ମୁମ୍ବାଇ: ମୁମ୍ବାଇର ଦହିସର ଇଷ୍ଟରେ ଥିବା ନୂଆ ଜନକଲ୍ୟାଣ ସୋସାଇଟିରେ ଏକ ୨୪ ମହଲା ବିଶିଷ୍ଟ ଆବାସିକ ଅଟ୍ଟାଳିକାରେ ରବିବାର ଅପରାହ୍ନ ପ୍ରାୟ ୩ଟା ୦୫ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଅଧିକାରୀଙ୍କ ଅନୁସାରେ, ଅଗ୍ନିକାଣ୍ଡ ଅଟ୍ଟାଳିକାର ସପ୍ତମ ମହଲାରେ ଆରମ୍ଭ ହୋଇଥିଲା ଏବଂ ବୈଦ୍ୟୁତିକ ଡକ୍ଟ ମାଧ୍ୟମରେ ଅନ୍ୟ ମହଲାକୁ ବ୍ୟାପିଯାଇଥିଲା।

ଅଗ୍ନିକାଣ୍ଡ ସୂଚନା ମିଳିବା ମାତ୍ରେ ମୁମ୍ବାଇ ଅଗ୍ନିଶମା ବିଭାଗ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର ଓ ଅଗ୍ନି ନିୟନ୍ତ୍ରଣ କାର୍ଯ୍ୟ ଆରମ୍ଭ କରିଥିଲା। ଅଟ୍ଟାଳିକାରେ ଘନ ଧୂଆଁ ଭର୍ତ୍ତି ହୋଇଯାଇଥିବାରୁ ଅଗ୍ନିଶମା କର୍ମୀଙ୍କୁ କାର୍ଯ୍ୟ କରିବାରେ ଅସୁବିଧା ହୋଇଥିଲା। ମୋଟ ୧୬ଟି ଅଗ୍ନିଶମ ଯାନ ସମେତ ୭ଟି ଫାୟାର ଇଞ୍ଜିନ, ୩ଟି ଜମ୍ବୋ ଟ୍ୟାଙ୍କର, ୨ଟି ଆଡ଼ଭାନ୍ସଡ଼ ଓ୍ୱାଟର ଟ୍ୟାଙ୍କର ଏବଂ ଅନ୍ୟାନ୍ୟ ଜରୁରୀ ଯାନ ଘଟଣାସ୍ଥଳରେ ମୁତୟନ ହୋଇଥିଲେ।

ଉଦ୍ଧାର କାର୍ଯ୍ୟ ମାଧ୍ୟମରେ ୩୬ ଜଣ ବାସିନ୍ଦାଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଯେଉଁମାନଙ୍କ ମଧ୍ୟରୁ ୧୯ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରୋହିତ ହସ୍ପିଟାଲରେ ଭର୍ତ୍ତି ୭ ଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ପୁରୁଷ ଗୁରୁତର ଅବସ୍ଥାରେ ରହିଛନ୍ତି। ଅନ୍ୟ ୧୦ ଜଣଙ୍କୁ ନର୍ଦର୍ନ କେୟାର ହସ୍ପିଟାଲ ଏବଂ ପ୍ରଗତି ହସ୍ପିଟାଲ ଓ ଶତାବ୍ଦୀ ହସ୍ପିଟାଲକୁ ଜଣେ ଲେଖାଏଁ ଲୋକଙ୍କୁ ପଠାଯାଇଥିବା ନେଇ ସୂଚନା ମିଳିଛି। ଅନ୍ୟ ଆହତମାନଙ୍କ ଅବସ୍ଥା ସ୍ଥିର ରହିଛି।

ଅଗ୍ନିଶମ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଗ୍ନିକାଣ୍ଡର କାରଣ ବେସମେଣ୍ଟରେ ଥିବା ଏକ ଖରାପ ବୈଦ୍ୟୁତିକ ତାରରୁ ସୃଷ୍ଟି ହୋଇଥିବା ସର୍ଟ ସର୍କିଟ ହୋଇପାରେ। ଯାହା ବୈଦ୍ୟୁତିକ ଡକ୍ଟ ମାଧ୍ୟମରେ ଧିରେ ଧିରେ ମହଲାର ଉପରିଭାଗକୁ ବ୍ୟାପିପାରେ ଲାଗିଥିଲା। ତେବେ, ଅଗ୍ନିକାଣ୍ଡର ସଠିକ କାରଣ ଜାଣିବା ପାଇଁ ବିସ୍ତୃତ ତଦନ୍ତ ଚାଲିଛି।

ଅଗ୍ନିକାଣ୍ଡ ଅପରାହ୍ନ ୪ଟା ୩୦ ସୁଦ୍ଧା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ୧୦ ସୁଦ୍ଧା ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଥିଲା। ବର୍ତ୍ତମାନ କୁଲିଂ ଅପରେସନ ଚାଲୁ ରହିଛି। ଏହି ଘଟଣା ମୁମ୍ବାଇରେ ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ଅଗ୍ନି ସୁରକ୍ଷା ସମ୍ବନ୍ଧୀୟ ଗୁରୁତର ତ୍ରୁଟିକୁ ପୁଣି ଥରେ ଉଜାଗର କରିଛି। ୨୦୨୫ ମସିହାରେ ମୁମ୍ବାଇରେ ଏହା ପରି ଅନେକ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଯେପରିକି ଅଗଷ୍ଟରେ ଆନ୍ଧେରୀ ଇଷ୍ଟରେ, ଜୁନରେ ୱର୍ଲିରେ ଏବଂ ମାର୍ଚ୍ଚରେ କାନ୍ଦିଭାଲିରେ ହୋଇଥିବା ଅଗ୍ନିକାଣ୍ଡ। ଯାହା ଅଗ୍ନି ସୁରକ୍ଷା ନିୟମର ଅନୁପାଳନରେ ଅବହେଳାକୁ ସୂଚାଇଛି।