ମଣିଷ-ମଣିଷ ମଧ୍ୟରେ ଭାବଗତ ସମ୍ପର୍କ ହ୍ରାସ  ପାଇଚାଲିଛି । ‘ଋଣଂ କୃତ୍ୱା ଘୃତଂ ପିବେତ୍‌'  ବଦଳରେ "ଚୂନାକୁ ଦେଖି ପିଠା' ନୀତିକୁ  ଆପଣେଇବା ଉଚିତ । କେବଳ ନିଜର  ଆବଶ୍ୟକତାକୁ ନିୟନ୍ତ୍ରଣ କରି ଓ ଆୟକୁ  ଦେଖି ବ୍ୟୟ କରିବାର କଳାକୁ ଆପଣେଇଲେ  ଏଥିରୁ ମୁକୁଳି ପାରିବ । ବଜାରିକରଣ  କବଳିତ ଜୀବନ କେବେ ଏଥିରୁ ମୁକୁଳିବ  ତାହା ସମୟ ହିଁ କହିବ ।

prakasha

ଗତ ନବେ ଦଶକର କଥା । ଏହି ଲେଖକଙ୍କ ବନ୍ଧୁ  ମିଶ୍ରବାବୁ ତାଙ୍କ ଦୁଇ ଭାଇଙ୍କ ସହ ଗୋଟିଏ ଘରେ  ରହୁଥିଲେ । ସେମାନଙ୍କ ମାଆବାପା ମଧ୍ୟ ସେହି ଘରେ  ରହୁଥିଲେ । ସେମାନଙ୍କ ଚଳଣି ସେ ସମୟରେ ଖୁବ୍‌ ଭଲ  ଥିଲା । ତିନି ଭାଇ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିଲେ ।  ନିଜେ ମିଶ୍ରବାବୁ ଗୋଟିଏ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ  ଥିଲେ । ତାଙ୍କ ତଳ ଭାଇ ସେହି ଗାଁରେ ଗୋଟିଏ ତେଜରାତି  ଦୋକାନ କରିଥିଲେ ଓ ସବା ସାନଭାଇ ସେମାନଙ୍କର  ଥିବା ଜମିରେ ଚାଷବାସ କରୁଥିଲେ । ଘରେ ସେମାନଙ୍କ  ପତ୍ନୀମାନେ ମିଳିମିଶି ରୋଷେଇଠାରୁ ଆରମ୍ଭ କରି ପିଲାଙ୍କ  ଯତ୍ନ ଓ ଘରର ସମସ୍ତ କାମ କରୁଥିଲେ । ସେମାନଙ୍କ ଘରେ  ପିଲାମାନଙ୍କୁ ମିଶାଇ ମୋଟ୍‌ ଅଠର ଜଣ ସଦସ୍ୟ ଥିଲେ ।  ସେମାନଙ୍କ ମଧ୍ୟରେ ପ୍ରେମ, ଆଦର, ସମ୍ମାନ, ସହଯୋଗିତା  ଓ ସହଭାଗିତା ବଳବତ୍ତର ଥିଲା । ସମସ୍ତେ ହସଖୁସି ତଥା  ସୁଖଦୁଃଖରେ ମିଳିମିଶି ରହୁଥିଲେ । ମିଶ୍ରବାବୁଙ୍କ ଘରେ  ଗୋଟିଏ ରୋଷେଇଘର ଥିଲା ଯେଉଁଠାରେ ସମସ୍ତଙ୍କ ପାଇଁ  ରୋଷେଇ ହେଉଥିଲା । ଘରେ ଗୋଟିଏ ଟିଭି ଥିଲା ଯେଉଁଠି  ସମସ୍ତେ ବସି ଟିଭି ଦେଖୁଥିଲେ । ଘରେ ଗୋଟିଏ ଠାକୁରଘର  ଥିଲା ଯେଉଁଠି ସମସ୍ତେ ବସି ପୂଜାର୍ଚ୍ଚନା କରୁଥିଲେ ।  ସେମାନଙ୍କ ପାଞ୍ଚ ବଖରା ଘରେ ଫ୍ରିଜ, ଗ୍ରାଇଣ୍ଡର ଭଳି  ପ୍ରତ୍ୟେକ ଗୃହ ସରଞ୍ଜାମ ଗୋଟିଏ ଗୋଟିଏ ଥିଲା । ଗୋଟିଏ  ଟେଲିଫୋନ ଥିଲା ଯେଉଁଥିରେ ଆବଶ୍ୟକ ପଡିଲେ ଦୂରରେ  ଥିବା ବନ୍ଧୁମାନଙ୍କ ସହ ସେମାନେ କଥା ହେଉଥିଲେ ।  ମୋଟ୍‌ ଉପରେ କହିବାକୁ ଗଲେ ମିଶ୍ରବାବୁଙ୍କ ପରିବାର  ଗୋଟିଏ ହସଖୁସିର ଯୌଥ ପରିବାର ଥିଲା । ଆମେ ଆମ  ଜୀବଦ୍ଦଶାରେ ଏହିଭଳି ପରିବାର ଅନେକ ଦେଖିଛୁ  ଓ ଏହିଭଳି ପରିବାରରେ ଆମର ବାଲ୍ୟକାଳ କଟିଛି ।  ଏବେ କିନ୍ତୁ ସମୟ ବଦଳିଛି । ତିନି ଭାଇ ଗୋଟିଏ ଛାତ  ତଳେ ରହିବା ବଦଳରେ ତିନିଟି ଅଲଗା ଅଲଗା ଘରେ  ରହୁଛନ୍ତି । ସେମାନଙ୍କର ଏବେ ତିନିଟା ରୋଷେଇ ଘର,  ତିନିଟା ଠାକୁର ଘର, ପ୍ରତି ଘରେ ଏକାଧିକ ଟିଭି, ଫ୍ରିଜ,  ୱାଶିଂ ମେସିନ ଓ ଅନ୍ୟାନ୍ୟ ଗୃହ ସରଞ୍ଜାମ । ସମସ୍ତଙ୍କ  ହାତରେ ଦାମୀ ମୋବାଇଲ ଫୋନ ଓ ଯିବା ଆସିବା  ପାଇଁ ପ୍ରତ୍ୟେକ ସଦସ୍ୟଙ୍କର ମୋଟର ସାଇକେଲ ବା  କାର୍‌ । ଏହାକୁ ଆମେ କହୁଛୁ ଏକକ ପରିବାର ବା ଅଣୁ  ପରିବାର ଯେଉଁଥିରେ ମାଆ, ବାପା ଓ ସେମାନଙ୍କର  ଗୋଟିଏ ବା ଦୁଇଟି ପିଲା ।

ତେବେ ଏହି ଅଣୁ ପରିବାର ସୃଷ୍ଟି କେବେଠାରୁ ଓ  କାହିଁକି ଆମ ଦେଶରେ ଆରମ୍ଭ ହେଲା? ଯେତେବେଳେ  ଆମ ଦେଶରେ ପଶ୍ଚିମୀ ଉପନିବେଶବାଦୀ ଭାବନା ଉଦ୍ରେକ ହେଲା, ଉଦ୍ୟୋଗୀକରଣକୁ ପ୍ରାଥମିକତା ଦିଆଗଲା  ସେତେବେଳେ ଆମ ଦେଶରେ ପ୍ରଥମେ ଏକ ବଜାର  ସୃଷ୍ଟିର ଆବଶ୍ୟକତା ପଡ଼ିଲା । କାରଣ ସେତେବେଳେ  ଭାରତରେ ଅଧିକାଂଶ ପରିବାର ଯୌଥ ଥିଲା, ଯେଉଁଠାରେ  ଖର୍ଚ୍ଚ କମ୍‌ କରି ସଞ୍ଚୟକୁ ଗୁରୁତ୍ୱ ଦିଆଯାଉଥିଲା । ସାମୂହିକ  ଭାବନା ବଳବତ୍ତର ଥିଲା । ଏଭଳି କ୍ଷେତ୍ରରେ ବଜାରରେ  କାରବାର ବଢ଼ିବା ସମ୍ଭାବନା କମ୍‌ ହେବା ସ୍ୱାଭାବିକ ।  

