ବ୍ରହ୍ମପୁର, ୧୧ (ବ୍ୟୁରୋ): ଓଡ଼ିଶା ପୁଲିସ ଏସ୍ଆଇ ଲିଖିତ ପରୀକ୍ଷା ଜାଲିଆତି ମାମଲା ରାକେଟ୍‌ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶଙ୍କର ପୃଷ୍ଟିକୁ କ୍ରାଇମ୍‌ବ୍ରାଞ୍ଚ ନେପାଳ ସୀମା ଉତ୍ତରଖଣ୍ଡରୁ ଗିରଫ କରିବା ପରେ ସୋମବାର କୋର୍ଟ ଚାଲାଣ କରିଛି । ତାସହ ସିଲିକନ୍ ଟେକଲାବ୍ ସଂସ୍ଥାର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକଙ୍କୁ ସୋମବାର ବ୍ରହ୍ମପୁର ଜେଏମ୍ଏଫସି  (ଗ୍ରାମାଞ୍ଚଳ)ରେ ହାଜର କରାଯାଇଥିଲା। ଶଙ୍କରଙ୍କ ଓକିଲ ଅନୀଲ କୁମାର ପଣ୍ଡା ତାଙ୍କ ପାଇଁ ଜାମିନ୍ ଆବେଦନ କରିଥିଲେ । କୋର୍ଟ ତାଙ୍କ ଜାମିନ୍ ନାମଞ୍ଜୁର କରିବା ସହ ବ୍ରହ୍ମପୁର ଜେଲକୁ ପଠାଇଦେଇଛନ୍ତି।

ଆଇନଜୀବୀ ଅନୀଲ କୁମାର ପଣ୍ଡାଙ୍କ ସୂଚନା ପ୍ରକାରେ ଉତ୍ତରଖଣ୍ଡରୁ ଶଙ୍କରକୁ ଗିରଫ କରିବା ପରେ କ୍ରାଇମ୍‌ବ୍ରାଞ୍ଚ ସ୍ଥାନୀୟ କୋର୍ଟରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଥିଲା। ଉତ୍ତରାଖଣ୍ଡ କୋର୍ଟ ୪ ତାରିଖ ପୂର୍ବରୁ ତାଙ୍କୁ ବ୍ରହ୍ମପୁର ଜେଏମ୍ଏଫସି ରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଥିଲା । ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । କ୍ରାଇମ୍‌ବ୍ରାଞ୍ଚ ଅଧିକ ପଚରାଉଚରା କରିବାକୁ ଶଙ୍କରକୁ ୭ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ । କୋର୍ଟ ଆବେଦନକୁ ଗ୍ରହଣ କରିବା ସହ ମଙ୍ଗଳବାର ଏହାର ଶୁଣାଣି ପାଇଁ ଧାର୍ଯ୍ୟ କରିଥିବା ଆଇନଜୀବୀ ପଣ୍ଡା ସୂଚନା ଦେଇଛନ୍ତି।

ଗତକାଲି ତାଙ୍କୁ ଭୁବନେଶ୍ଵର ପରେ କଟକ ନେଇ ଜେରା କରିଥିଲା କ୍ରାଇମ୍‌ବ୍ରାଞ୍ଚ । ସେଠାରୁ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଶଙ୍କର ଓ ସୁରେଶଙ୍କୁ ଦୁଇଟି ଗାଡ଼ିରେ ନେଇ ଅପରାହ୍ନ ୫ଟାରେ କ୍ରାଇମବ୍ରାଞ୍ଚ ବ୍ରହ୍ମପୁର କୋର୍ଟରେ ପହଞ୍ଚିଥିଲା। ଆଜି କୋର୍ଟ ଛୁଟି ଥ‌ିବାରୁ ସବୁ ଅଫିସ ଛୁଟି ରହିଥିଲା। କ୍ରାଇମ୍‌ବ୍ରାଞ୍ଚ ସୂଚନା ଦେବା ପରେ କୋର୍ଟ ଏସ୍ଇ ଆସିଥିଲେ। ରାତି ୮ଟା ପର୍ଯ୍ୟନ୍ତ ଶଙ୍କର ଓ ସୁରେଶକୁ ଗାଡ଼ିରୁ ବାହାରକୁ ଅଣାଯାଇନଥିଲା। ଚାରିପାର୍ଶ୍ଵରେ ପୁଲିସ ଜଗି ରହିଥିଲା। ଶଙ୍କର ଗାଡ଼ି ଭିତରେ ବସି ଗଣମାଧ୍ୟମକୁ କିଛି ସୂଚନା ଦେବାକୁ ଚାହୁଁଥିଲେ । ସେ ଜୋର ପାଟି କରି କିଛି କହୁଥିଲେ କିନ୍ତୁ କ୍ରାଇମ୍‌ବ୍ରାଞ୍ଚ ଗାଡ଼ି ଡୋର୍ ଲକ୍ କରିଥିବାରୁ କିଛି ଶୁଣାଯାଇନଥିଲା। ପରବର୍ତ୍ତୀ ସମୟରେ ଗୋଳନ୍ଥରା ଥାନା ଆଇଆଇସି ଓ ଅନ୍ୟ ଅଧିକାରୀମାନେ ଆସି ଶଙ୍କର ବସିଥିବା ଗାଡ଼ିରେ ବସି କିଛି ଆଲୋଚନା କରିଥିଲେ । ରାତି ୮ଟାରେ ଶଙ୍କରଙ୍କୁ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଦୌଡ଼ି ଦୌଡ଼ି ମାଜିଷ୍ଟ୍ରେଟଙ୍କ ପାଖକୁ ନିଆଯାଇଥିଲା ସେତେବେଳେ ଶଙ୍କରଙ୍କ ପାଟି ବନ୍ଦ ହୋଇଯାଇଥିଲା।

