କଥା ରହିଛି। ତାଳଗଛ ଅଭାବରୁ  ବାଈଚଢ଼େଇ ବସା ବିଲୁପ୍ତପ୍ରାୟ! ବଜ୍ରାଘାତର  କ୍ରୁର ପ୍ରହାରରେ ନିରୀହ ନିଃସହାୟ ପକ୍ଷୀଟି ଦାଣ୍ଡ  ଘାଟରେ କ୍ଷତ ବିକ୍ଷତ ଅବସ୍ଥାରେ ବଳି ପଡ଼ିଯାଉଛି । ପରୋକ୍ଷ ଭାବରେ ତା'ର ବଳିଦାନ ପାଇଁ ଆମେ  ଦାୟୀ ନୁହେଁ ତ! ତାଳଗଛର ସେଇ ବିସ୍ତାରିତ  ବାହୁଛାୟା ସତେଯେମିତି ମଣିଷ, ପଶୁପକ୍ଷୀ,  ସମସ୍ତଙ୍କର ସାଜିଥାଏ ସତର୍କ ପ୍ରହରୀ ପରି!

ପରିବେଶ ରକ୍ଷା ପାଇଁ ପ୍ରାଣୀ ଓ ଉଦ୍ଭିଦ  ଉଭୟଙ୍କ ଭୂମିକା ଗୁରୁତ୍ୱପୂଣ୍ଣ. ଯେହେତୁ ଦୁହେଁ  ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ଏକ ବ୍ୟତିରେକ  ଅନ୍ୟଟି ଅର୍ଥହୀନ ମନେହୁଏ । ‘ପରିବେଶ  ସୁରକ୍ଷା ଜୀବନ ରକ୍ଷା’ ନାରାଟି ଅନ୍ତତଃ ସମସ୍ତଙ୍କ  କାନରେ ବାଜିଲେ ଦୈବୀ ଦୁର୍ବିପାକରୁ ନିଜକୁ ତଥା  ସମସ୍ତ ପ୍ରାଣୀଜଗତକୁ ରକ୍ଷା କରାଯାଇପାରନ୍ତା । ବୃକ୍ଷରୋପଣ ବିନା ପରିବେଶ ସୁରକ୍ଷା ତଥା ବଜ୍ର  ବିପତ୍ତିରୁ ମୁକ୍ତି ଏସବୁ ଚିନ୍ତା କରାଯାଇପାରେନା ।  ଯେତେ ଆଧୁନିକତାର ବଶବର୍ତ୍ତୀ ହେଲେବି  ଆମେ ପରିସ୍ଥିତିର ଦାସ । ବଜ୍ର ବିପତ୍ତିକୁ  ଏଡ଼ାଇ ପାରିବାନି ।

ଦୈବୀ ଦୁର୍ବିପାକକୁ ବଳ  କାହାର? ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଟାଣଇ ତେଣିକି ଯାଇ । କିନ୍ତୁ ବଞ୍ଚିବାର ରାହା  ତ ଖୋଜିବା । ଆସନ୍ତୁ, ଆପଣା ହସ୍ତେ ଜିହ୍ୱା  ଛେଦି ପରି ଅବସ୍ଥା ଆସିବା ଆଗରୁ ସରକାରଙ୍କ  ସହ ସହଯୋଗ କରି ଆଗକୁ ପାଦ ବଢ଼ାଇବା ।  ପରିବେଶର ସୁରକ୍ଷା ପାଇଁ ତାଳଗଛ ଓ ଅନ୍ୟାନ୍ୟ  ବୃକ୍ଷରୋପଣ କରି ଆଗକୁ ଆଗେଇ ଚାଲିବା ।  ପରିବେଶ ସହ ଭାବାବେଗ ରହିଲେ ଆମେ  ଗୋଟିଏ ନୂଆ ଦିଗନ୍ତ ସୃଷ୍ଟି କରିପାରିବା ଓ  ବଜ୍ର ବିପତ୍ତିରୁ ଅସହାୟ ମଣିଷ ଆଜି ସୁରକ୍ଷିତ  ରହିପାରିବ ଅକ୍ଷତ ଅବସ୍ଥାରେ! ଚାଷୀଭାଇଟି  ଯେତେ ଝଡ଼ଝଞ୍ଜା ଆସିଲେ ବି ନିରାପଦରେ ଚାଷ  କ୍ଷେତରୁ ଫେରିଯିବ ତା'ର ସେଇ ନୁଆଁଣିଆ  ଚାଳଘରକୁ ହଳ ବଳଦ ଧରି, ପର ଦିନର ପାହାନ୍ତି  ସକାଳକୁ ଅପେକ୍ଷା କରି ।