ପାଟଣାଗଡ,୧୮।୧୦(ଆପ୍ର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଉଲବା ଗ୍ରାମ ପଞ୍ଚାୟତ ସରମୁହାଣ ଗାଁ ର ରାକେଶ ବରିହା ଗତ ୫ ବର୍ଷ ପୂର୍ବରୁ ମାନସିକ ରୋଗରେ ପୀଡିତ  ଗତ ଦୁଇବର୍ଷ ହେବ ଶିକୁଳିରେ ବନ୍ଧାହୋଇ ତାଙ୍କ ଜେଜେମା ସୁରୁବାଲି ସହିତ ରହିଆସୁଥିଲେ। ରାକେଶଙ୍କ ଅଧିକ ମାନସିକ ବିକୃତି ଦେଖା ଦେବା ପରେ ତାଙ୍କ ମା ତାଙ୍କୁ ଛାଡି ଚାଲିଯିବାରୁ   ସେ ଭଙ୍ଗାରୁଜା ଓ ଗୋଳମାଳ ଅଧିକ କରିଥିଲେ। ଗତ ଦେଢ଼ବର୍ଷ ହେବ ଜେଜେମା ନାତିକୁ ଶିକୁଳିରେ ବାନ୍ଧି ରଖିଛନ୍ତି । 

ଗରିବ ବୃଦ୍ଧା ଜେଜେମା ସରକାରୀ ସହାୟତା ଭାବରେ ୧୦ କିଲୋ ଚାଉଳ ଓ ଏକ ହଜାର ଟଙ୍କା ମିଳୁଛି। ଏଥିରେ  ଜେଜେମା ନାତିଙ୍କ ଗୁଜୁରାଣ ମେଣ୍ଟି ପାରୁନଥିବାରୁ ବୃଦ୍ଧା ଜେଜେମା  ବାଧ୍ୟ ହୋଇ ମୂଲଲାଗି କଷ୍ଟେମଷ୍ଟେ  ନାତି ସହ ନିଜେ ଚଳୁଛନ୍ତି ।ଏଣୁ ମାନସିକରୋଗୀ ନାତିର ଚିକିତ୍ସା କରିପାରୁ ନଥିଲେ।  ପରିବାରବର୍ଗ ଓ ଗ୍ରାମବାସୀଙ୍କ ତରଫରୁ ଶିକୁଳିରେ ବନ୍ଧା ରାକେଶଙ୍କୁ ସହାୟତା ପାଇଁ ପ୍ରଶାସନ ପାଖରେ ଦାବି କରାଯାଇଥିଲା। 

ବିଳମ୍ବରେ ହେଲେ ମଧ୍ୟ ପ୍ରଶାସନ ତରଫରୁ ପାଟଣାଗଡ଼ ବିଡ଼ିଓ ସୁମନ ମିଞ୍ଜ ପଦକ୍ଷେପ ନେଇଥିଲେ।  ବଲାଙ୍ଗିରରୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅନୀଲ କୁମାର ନାୟକ ଆସି ରାକେଶଙ୍କୁ  ତାଙ୍କ ଘରେ ପରୀକ୍ଷାନିରୀକ୍ଷା କରି ଔଷଧ ଦେଇଛନ୍ତି । ଏପରିକି ରାକେଶ କିଛି ଦିନ ମଧ୍ୟରେ ଔଷଧ ଠିକରେ ସେବନ କଲେ ସେ ସମ୍ପୂର୍ଣ ସୁସ୍ଥ ହୋଇଯିବେ ବୋଲି ଆଶା ରଖିଛନ୍ତି। ପ୍ରଶାସନ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଡାକ୍ତରୀ ଟିମ ସହିତ ପାଟଣାଗଡ଼ ବିଡ଼ିଓ ଉପସ୍ଥିତ ରହିଥିଲେ। ସମସ୍ତେ ରାକେଶଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି।ତେବେ ପ୍ରଶାସନର ଏଭଳି ପଦକ୍ଷେପକୁ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି।