ନୂଆଦିଲ୍ଲୀ ୧୬/୧୦: ଅଷ୍ଟ୍ରେଲିଆର ଜଣେ ଡାକ୍ତର ୯୩ ବର୍ଷ ବୟସରେ ବାପା  ହୋଇଛନ୍ତି । ଏବେ ଆଉ ଏକ ସନ୍ତାନ ପାଇଁ ଯୋଜନା  କରୁଛନ୍ତି । ମେଲବର୍ନ ବାସିନ୍ଦା ଆତ୍ମଘୋଷିତ ‘ହେଲ୍‌ଦି ଏଜିଂ  ଏକ୍ସପର୍ଟ’ ଡା. ଜନ୍‌ ଲେଭିନ ନିଜର ୩୭ ବର୍ଷୀୟା ପତ୍ନୀ  ଡା. ୟାଙ୍ଗୟିଙ୍ଗ୍‌ ଲୁଙ୍କ ସହିତ ଫେବ୍ରୁଆରୀ ୨୦୨୪ରେ ଗାବି  ନାମକ ପୁତ୍ର ସନ୍ତାନର ବାପା ହୋଇଥିଲେ । ଦମ୍ପତିଙ୍କ ମଧ୍ୟରେ  ୫୬ ବର୍ଷର ବୟସ ତାରତମ୍ୟ ସତ୍ତେ୍ୱ ଆଇଭିଏଫ୍‌ (ଇନ୍‌-ଭିଟ୍ରୋ ଫର୍ଟିଲାଇଜେସନ୍‌) ଜରିଆରେ ପରିବାର ବଢ଼ାଇବାକୁ ସେମାନେ ପରସ୍ପକୁ ପ୍ରତିଶ୍ରୁତି ଦେଇଛନ୍ତି । ଡା. ଲେଭିନ୍‌  କହିଛନ୍ତି, ଏହି ପ୍ରକ୍ରିୟା ଆହ୍ୱାନଭରା କିନ୍ତୁ ଅତ୍ୟନ୍ତ ଲାଭପ୍ରଦ ।  ଏଥିରେ ଆମେ ଧୈର୍ଯ୍ୟର ସହ ରହିଲୁ । ଏବେ ଆଉ ଏକ  ସନ୍ତାନ ପାଇଁ ପୁଣି ଥରେ ପ୍ରସ୍ତୁତ ହେଉଛୁ ।’

ଅନୁଶାସନ ମାଧ୍ୟମରେ ନିଜକୁ ଦୀର୍ଘାୟୁ ବୋଲି ଦାବି କରୁଥିବା  ଲେଭିନ୍‌ କଠୋର ସ୍ୱାସ୍ଥ୍ୟ ନିୟମାବଳୀର ଅନୁପାଳନ କରନ୍ତି ।  ବିଗତ ୩ ଦଶନ୍ଧି ଧରି ସେ ମାନବ ବିକାଶ ହରମୋନ  ଇଞ୍ଜେକ୍ସନ୍‌ ନେଉଛନ୍ତି । ନିୟମିତ ବ୍ୟାୟାମ କରୁଛନ୍ତି ଏବଂ  ମଦ୍ୟପାନ ଓ ତମାଖୁଠୁ ଦୂରରେ ରହିଛନ୍ତି । ଅନୁଶାସନ ଓ  ସନ୍ତୁଳନ ଦୀର୍ଘ ଓ ସକ୍ରିୟ ଜୀବନର ରହସ୍ୟ ବୋଲି ଏକ  ଗଣମାଧ୍ୟମ ସହ ସାକ୍ଷାତକାରରେ ସେ କହିଥିଲେ ।