​​​​​​​ଶଙ୍କରର କଳା ସାମ୍ରାଜ୍ୟ ଗଞ୍ଜାମ ଜିଲ୍ଲାରୁ  ଆରମ୍ଭ । ଗଞ୍ଜାମରେ ସେ ପ୍ରଥମେ ଚାକିରି ପାଇଁ  କୋଚିଂ ଦେଉଥିଲା । ଆର୍ମି ନିଯୁକ୍ତିରୁ ଦଲାଲି ଆରମ୍ଭ  ହୋଇ ଏବେ ଏତେ ବଡ଼ ର‌୍ୟାକେଟ୍‌ ଚଳାଉଥିବା  କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତରେ ଜଣାପଡ଼ିଛି । ୨୦୧୩ରେ  ଗଜପତିରେ ସିପାହୀ ନିଯୁକ୍ତି ର‌୍ୟାକେଟ୍‌ଠାରୁ ଆରମ୍ଭ  କରି ୨୦୨୩ରେ ବ୍ରହ୍ମପୁରର ଜାଲ୍‌ ସାର୍ଟିଫିକେଟ୍‌  ର‌୍ୟାକେଟ୍‌ରେ ବି ମାଷ୍ଟର୍‌ମାଇଣ୍ଡ୍‌ ଥିଲା ଶଙ୍କର । ଗଞ୍ଜାମ  ଜିଲ୍ଲା ହିଞ୍ଜିଳିକାଟୁରେ ଏକ ସାଧାରଣ ପରିବାରରୁ  ଆସିଥିବା ଶଙ୍କର ପାଖରେ ଏବେ ଅଚଳାଚଳ ସମ୍ପତ୍ତି।  ବ୍ରହ୍ମପୁର ଜଗନ୍ନାଥପୁରରେ ପଞ୍ଚ୍‌ସପ୍ଟ ଟେକ୍‌ନୋଲଜିସ୍‌  ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଡିଫେନ୍ସ କଲୋନିରେ ଘରଭୁବନେଶ୍ୱରରେ ଦାମୀ ଆପାର୍ଟମେଣ୍ଟ୍‌ରେ ଫ୍ଲାଟ୍‌ ଏବଂ  ଦିଲ୍ଲୀରେ ମଧ୍ୟ ଘର ଥିବା ଗାଁ ଲୋକ ପ୍ରକାଶ କରିଛନ୍ତି ।

ଏହି ମାମଲାରେ ୧୨୩ ଜଣ ପୂର୍ବରୁ ଗିରଫ  ହୋଇଥିବାବେଳେ ଗତକାଲି ଶଙ୍କରକୁ ଗିରଫ  କରାଯାଇଛି । ୧୧୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ  କୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି । ଏବେ ୯ ଜଣ  ଦଲାଲ ବ୍ରହ୍ମପୁର ଜେଲ୍‌ରେ ଥିବାବେଳେ ସୁରେଶ  ଓ ଶଙ୍କରକୁ ମିଶାଇ ଏବେ ୧୧ ଜଣ ହୋଇଛି ।  ଶଙ୍କର ଜରିଆରେ ପୂର୍ବରୁ ଚାକିରି ପାଇଥିବା  କିଛି ଲୋକଙ୍କ ଭିତରେ ମଧ୍ୟ ଏବେ ଛନକା  ପଶିଛି । ଦୀର୍ଘବର୍ଷ ମଧ୍ୟରେ ଦଲାଲି କରି ଶଙ୍କର  ଅନେକ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେଇଥିବା  କୁହାଯାଉଛି । ଗଞ୍ଜାମ ଜିଲ୍ଲାରେ ଶଙ୍କରର ସାମ୍ରାଜ୍ୟ  ସହ ଅନେକ ଲୋକଙ୍କ ସମ୍ପୃକ୍ତି ରହିଛି । ପ୍ରତ୍ୟକ୍ଷ  ଓ ପରୋକ୍ଷ ଭାବେ ଶଙ୍କରକୁ କିଛି ପ୍ରଭାବଶାଳୀ  ସହଯୋଗ କରୁଥିବା ତଦନ୍ତରେ ଜଣାପଡ଼ିଛି ।  ୨୦୨୩ ଏପ୍ରିଲ୍‌ ମାସରେ ବ୍ରହ୍ମପୁର ଗୋସାଇଁନୂଆଗାଁ  ଥାନା ଧରିଥିବା ଜାଲ୍‌ ସାର୍ଟିଫିକେଟ୍‌ ର‌୍ୟାକେଟ୍‌ରେ  ପୁଲିସ ମୁଖ୍ୟ ଅଭିଯୁକ୍ତ ଖଲ୍ଲିକୋଟ ଅଞ୍ଚଳର  ଦୈତାରୀ ବେହେରାଙ୍କୁ ଗିରଫ କରିଥିଲା ।  ତେବେ ମାମଲାରେ ମୁଖ୍ୟ ସହଯୋଗୀ ଶଙ୍କର  ପୃଷ୍ଟି ଫେରାର୍‌ ରହି ହାଇକୋର୍ଟରୁ ଆଗୁଆ  ଜାମିନ୍‌ ଆଣିଥିଲା । ଶଙ୍କର ପୃଷ୍ଟି ଧରାପଡ଼ିବା  ପରେ ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ଦୈତାରୀ ବେହେରାଙ୍କୁ  ତଦନ୍ତ ପରିସର କରିପାରେ ବୋଲି କୁହାଯାଉଛି ।