ଉଦ୍ୟୋଗୀକରଣରେ ଉପଭୋକ୍ତା ବୃଦ୍ଧି ସହ କିଣିବାର କ୍ଷମତା  ମଧ୍ୟ ବଢ଼ିବାର ଆବଶ୍ୟକତା ରହିଛି । ଦେଶର ଅର୍ଥନୈତିକ  ଅଭିବୃଦ୍ଧି ପାଇଁ ଏସବୁର ଗୁରୁତ୍ୱ ରହିଛି । ସେଥିପାଇଁ ନୂଆ  ନୂଆ ସାମଗ୍ରୀର ବଜାର ପ୍ରବେଶ, ସେଗୁଡ଼ିକର ବିକ୍ରି ପାଇଁ  ଲୋଭନୀୟ ବିଜ୍ଞାପନକୁ ଆୟୁଧ କରାଯାଇ ଉପଭୋକ୍ତା ସୃଷ୍ଟି କରାଗଲା। ଉପଭୋକ୍ତାଙ୍କୁ ସହଜ ବ୍ୟାଙ୍କ ଋଣ ପ୍ରଦାନର  ବ୍ୟବସ୍ଥା କରାଯାଇ ସେମାନଙ୍କଠାରେ କ୍ରୟ କରିବାର କ୍ଷମତା  ସୃଷ୍ଟି କରାଗଲା । କ୍ରମେ ଏହାର ଫଳାଫଳ ସମାଜରେ ନଜର  ଆସିଲା । ଯୌଥ ପରିବାରଗୁଡିକ ବିଭିନ୍ନ କାରଣ ପାଇଁ  ଭାଙ୍ଗିବାକୁ ଲାଗିଲା । ସହରିକରଣ, ନିଯୁକ୍ତି ସନ୍ଧାନରେ ଦୂର  ସ୍ଥାନକୁ ଗମନ ଓ ବ୍ୟକ୍ତିଗତ ସ୍ୱାଧୀନତା ଆଳରେ ଯୌଥ  ପରିବାରଗୁଡ଼ିକ କ୍ରମେ ଭାଙ୍ଗିବାକୁ ଲାଗିଲା । ଯେଉଁଠାରେ  ତିନି ଭାଇ ଏକତ୍ର ରହି ଗୋଟିଏ ଗୋଟିଏ ଗୃହ ସମଗ୍ରୀରେ ଚଳୁଥିଲେ, ସେଠାରେ ପରବର୍ତ୍ତୀ ସମୟରେ ତିନି ତିନିଟି  ଗୃହ ସାମଗ୍ରୀ କିଣାଗଲା । କ୍ରମେ ଭାରତ ହୋଇଗଲା ଏକ  ବିଶାଳ ଉପଭୋକ୍ତାର ବଜାର। ଯେଉଁ ଭାରତ ଦିନେ ଯୌଥ  ପରିବାର, ମଜଭୁତ ପରିବାରର ସଂଜ୍ଞା ବହନ କରୁଥିଲା  ତାହା କ୍ରମେ ଦୁର୍ବଳ ହେବାକୁ ଲାଗିଲା । ଭାରତକୁ ଅନେକ  ବିଦେଶୀ ଶାସକ ଆସି ହଜାର ହଜାର ବର୍ଷ ଧରି ଶାସନ  କରିଥିଲେ ମଧ୍ୟ ଯୌଥ ପରିବାରର ମୂଳଦୁଆ ଦୋହଲି  ନଥିଲା । ମାତ୍ର ସ୍ୱାଧୀନତା ପରବର୍ତ୍ତୀ ଆଧୁନିକ ଭାରତ ତାର  ସେହି ପୁରାତନ ଭାରତୀୟ ପରମ୍ପରାଠାରୁ ଦୂରେଇଗଲା ।  