ଲେଭିନ୍‌ କହିଛନ୍ତି, ମୋ ବୟସ ସକ୍ରିୟ ଅଭିଭାବକତ୍ୱ ଆଗରେ  ଆଦୌ ବାଧକ ନୁହେଁ । ମୋ ପୁଅର ୨୧ତମ ଜନ୍ମଦିନରେ  ସାମିଲ ହେବାକୁ ମୁଁ ଚାହେଁ, ଏହା ମୋର ଲକ୍ଷ୍ୟ ।’ ଲେଭିନ୍‌  ଯଦି ଏହି ଲକ୍ଷ୍ୟ ପୂରଣ କରନ୍ତି, ତେବେ ସେତେବେଳକୁ  ତାଙ୍କର ବୟସ ୧୧୬ ବର୍ଷ ହୋଇଥିବ । ତାଙ୍କ ପୁଅ ଗାବି ୧୩  ବର୍ଷ ବୟସରେ ପଦାର୍ପଣ କଲେ, ଏକ ପାରମ୍ପରିକ ବିଧି  ପାଳନ କରିବାକୁ ମଧ୍ୟ ସେ ଆଶା ରଖିଛନ୍ତି । ଇତିମଧ୍ୟରେ  ସେ ନିଜେ ପୁଅର ମାର୍ଗଦର୍ଶନ କରିବାକୁ ଚାହୁଁଥିବା କହିଛନ୍ତି ।  ଡା. ଲେଭିନ୍‌ଙ୍କ ପ୍ରଥମ ବିବାହରୁ ଆଶ୍‌ଲି (୬୨) ସମନ୍ଥା  (୬୦) ଓ ଗ୍ରେଗ୍‌ ନାମରେ ୩ ସନ୍ତାନ ଅଛନ୍ତି । ଗତ ବର୍ଷ  ମୋଟର ମ୍ୟୁରନ୍‌ ରୋଗରେ ଗ୍ରେଗ୍‌ଙ୍କର ମୃତ୍ୟୁ ହୋଇଥିଲା ।  ସେ ମଧ୍ୟ ୧୦ ପିଲାଙ୍କ ଜେଜେବାପା ଏବଂ ଜଣଙ୍କର  ଅଣଜେଜେବାପା । ଏହା ସତ୍ତେ୍ୱ ତାଙ୍କର ସବୁଠୁ ସାନ ପୁଅ  ଗାବିର ବୟସ ମାତ୍ର ୧ ବର୍ଷ ।

ପତ୍ନୀ ଡା. ଲୁ କହିଛନ୍ତି, ତାଙ୍କ ପରିବାରକୁ ନେଇ ଲୋକେ ସର୍ବଦା ବିଭିନ୍ନ କଥା କହୁଛନ୍ତି । ଲୋକଙ୍କ ଧାରଣା ଯେ ଗାବି ଲେଭିନ୍‌ଙ୍କ ନାତି କିମ୍ବା ଅଣନାତି । କିନ୍ତୁ ପୁଅ ବୋଲି ଶୁଣି ସେମାନେ ଚକିତ ହେଉଛନ୍ତି । କିନ୍ତୁ ଏହା ଉଭୟଙ୍କ ପାଇଁ ଖୁସିର କଥା । ପରିବାର ପାଇଁ ଠିକ୍‌ ବୋଲି ଅନୁଭବ କରି  ଦମ୍ପତି ଏହି ନିଷ୍ପତ୍ତି ନେଇଥିଲେ ବୋଲି ଡା. ଲୁ କହିଛନ୍ତି । ଡା. ଲେଭିନ୍‌ଙ୍କ କାହାଣୀକୁ କିଛି ଉନ୍ନତ ଚକିତ୍ସା ପଦ୍ଧତିର  ଏକ ପ୍ରେରଣାପ୍ରଦ ଉଦାହରଣ ବୋଲି କହୁଛନ୍ତି । ଆଉ କିଛି ବୟସାଧିକ୍ୟ ଯୋଗୁ ତାଙ୍କ ଦାୟିତ୍ୱହୀନ ଦର୍ଶାଇ ସମାଲୋଚନା କରୁଛନ୍ତି ।