ଆନନ୍ଦର ପର୍ବ ଦୀପାବଳି ଆଉ ଆଲୋକର  ପର୍ବ ଦୀପାବଳି । ଦୀପର ଆଲୋକ  ବାହାର ଦୁନିଆକୁ ଆଲୋକିତ କଲାଭଳି, ଅନ୍ତରର  ଅଜ୍ଞାନରୂପକ ଅମାଅନ୍ଧକାର ଓ ଅହଙ୍କାରରୂପୀ  କାଳିମାକୁ ବଳିଦେଇ ଜ୍ଞାନର ଆଲୋକବର୍ତ୍ତିକା  ଜାଳିଦେବା ତ କାଳୀପୂଜା ଓ ଦୀପାବଳି  ଅମାବାସ୍ୟାର ବାର୍ତ୍ତା । ଦୀପାବଳି ଦିନ ଦୀପଦାନର  ମହତ୍ତ୍ୱ ସ୍ୱତନ୍ତ୍ର । ପୂଜ୍ୟ ଗୁରୁଦେବ ସ୍ୱାମୀ  ଯଜେ୍ଞଶ୍ୱରାନନ୍ଦ ମହାରାଜ ଥରେ ଦୀପାବଳିରେ  ଦୀପଦାନ କରିବା ସମୟରେ କହିଥିଲେ: ଦୀପର  ଆଲୋକରେ ନିଜର ଅହଙ୍କାରକୁ ଜାଳିଦେଲେ  ତାହା ଦୀପାବଳିର ପ୍ରକୃତ ଦୀପଦାନ ହୋଇଥାଏ ।  ଆଉ କପଟତାଶୂନ୍ୟ, ନିଷ୍କାମ ହୃଦୟର ପ୍ରାର୍ଥନା  ପ୍ରଭୁ ଦରବାରରେ ଅବଶ୍ୟ ପହଞ୍ଚିଥାଏ । 

rabina

ଦୀପାବଳିରେ ଏସବୁ ବୈଶିଷ୍ଟ୍ୟ ଆଜି ଗୌଣ  ହୋଇ କେବଳ ବାଣ ଫୁଟାଇବା ମୁଖ୍ୟ ନହେଉ ।  ଦୀପାବଳିରେ ଦୀପ ଜାଳିବା, ମିଠା ବାଣ୍ଟିବା  ପରସ୍ପର ପାଇଁ ଆନନ୍ଦବର୍ଦ୍ଧକ ହୋଇଥିବା ବେଳେ,  ବାଣ ଫୁଟାଇବାର କୁପ୍ରଭାବ ଯଦି କାହାପାଇଁ  ନିରାନନ୍ଦର କାରଣ ହେଲା, ତେବେ ଆମେ କ୍ଷଣିକ  ସୁଖର ବଶବର୍ତ୍ତୀ ହୋଇ, ଧନ ଦେଇ କଷ୍ଟ କିଣିବା  କି ଆବଶ୍ୟକ? ଦୁନିଆରେ ଧନ ବଦଳରେ  ସୁଖ, ଆରାମ କିଣାଯାଏ, କେବେ ଦୁଃଖ, ପୀଡ଼ା  କିଣାଯାଏନି । ଟଙ୍କା ଖର୍ଚ୍ଚକରି ରୋଗରୁ ମୁକ୍ତିପାଇଁ  ଔଷଧ କିଣାଯାଏ ଆଉ ଉପଚାର କରାଯାଏ,  କେବେ ରୋଗ କିଣାଯାଏନି! କିନ୍ତୁ ଦୀପାବଳିରେ  ଆମେ ଧନ ଦେଇ ପୀଡ଼ା କିଣୁଛୁ । ଆଉ ସବୁଠାରୁ  ଦୁଃଖଦାୟକ ହେଉଛି ଡାକ୍ତରଖାନାରେ ଜୀବନ  ରକ୍ଷାପାଇଁ ଟଙ୍କା ଦେଇ ଅମ୍ଳଜାନ କିଣୁଥିବା ବେଳେ,  ବାହାରେ ମିଳୁଥିବା ପ୍ରକୃତି ପ୍ରଦତ୍ତ ମାଗଣା  ଅମ୍ଳଜାନକୁ ଟଙ୍କା ଖର୍ଚ୍ଚକରି ବିଷାକ୍ତ କରୁଛୁ ।

