ଭୁବନେଶ୍ୱର,୪/୧୧: ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ମାଓ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି । ଜଣେ ଯୌନ ପିପାଷୁ ବସ୍‌ଷ୍ଟାଣ୍ଡରେ ଶୋଇଥିବା ଅବସ୍ଥାରେ ମାଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛି । ଅଭିଯୋଗ ପାଇ  ଭରତପୁର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ  ହେଲା ଗଞ୍ଜାମ ବେଗୁନିଆପଡ଼ାର ପବିତ୍ର କହଁର(୩୯) । ପବିତ୍ର ପୋକ୍‌ସୋ କୋର୍ଟକୁ ଚାଲାଣ କରାଯାଇଛି । 

ସୂଚନା ଅନୁଯାୟୀ, ଗଞ୍ଜାମ  ଜିଲ୍ଲାର ଜଣେ ମହିଳା ଗତକାଲି ସନ୍ଧ୍ୟାରେ ତାଙ୍କ  ନାବାଳିକା ଝିଅ ସହ  ବରମୁଣ୍ଡା(ବିଏସ୍‌ଏବିଟି) ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ ।  ଏହି ସମୟରେ ମହିଳାଙ୍କୁ ନିଦ ହୋଇ ଯାଇଥିଲା । ଏହାର ସୁଯୋଗ ନେଇ  ପବିତ୍ର ପ୍ରଥମେ ମହିଳାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିଲା ।  ସେ ପାଟି କରି ଉଠିବାରୁ ପବିତ୍ର ତାକୁ ଛାଡ଼ି ଦେଇଥିଲା । ପରେ ମହିଳାଙ୍କୁ ମଧ୍ୟ ଦୁଷ୍କର୍ମ ଉଦ୍ୟମ କରିଥିଲା । ମହିଳା ଜଣଙ୍କ ନିଦରୁ ଉଠି ଚିତ୍କାର  କରିବାରୁ ପବିତ୍ର ସେଠାରୁ ଦୌଡ଼ି ପଳାଇଥିଲା । ମହିଳାଙ୍କ ପାଟି ଶୁଣି ଆଖପାଖ  ଲୋକେ ସେଠାରେ ପହଞ୍ଚିଥିଲେ । ମହିଳାଙ୍କଠାରୁ ଘଟଣା ସମ୍ପର୍କରେ ଜାଣି  ଭରତପୁର ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ସଙ୍ଗେ  ସଙ୍ଗେ ବସ୍‌ଷ୍ଟାଣ୍ଡର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା । ବସ୍‌ ଯୋଗେ ଖସି  ପଳାଇବାକୁ ଉଦ୍ୟମ କରୁଥିବା ବେଳେ ବସ୍‌ ଟର୍ମିନାଲ ନିକଟରୁ ପୁଲିସ  ପବିତ୍ରଙ୍କୁ ଉଠାଇ ନେଇଥିଲା । ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ  ଏକ ମାମଲା ରୁଜୁକରି ପବିତ୍ରକୁ ଗିରଫ କରିଥିଲା । ଏହି ଘଟଣା ପ୍ରଘଟ  ହେବା ପରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳି ଯାଇଛି