ଭୁବନେଶ୍ୱର,୨୦/୦୯: ବୈଦିକ ଯୁଗରୁ ରହି ଆସିଥିବା "ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ' ମହାମନ୍ତ୍ର ଏବେ ମାନସିକ ଅବସାଦ ହ୍ରାସରେ ସହାୟକ ହେଉଛି । ଏକଥା ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡ଼ିଥିବା ବିଶିଷ୍ଟ ବୈଜ୍ଞାନିକ ଡ. ସଚ୍ଚିନନ୍ଦନ ମହାନ୍ତି କହିଛନ୍ତି ।
ଡ. ମହାନ୍ତିଙ୍କ ନେତୃତ୍ୱରେ ଏହି ଅଧ୍ୟୟନ କରାଯାଇଥିଲା । ମହାମନ୍ତ୍ର ଜପ କିପରି ମସ୍ତିଷ୍କର ତରଙ୍ଗ ଓ ମାନସିକ ସ୍ୱାସ୍ଥ୍ୟରେ ପ୍ରଭାବ ପକାଉଛି ସେଥିପାଇଁ ଇଇଜି ବ୍ୟବହାର ହୋଇଥିଲା । ଅଧ୍ୟୟନରେ ୪୦ ଜଣ ପୁରୁଷ ଓ ମହିଳାଙ୍କୁ ଦୁଇ ଦଳରେ ବିଭକ୍ତ କରାଗଲା । ଜପ ପୂର୍ବରୁ ଓ ପରେ, ଆଖି ବନ୍ଦ ଅବସ୍ଥାରେ ଇଇଜି ସଙ୍କେତ ରେକର୍ଡ କରାଗଲା । ବିଶ୍ଳେଷଣରେ ଡେଲ୍ଟା, ଥିଟା, ଆଲଫା, ବିଟା ଓ ଗାମା ତରଙ୍ଗ ଉପରେ ଗୁରୁତ୍ୱ ଦିଆଗଲା । ଫଳାଫଳରୁ ପ୍ରମାଣ ମିଳିଲା ଯେ ଉପରୋକ୍ତ ମହାମନ୍ତ୍ର ଜପ ମସ୍ତିଷ୍କର କେନ୍ଦ୍ରୀୟ ଓ ପ୍ୟାରିଏଟାଲ୍ ଅଞ୍ଚଳରେ ଆଲଫା ତରଙ୍ଗକୁ ବୃଦ୍ଧି କରୁଛି, ଯାହାର ଅର୍ଥ ମାନସିକ ସୁସ୍ଥତା, ଶାନ୍ତି ଓ ଚାପରୁ ମୁକ୍ତି । ସେଥିସହିତ, ଆଲଫା, ଥିଟା ଓ ଡେଲ୍ଟା ତରଙ୍ଗର ଉତ୍ପାଦନ ବୃଦ୍ଧି ହୋଇଥିଲା, ଯାହା ନ୍ୟୁରୋଟ୍ରାନ୍ସମିଟର ଓ ହର୍ମାନ୍ ଶ୍ରବଣକୁ ବୃଦ୍ଧି କରି ଶାନ୍ତି ପ୍ରଦାନ କରୁଛି । ଡ. ମହାନ୍ତିଙ୍କ ଏହି ଅଧ୍ୟୟନ ପ୍ରମାଣ କରେ, ମହାମନ୍ତ୍ର କେବଳ ଆଧ୍ୟାତ୍ମିକ ନୁହେଁ, ବରଂ ଏହା ମନୋବିଶ୍ରାମ, ମାନସିକ ଚିନ୍ତା ମୁକ୍ତି ଓ ସାମଗ୍ରିକ ମନୋସ୍ୱାସ୍ଥ୍ୟ ପାଇଁ ଶକ୍ତିଶାଳୀ ଉପାୟ ।