ଦୀପାବଳି ଆସିଲେ "ବର୍ଣ୍ଣୱାର୍ଡ'  ଖୋଜାପଡ଼େ, ଆଉ କେହି ଆହତ ସେଠାକୁ  ଆସନ୍ତି । ଦୁଃଖଲାଗିଲା ସେ ଛୋଟପିଲାଟିକୁ  ଦେଖି, ଯିଏ ଆକାଶର ବାଣ ରୋଷଣୀକୁ  ଦେଖି ଖୁସି ହେଉଥିବାବେଳେ କୁଆଡ଼ୁ ଆସି  ହାବେଳି ବାଣଟାଏ ତା'ଉପରେ ପଡ଼ିଯିବାରୁ ତା'  ଗାଲ ଖଣ୍ଡିଆ ହୋଇଗଲା ଆଉ ତାକୁ ରକ୍ତାକ୍ତ  ଅବସ୍ଥାରେ ଡାକ୍ତରଖାନା ନେବାକୁ ପଡ଼ିଲା । ସେ  ବାଣ ଲଗାଇଥିଲା କିଏ ଅଥଚ କଷ୍ଟ ଭୋଗୁଛି  ଆଉ କିଏ । ସେମିତି ଦୀପାବଳି ପରଦିନର ସବୁ  ପ୍ରମୁଖ ଖବରକାଗଜର ମୁଖ୍ୟ ଖବର ଥିଲା:  ଦୀପାବଳି ପରେ ଦିଲ୍ଲୀର ବାୟୁମଣ୍ଡଳ ଅତ୍ୟନ୍ତ  ପ୍ରଦୂଷିତ ହୋଇ ବିଶ୍ୱର ସବୁଠୁ ପ୍ରଦୂଷିତ ସହର  ହୋଇଯାଇଛି । ଆଉ ଏହି ତାଲିକାର ଶ୍ରେଷ୍ଠ ଦଶ  ମଧ୍ୟରେ ଭାରତର ମୁମ୍ବାଇ ଓ କୋଲକତା ମଧ୍ୟ  ସ୍ଥାନପାଇଛି । ଆହୁରି ଖବର ଆମ ଓଡ଼ିଶାର:  ଜଳିଲା, ପୋଡ଼ିଲା ଆଉ ଜୀବନ ବି ନେଲା । ଜଳିଲା  ବାଣ ରୂପରେ ଟଙ୍କା, ପୋଡ଼ିଲା ଶରୀର, ଗାଡ଼ି,  ଘର ଆଉ କେତେ କ'ଣ! ତାହା ପୁଣି କାହାର  ଜୀବନ ନେଲା ତ କାହାର ହାତପାପୁଲି ଛିଣ୍ଡାଇ,  ଆଖିଫୁଟାଇ ପଙ୍ଗୁ କରିଦେଲା, ତଥାପି ଅମାନିଆ  ବାଣ ଫୁଟେଇଲେ ଆଉ ସବୁ କଟକଣାକୁ ଆଡ଼େଇ  ଗଲେ । ସବୁଜ ବାଣରେ  ମନ ମାନିଲାନି କି ଦୁଇଘଣ୍ଟାର ଅବଧି ଅଣ୍ଟିଲାନି  ତାଙ୍କୁ, ହଜେଇ ଦେଲେ ରୋଗୀ ଆଖିର ନିଦ  ଆଉ ନଷ୍ଟ କରିଦେଲେ ପିଲାଙ୍କର ପଢ଼ା ସମୟ ।  ଦୁଇଘଣ୍ଟାର ବାଣଫୁଟାରେ ସଂଯମତାର ଆବେଦନ  କାମ କଲାନି । ଓଲଟି ଦୁଇଦିନର ଢୋ ଢା ପାଇଁ  ଆମ ରାଜଧାନୀ ସ୍ଥିତି ସଙ୍ଗୀନ ହୋଇଗଲା ଆଉ  ବାୟୁ ଗୁଣବତ୍ତା ସ୍ତର ୨୫୦ରୁ ୩୭୦  ମଧ୍ୟରେ ରହିଲା, ଯାହା ଜୀବଜଗତ  ପାଇଁ ଅତ୍ୟନ୍ତ କ୍ଷତିକାରକ । ବାୟୁର  ଏହି ଗୁଣବତ୍ତା ସ୍ତର ୫୦ରୁ କମ୍‌  ରହିଲେ ସୁରକ୍ଷିତ ଏବଂ ୧୦୦ ମଧ୍ୟରେ  ସୀମିତ ରହିଲେ ସନ୍ତୋଷଜନକ  ବୋଲି ବିବେଚନା କରାଯାଏ ।

ଦୀପାବଳିରେ ବାଣ  ନଫୁଟେଇଲେ ଲୋକେ କ'ଣ କହିବେ ବୋଲି  ଅନେକଙ୍କର ଡର । ହେଲେ ଖରାପ କାମକୁ  ସିନା ଡର! ଭଲକାମରେ ଆଉ ସମସ୍ତଙ୍କର  ମଙ୍ଗଳକାମନା କରିବାରେ ଭୟ କାହିଁକି । ତଥାପି  ଆମେ ସଚେତନ ନହେଲେ ଆଗକୁ ବଞ୍ଚିହେବନି ।  ଆମ ଅହଙ୍କାର ଆମକୁ ପ୍ରଚୋଦିତ କରେ ଅନ୍ୟକୁ  ଆମର ଧନ, ଜନ ଅବା ବାହୁବଳର ବଡ଼ିମା  ଦେଖେଇ ଗର୍ବରେ ନିଜକୁ ନିଜେ ଫୁଲିବାକୁ ।  କିନ୍ତୁ ତା'ର ଶେଷ ପରିଣତି ଯେ ଫାଟିବା, ଏହି  ଜ୍ଞାନ ମଧ୍ୟ ରହିବା ଆବଶ୍ୟକ । ଯେପରି ବିରାଟ  ରୂପ ଧାରଣ କରିଥିବା ବେଲୁନ୍‌ରେ ସାମାନ୍ୟ  ପିନ୍‌କଣ୍ଟାଟିଏ ଫୁଟାଇଦେଲେ ତାହା ନିଜର ପୂର୍ବ  ରୂପ ଫେରିପାଏ । ସେହିଭଳି ମଣିଷର ଗର୍ବ  ଖର୍ବହେବାକୁ ମୁହୂର୍ତ୍ତଟିଏ ବି ଲାଗିନଥାଏ । ଆଜି  ସୁନ୍ଦରତା ଶସ୍ତା ହୋଇଛି ଆଉ ଚରିତ୍ର ମହଙ୍ଗା,  ଘଡ଼ି ଶସ୍ତା ହୋଇଛି ଆଉ ସମୟ ମହଙ୍ଗା ।  ଆହୁରି ଶସ୍ତା ହୋଇଛି ହିତ ଉପଦେଶ ସମସ୍ତେ  ଦେବାକୁ ତତ୍ପର, କିନ୍ତୁ ନେବାକୁ କେହି ନାହାଁନ୍ତି ।  ସର୍ବୋପରି ପରମାତ୍ମାଙ୍କର ଅମୂଲ୍ୟ ବରଦାନ  ମାନବ ଜୀବନ ଅନେକ ସମୟରେ ଅବେଳରେ  ଆଉ ଅକାରଣରେ ନଷ୍ଟ ହୋଇଯାଉଛି । ଯାହାପାଇଁ  ଆମର ଅତ୍ୟଧିକ ଆଶା ବୃଥା ଅଭିଯୋଗ  ଆଉ ମିଥ୍ୟା ଅହମିକା ଦାୟୀ । କଥାଟିଏ ଅଛି:  Life is full of blessings. Sometimes we don’t value it. So value what you have in life without complain ଏହି ପ୍ରସଙ୍ଗରେ ପ୍ରଖ୍ୟାତ କବି ସେକସ୍ପିୟରଙ୍କ  ଉକ୍ତିଟିଏ ଉଦ୍ଧାର କରିବା ପ୍ରାସଙ୍ଗିକ ମନେକରେ:  I cried when I had no shoes. But I stopped crying when I saw a man without leg...... ଶେଷକଥା, ସବୁଥିରେ ଗୋଟିଏ ସୀମା  ଥାଏ । ସମଗ୍ର ଜୀବମଣ୍ଡଳ ତିଷ୍ଠିରହିବା ପାଇଁ  ସ୍ରଷ୍ଟା ଭଗବାନ ଯେଉଁ ସୀମା ନିର୍ଦ୍ଧାରଣ କରିଛନ୍ତି  ସେହି ସୀମାରେଖା ମଧ୍ୟରେ ଆମେ ଆବଦ୍ଧ ରହିବା  ଉଚିତ୍‌ । ଅହଙ୍କାରବଶତଃ ମଣିଷ ଯଦି ସେ  ସୀମାପାର ହେବାକୁ ଚେଷ୍ଟାକରିବ ତେବେ ପ୍ରକୃତି  ପ୍ରଳୟ ରଚିବା ସ୍ୱାଭାବିକ । ଯାହାର ଅନେକ ସୂଚନା  ଆମେ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ  ମାଧ୍ୟମରେ ବହୁବାର ପାଇସାରିଲୁଣି । ତଥାପି  ସଚେତନ ନହେଲେ ମାନବ ସମାଜର କ୍ଷତିହେବା  ସହିତ ସୁନ୍ଦର ସୃଷ୍ଟିରେ ମଧ୍ୟ ଆମ କୃତକର୍ମ ପାଇଁ  ବିପର୍ଯ୍ୟୟ ଆସିବ । ସାଧୁ ସାବଧାନ ।