ଗୋଟିଏ ପରିବାରରେ ତିନି ପିଢ଼ିର ସମାହାର ଭିତରେ  ଦେଖିବାକୁ ମିଳୁଥିଲା ପ୍ରୌଢ଼ମାନଙ୍କ ଅନୁଭବ ଓ ଅଭିଜ୍ଞତା,  ପରିବାରରେ ଅନୁଶାସନ, ଖର୍ଚ୍ଚର ସାମୂହିକତା, ସୁଖ ଦୁଃଖର  ସହଭାଗୀତା, ଯାହା କ୍ରମେ ମଳିନ ପଡ଼ିବାକୁ ଲାଗିଲା । ଉଦ୍ୟୋଗୀକରଣ ବା ବଜାରିକରଣର ମୂଳ ଉତ୍ପତ୍ତି  ହେଉଛି ପଶ୍ଚିମ ସଭ୍ୟତା, ଯେଉଁଥିରେ ବ୍ୟକ୍ତିଗତ  ସ୍ୱାଧୀନତା ବା ସ୍ୱତନ୍ତ୍ରତାକୁ ଗୁରୁତ୍ୱ ଦିଆଯାଏ । ଯୌଥ  ପରିବାରରେ ମିଳିମିଶି ବା ବରିଷ୍ଠ ସଦସ୍ୟଙ୍କ ମତକୁ ସମସ୍ତ  ପରିବାର ସଦସ୍ୟ ଗ୍ରହଣ କରିବାର ପ୍ରଥାକୁ ବ୍ୟକ୍ତିଗତ  ମତର ପରିପନ୍ଥୀ ବୋଲି ବିଚାର କରାଗଲା । ନିଜର ମନ  ମୁତାବକ ଖାଇବା ପିଇବା, ପୋଷାକ ପିନ୍ଧିବା, ଭ୍ରମଣ  କରିବା, ବିଭିନ୍ନ ପ୍ରସଙ୍ଗରେ ନିଷ୍ପତ୍ତି ନେବା ଆଦି ଯୌଥ  ପରିବାରରେ ସମ୍ଭବ ନୁହେଁ ବୋଲି ଧାରଣା ଲୋକଙ୍କ  ମନରେ ସୃଷ୍ଟି କରାଗଲା । କ୍ରମେ ଅର୍ଥନୈତିକ ସ୍ୱାଧୀନତା  ତଥା ସ୍ୱାବଲମ୍ବୀ ଓ ବ୍ୟକ୍ତି ସ୍ୱାଧୀନତାର ଦ୍ୱାହି ଦେଇ ଯୌଥ  ପରିବାରଗୁଡିକ ଭାଙ୍ଗିବାକୁ ଲାଗିଲା । କିନ୍ତୁ ଦେଖାଗଲା  ଯେ, ଏକକ ବା ଅଣୁ ପରିବାରରେ କେବଳ ଭୌତିକ  ସୁବିଧା ମିଳୁଥିବାବେଳେ ଯୌଥ ପରିବାରର ଆନନ୍ଦ  ନାହିଁ । ଏକକ ପରିବାରରେ ଆୟ ସ୍ରୋତ ସୀମିତ ହେବାରୁ  ଘରର ମହିଳାମାନଙ୍କୁ ଆୟ କରିବାକୁ ପଡ଼ିଲା । ଫଳରେ  ପିଲାମାନଙ୍କୁ ଉପଯୁକ୍ତ ଲାଳନ ପାଳନରେ ବାଧା ଉପୁଜିଲା ।  ପରିବାରର ସଦସ୍ୟମାନେ ବିଶେଷକରି ପିଲାମାନଙ୍କ  କ୍ଷେତ୍ରରେ ଏକଲାପଣ ଅଧିକ ଦେଖାଗଲା । ଅନେକ ଏକକ  ପରିବାର ଗୋଟିଏ ବା ଦୁଇଟି ଛୁଆ ଜନ୍ମ କରିବାକୁ ସିଦ୍ଧାନ୍ତ  ନେବାପରେ ଏହା ଏକଲାପଣକୁ ଅଧିକ ବିସ୍ତାର କଲା । ଫଳରେ ସୃଷ୍ଟି ହେଲା ଉଦାସପଣ, ପାରିବାରିକ ଝଗଡ଼ା ।  ଛୋଟ ପିଲାମାନେ ଜେଜେବାପା, ଜେଜେମାଆ, ଦଦେଇ-ଦେଠେଇ ବା କକେଇ-ଖୁଡ଼ୀ ଆଦି ଗୁରୁଜନଙ୍କ ସାନ୍ନିଧ୍ୟରୁ  ବଞ୍ଚିତ ହେଲେ । ଗୁରୁଜନମାନଙ୍କ ପ୍ରେମ, ଆଦର ଓ  ମାର୍ଗଦର୍ଶନରୁ ସେମାନେ ବଞ୍ଚିତ ରହିଲେ । ସମ୍ପର୍କ ଓ ସମ୍ବନ୍ଧ  ସେମାନଙ୍କଠାରେ କ୍ରମେ ଗୁରୁତ୍ୱହୀନ ହେଲା । ବୟସ୍କମାନେ  ଅଣଦେଖା ହେଲେ । ପରିଣତ ବୟସରେ ସେମାନଙ୍କ ଯତ୍ନ  ନେବା ପାଇଁ ସାମାଜିକ ସମସ୍ୟା ସୃଷ୍ଟିହେଲା । ଫଳରେ  ଭାରତ ଭଳି ଉଚ୍ଚ ପାରିବାରିକ ମୂଲ୍ୟବୋଧଭିତ୍ତିକ  ଦେଶରେ ସୃଷ୍ଟିହେଲା ଜରାନିବାସ । ପତି ପତ୍ନୀଙ୍କ ମଧ୍ୟରେ  ସୃଷ୍ଟ ଛୋଟିଆ ମନୋମାଳିନ୍ୟ ସମାଧାନ ପାଇଁ ପାଖରେ  ଗୁରୁଜନ ନରହିବାରୁ ମାମଲା କୋର୍ଟ କଚେରି ପର୍ଯ୍ୟନ୍ତ  ଯାଉଛି ଓ ଦେଶରେ ଛାଡ଼ପତ୍ର ସଂଖ୍ୟା ବଢୁଛି । ଆତ୍ମହତ୍ୟା  ଓ ଅପରାଧର କାରଣ ମଧ୍ୟ ଭୌତିକବାଦ ବୋଲି  ମନୋବିଜ୍ଞାନୀମାନେ ମତ ଦିଅନ୍ତି ।

ଭୋଗବାଦର ଏହି ସମୟରେ ମଣିଷକୁ ଅଧିକ  ଭୋଗବାଦୀ ଓ ବିଳାସବାଦୀ କରିବା ପାଇଁ ନିରନ୍ତର ପରୀକ୍ଷା  ନିରୀକ୍ଷା ଚାଲିଛି । ବିଜ୍ଞାପନ ମାଧ୍ୟମରେ ଜନସାଧାରଣଙ୍କୁ  ଭ୍ରମିତ କରାଯାଉଛି । ବଜାରିକରଣକୁ ପ୍ରୋତ୍ସାହନପୂର୍ବକ  ପଶ୍ଚିମୀ ସଭ୍ୟତା ଓ ପରମ୍ପରାକୁ ଆଧୁନିକ ପିଢ଼ିଙ୍କ  ଉପରେ ଲଦି ଦିଆଯାଉଛି । ଏବେ ଯୁବ ଓ କିଶୋର ଗୋଷ୍ଠୀ  ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଭୁଲି ପାଶ୍ଚାତ୍ୟ ପରମ୍ପରାକୁ  ଆଦରି ନେଉଛନ୍ତି । ବିବାହ ବାର୍ଷିକୀ, ପିତୃ ଦିବସ, ମାତୃ  ଦିବସ, ଜନ୍ମଦିନ, ଭାଲେଣ୍ଟାଇନ ସପ୍ତାହ ଭଳି ଅନେକ  ଦିବସ ପାଳନ ଓ ଦାମୀ ଉପହାର ଆଦାନ ପ୍ରଦାନ ଆଜିର  ଦିନରେ ଭୋଗବାଦକୁ ବଢ଼ାଉଛି । ବିବାହ ଓ ବ୍ରତ ଭଳି  ପବିତ୍ର ସାମାଜିକ ଉତ୍ସବ ଆଜି ଉଦ୍ୟୋଗୀକରଣ ଜାଲରେ  ବନ୍ଦୀ । ଏହାକୁ ବ୍ୟୟବହୁଳ କରିବାପାଇଁ ଟିଭି ସିରିଏଲ  ଓ ସିନେମାକୁ ଆୟୁଧ କରାଯାଉଛି, ଲୋକଙ୍କୁ ଭ୍ରମିତ  କରାଯାଉଛି । ଅନେକ ବଡ଼ ବଡ଼ ଇଭେଣ୍ଟ ମ୍ୟାନେଜମେଣ୍ଟ  ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କାର ପ୍ୟାକେଜ ପ୍ରସ୍ତୁତ କରି  ରଖିଛନ୍ତି ଓ ସୁଅମୁହଁରେ ପତର ଭଳି ଆଧୁନିକ ମଣିଷ  ଆଜି ସେଥିରେ ଭାସିଯାଉଛନ୍ତି । ଆଧୁନିକ ମଣିଷର ବ୍ୟାଙ୍କ  ଆକାଉଣ୍ଟ ଖାଲି କରିବାପାଇଁ ଅନେକ ବ୍ୟାବସାୟିକ ସଂସ୍ଥା  ଦିନରାତି ଏକ କରିଦେଉଛନ୍ତି । ବ୍ୟାଙ୍କ ଭଳି ଅର୍ଥ ଲଗାଣ  ସଂସ୍ଥା ବି ଏଥିପାଇଁ ପ୍ରସ୍ତୁତ । କ୍ରେଡିଟ କାର୍ଡ ନେବା ପାଇଁ  ଉପଭୋକ୍ତାମାନଙ୍କୁ ବିଭିନ୍ନ ପ୍ରଲୋଭନ ଦିଆଯାଉଛି । ଋଣ  କର ଓ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କର । ଶିକ୍ଷା, ସ୍ୱାସ୍ଥ୍ୟ,  କ୍ରୀଡ଼ା ଆଦି ପ୍ରତିଟି କ୍ଷେତ୍ର ଆଜି ବଜାରିକରଣରେ କବଳିତ ।  ଛୁଆ ଜନ୍ମଠାରୁ ମଣିଷର ମୃତ୍ୟୁ ଆଜି ଡାକ୍ତରଖାନାରେ ମୋଟା  ଅଙ୍କର ପ୍ୟାକେଜରେ ବନ୍ଧା । ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ  ପାଠପଢ଼ା ବଦଳରେ ପ୍ଲେ, ନର୍ସରି, ଏଲକେଜି, ୟୁକେଜି  ପାଇଁ ଲକ୍ଷ ଲକ୍ଷ ଟଙ୍କାର କାରବାର । ଏବେ ଭାରତୀୟ ସମାଜ  ଭୌତିକ ଚାକଚକ୍ୟ ଭିତରେ ଏପରି ହଜିଯାଉଛି ଯେ ନିଜର  ମୌଳିକ ସତ୍ତା ଭୁଲିଗଲେଣି । ପ୍ରତିଟି ଭାରତୀୟ ସାମ୍ପ୍ରତିକ  ବଜାର ବ୍ୟବସ୍ଥା ଭିତରେ ଗୋଟିଏ ଗୋଟିଏ କାଠ କଣ୍ଢେଇ  ହୋଇଗଲେଣି । ମଣିଷ-ମଣିଷ ମଧ୍ୟରେ ଭାବଗତ ସମ୍ପର୍କ  ହ୍ରାସ ପାଇଚାଲିଛି । ‘ଋଣଂ କୃତ୍ୱା ଘୃତଂ ପିବେତ୍‌' ବଦଳରେ  "ଚୂନାକୁ ଦେଖି ପିଠା' ନୀତିକୁ ଆପଣେଇବା ଉଚିତ ।  କେବଳ ନିଜର ଆବଶ୍ୟକତାକୁ ନିୟନ୍ତ୍ରଣ କରି ଓ ଆୟକୁ  ଦେଖି ବ୍ୟୟ କରିବାର କଳାକୁ ଆପଣେଇଲେ ଏଥିରୁ ମୁକୁଳି  ପାରିବ । ବଜାରିକରଣ କବଳିତ ଜୀବନ କେବେ ଏଥିରୁ  ମୁକୁଳିବ ତାହା ସମୟ ହିଁ କହିବ ।