ମାଲକାନଗିରି, ୩୧/୧୦: ଘର ଭିତରୁ ଉଦ୍ଧାର ହୋଇଛି ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ। ଏହା ଆତ୍ମହତ୍ୟା ନୁହେଁ ବରଂ ଝିଅକୁ ହତ୍ୟା କରି ଟାଙ୍ଗି ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର ଲୋକେ। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ମରଶରୀରକୁ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ମୃତ ମହିଳାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରା ଉଚରା ଚଲାଇଛନ୍ତି। ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସଦରମହକୁମା ପୈାରପରିଷଦ କାର୍ଯ୍ୟାଳୟ ନିକଟବର୍ତ୍ତି ଅଞ୍ଚଳରେ।
ସେହି ଅଞ୍ଚଳର ସ୍ୱର୍ଗତ ନିର୍ମଳ ବିଶ୍ବାସଙ୍କ ପୁଅ ରାଜେଶ ବିଶ୍ବାସଙ୍କ ଘରେ ଗୁରୁବାର ବିଳମ୍ବିତ ରାତିରେ ଏପରି ଅଭାବନୀୟ ଘଟଣା ଘଟିଛି। ରାଜେଶଙ୍କ ସ୍ତ୍ରୀ ଶଙ୍କରୀ ବିଶ୍ବାସ(୨୪) ଙ୍କ ମୃତ ଦେହ ଘର ଭିତରେ ଆଜି ସକାଳେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ମୃତ ଶଙ୍କରୀଙ୍କ ବାପା ଘର କାଲିମେଳା ଥାନା ଅନ୍ତର୍ଗତ ଏମପିଭି ୨୩ ନମ୍ବର ଗାଁରେ। ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଗତ ଦୁଇ ବର୍ଷ ତଳେ ବୈଦିକ ରୀତିନୀତି ଅନୁସାରେ ବିବାହ ହୋଇଥିଲା। ଜାନି ଯୌତୁକ ମଧ୍ୟ ଦିଆ ଯାଇଥିଲା କିନ୍ତୁ କିଛିଦିନ ହେବ ସ୍ବାମୀ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଲାଗି ରହିଥିଲା। ଫଳସ୍ବରୁପ ଝିଅର ଶାଶୁଘର ଲୋକେ ତାକୁ ହତ୍ୟା କରି ଆତ୍ମହତ୍ୟାର ରୁପ ଦେଇଥିବା ଅଭିଯୋଗ କରି ଥାନାରେ ଏକ ଏତଲା ଦେଇଛନ୍ତି ପରିବାର ଲୋକ। 
ସେପଟେ ଶଙ୍କରୀଙ୍କ ମୃତ୍ୟୁ ପରେ ଶାଶୂଘରର କିଛି ସଦସ୍ୟ ଫେରାର ଥିବା ଜଣାପଡ଼ିଛି। ରାଜେଶ ଓ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ଖାଲି ସ୍ବାମୀ ରାଜେଶ ନୁହେଁ ଶଙ୍କରୀଙ୍କ ପରିବାରର ସମସ୍ତେ ଘଟଣା ପରେ ଫେରାର ଥିବା ଜଣାପଡିଛି। ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗାନ କିଣ୍ଡୋ ପୋଲିସ ଟିମ ସହିତ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି। ମୃତ ଶଙ୍କରୀଙ୍କ ସ୍ବାମୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ।