ମୁମ୍ୱାଇ,୦୫/୧୧: ଚଳିତ ବର୍ଷର କେରଳ ରାଜ୍ୟ ଚଳଚ୍ଚିତ୍ର ସମ୍ମାନରେ ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଚିତ୍ରନାଟ୍ୟ ସମେତ ତମାମ ବଡ଼ ସମ୍ମାନ ହାସଲ କରିଛି ‘ମଞ୍ଜୁମ୍ମେଲ ବଏଜ୍‌’। ବିଭିନ୍ନ ବିଭାଗରେ ଏହା ମୋଟ୍‌ ୧୦ ପୁରସ୍କାର ଲାଭ କରିଛି । ଗତ ବର୍ଷ ମୁକ୍ତିପ୍ରାପ୍ତ ଚିଦମ୍ବରମ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସର୍ବକାଳୀନ ସର୍ବାଧିକ ବ୍ୟବସାୟ କରିଥିବା ମାଲାୟାଲମ୍‌ ଫିଲ୍ମ ହୋଇଥିଲା । ମାତ୍ର ୨୦ କୋଟି ବଜେଟ୍‌ରେ ପ୍ରସ୍ତୁତ ହୋଇ ଭାରତରେ ୧୪୧ କୋଟି ଏବଂ ବିଶ୍ୱସ୍ତରରେ ୨୪୦ କୋଟି ଆୟ କରିଥିଲା । ନିକଟରେ ମୁକ୍ତିପ୍ରାପ୍ତ ଦୁଲକର ସଲମାନଙ୍କ ‘ଲୋକା’ ରିଲିଜ୍‌ ପୂର୍ବରୁ ଏହା ଅନେକ ମାସ ଧରି ଶୀର୍ଷରେ ରହିଥିଲା ।

ତେବେ ବଡ଼ ସଫଳତା ପରେ ବି ‘ମଞ୍ଜୁମ୍ମେଲ ବଏଜ୍‌’ ବିବାଦ ଘେରକୁ ଆସିଥିଲା । ଫିଲ୍ମରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ଅଭିନେତା ସୌବିନ ଶାହିରଙ୍କ ବିରୋଧରେ ଅନ୍ୟତମ ପ୍ରଯୋଜକ ସିରାଜ ବାଲାୟିଥିରା ମାମଲା ରୁଜୁ କରିଥିଲେ । ସେ ଅଭିଯୋଗ କରିଥିଲେ, ସୌବିନ ଫିଲ୍ମ ନିର୍ମାଣରେ ୭ କୋଟି ଟଙ୍କା ନିବେଶ କରିବାକୁ କହିଥିଲେ । କିନ୍ତୁ ରିଲିଜ୍‌ ପରେ ଲାଭର ଭାଗ ଦେବାକୁ ମନା କରିଥିଲେ । ଏହି ଆର୍ଥିକ ଠକେଇ ମାମଲାରେ ସୌବିନଙ୍କୁ ଗିରଫ କରାଯାଇଥିଲା । ତେବେ ପରେ ତାଙ୍କୁ ଜାମିନ ମିଳିଥିଲା । ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି । ‘ମଞ୍ଜୁମ୍ମେଲ ବଏଜ୍‌’ ୨୦୦୬ ମସିହାରେ ଗୁନା ଗୁମ୍ଫାରେ ସଂଘଟିତ ଏକ ବାସ୍ତବ କାହାଣୀ ଉପରେ ପର୍ଯ୍ୟବେସିତ । ଏଥିରେ କିଛି ସାଙ୍ଗ ମିଶି ଛୁଟିରେ କୋଡାଇକେନାଲ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଗୁନା ଗୁମ୍ଫାରେ ଫସିଯିବା ପରେ ସେମାନଙ୍କ ଗସ୍ତ ଦୁର୍ଘଟଣାରେ ବଦଳିଗଲା ।