ନୂଆଦିଲ୍ଲୀ: ଦିନକୁ ଦିନ ଆଇ ଲଭ ମହମ୍ମଦ ବିବାଦ ଘନେଇବାରେ ଲାଗିଛି। ଯେଉଁଥିପାଇଁ ସମଗ୍ର ଦେଶରେ ଏନେଇ ବିରୋଧ ପ୍ରଦର୍ଶନ ଓ ହିଂସା ପରିଲକ୍ଷିତ ହେବାରେ ଲାଗିଛି। ମହାରାଷ୍ଟ୍ରର ଅହିଲ୍ୟାନଗରର ମିଲିୱାଡା ଅଞ୍ଚଳରେ ରବିବାର ବିଳମ୍ୱିତ ରାତିରେ କେହି ଜଣେ ରାସ୍ତା କଡରେ ଆଇ ଲଭ ମହମ୍ମଦ ନାମରେ ଏକ ଗ୍ରାଫିଟି(ସ୍ପ୍ରେ ପେଣ୍ଟ ଯୋଗେ ଅଙ୍କାଯାଉଥିବା ଚିତ୍ର) ଆର୍ଟ ଆଙ୍କିଥିଲେ। ସୋମବାର ସକାଳ ସୁଦ୍ଧା ଏହାକୁ ନେଇ ଏକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଥିଲା। ଯେଉଁଥିପାଇଁ ସ୍ଥାନିୟ ସଂଖ୍ୟାଲଘୁ ଗୋଷ୍ଠିର ଯୁବକମାନେ ଅହିଲ୍ୟାନଗର-ସମ୍ଭାଜୀ ହାଇୱେ ରାସ୍ତା ରୋକ କରିଥିଲେ।

ଖାଲି ଏତିକି ନୁହେଁ ସ୍ଥାନିୟ ଲୋକମାନେ ଏକଥା ନେଇ ପାଖ ପୋଲିସ ଥାନାରେ ଅଭିଯୋଗ ମଧ୍ୟ ଦାୟର କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଏହି ଗ୍ରାଫିଟି ଆର୍ଟ ଆଙ୍କିଥିବା ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ଗିରଫ ହେଲା ପରେ ମଧ୍ୟ ଲୋକମାନଙ୍କର ପ୍ରତିବାଦ ଥମି ନଥିଲା। ଅହିଲ୍ୟାନଗର ଅଞ୍ଚଳରୁ ଆରମ୍ଭ ହୋଇଥିବା ଏହି ପ୍ରତିବାଦ ତୋଫଖାନା ଥାନା ଅଧିନ କୋଟଲା ଯାଏ ବ୍ୟାପିଯାଇଥିଲା।

ସୋମବାର ସକାଳ ଟା ସମୟରେ ଏକ ପ୍ରତିବାଦ ଚାଲିଥିବା ବେଳେ ସେଠାରେ ଉପସ୍ଥିତ ପୋଲିସଙ୍କ ଉପରକୁ ପଥରମାଡ କରାଯାଇଥିଲା। ଯବାବରେ ପୋଲିସ ପ୍ରଦର୍ଶନକାରିଙ୍କ ଉପରେ ମୃଦୁ ଲାଠିଚାଳନା କରିଥିଲା।  ଏନେଇ ଅହିଲ୍ୟାନଗର ପୋଲିସ ସୂଚନା ଦେଇ କହିଛି ଯେ, ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧିନ ରହିଛି। ତେବେ ହିଂସାରେ ସାମିଲଥିବା ଅଭିଯୋଗରେ ୩୦ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଅଟକ ରଖିଛି।

ଏହି ହିଂସାତ୍ମକ ବିରୋଧ ପ୍ରଦର୍ଶନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେଏହି ବିବାଦ ପଛର କାରଣ କଣ ତାହା ଜାଣିବାକୁ ଆମ ଚେଷ୍ଟା ଜାରି ରହିଛି। ଆମେ ଏହା ମଧ୍ୟ ଜାଣିବାକୁ ଚାହୁଁ ସମାଜରେ କିଏ ଫାଟ ସୃଷ୍ଟି କରୁଛି। ଲୋକସଭା ନିର୍ବାଚନ ସମୟରେ ଯେପରି ଅପଚେଷ୍ଟା କରାଯାଇଥିଲା ସେହିପରି ବର୍ତ୍ତମାନ କେହି ଅପଚେଷ୍ଟା କରିବାକୁ ଚେଷ୍ଟା କରୁଛନ୍ତି କି? ସମସ୍ତଙ୍କର ନିଜ ଧର୍ମ ପାଳନ କରିବାର ଅଧିକାର ଅଛି, କିନ୍ତୁ ଏହିପରି ଭାବରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବା ମସ୍ତବଡ ଭୁଲ।

ଆପଣଙ୍କୁ ଜଣାଇରଖୁ ଯେ, ଏହି ଆଇ ଲଭ ମହମ୍ମଦ ବିବାଦ ଚଳିତ ମାସ ପ୍ରଥମାର୍ଦ୍ଧରେ କାନପୁରରେ ହୋଇଥିବା ବାରୱାଫତ ଶୋଭାଯାତ୍ରାରୁ ଆରମ୍ଭ ହୋଇଛି। ଏହା ପରେ ଏହି ବିବାଦ ଧିରେଧିରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ତେଲେଙ୍ଗାନା ଏବଂ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ରାଲି ଏବଂ ପ୍ରଦର୍ଶନରେ ପରିଣତ ହୋଇଛି। ସେହିଭଳି ବରେଲି ଓ ନାଗପୁରରେ ଏନେଇ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଥିବା ବେଳେ ଉନ୍ନାଓ, ଲକ୍ଷ୍ନୋ ଓ ହାଇଦ୍ରାବାଦ ଭଳି ଅଞ୍ଚଳରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା।

ଅହିଲ୍ୟାନଗର ଗ୍ରାଫିଟି ଘଟଣା ବର୍ତ୍ତମାନ ଆଇ ଲଭ ମହମ୍ମଦପ୍ରଦର୍ଶନ ସହ ଜଡିତ ଅଶାନ୍ତିର ଶୃଙ୍ଖଳକୁ ଆହୁରି ବୃଦ୍ଧି କରିଛି। ପୋଲିସ ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଆଗକୁ ପ୍ରଦର୍ଶନ ବଢିପାରେ ବୋଲି ଅନୁମାନ କରାଯାଉଛି। ତେବେ ମହାରାଷ୍ଟ୍ର କର୍ତ୍ତୃପକ୍ଷ ଏନେଇ ସତର୍କ ଥିବା ସୂଚନା ଦେଇଛନ୍ତି।