ଦାରିଙ୍ଗବାଡ଼ି,୨୦/୧୦:  ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୁଣି ଲଜ୍ଜା ।  ଚପଲ କିଣିଦେବା ଆଳରେ ଡାକି ନେଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ  ଗ୍ରାମର ଜଣେ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।  ନାବାଳିକାଙ୍କ ଖୁଡ଼ି ଶନିବାର ଅପରାହ୍ଣରେ ଦାରିଙ୍ଗବାଡ଼ି ଥାନାରେ ଲିଖିତ  ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଫେରାର ହୋଇଯାଇଛି । ପୁଲିସ ମାମଲା  ରୁଜୁ କରି ଘଟଣାର ଅଧିକ ତଦନ୍ତ କରିବା ସହ ଅଭିଯୁକ୍ତକୁ ଖୋଜୁଛି ।  ଉକ୍ତ ଥାନା ଅଞ୍ଚଳର ଗୋଟିଏ ପରିବାରର ବାପାମାଆ ଦାଦନ ଖଟିବାକୁ  ବାହାର ରାଜ୍ୟକୁ ଯାଇଛନ୍ତି । ଘରେ ୧୪ ବର୍ଷର ନାବାଳିକା ୪ ଛୋଟ ଭାଇ  ଭଉଣୀଙ୍କ ସହ ରହୁଛନ୍ତି । ଛୋଟ ଭାଇ ଭଉଣୀଙ୍କ ଦାୟିତ୍ୱ ନେବା ସହ ନିଜେ  ବିଦ୍ୟାଳୟକୁ ଯାଇ ପଢ଼ୁଛନ୍ତି।

ତେବେ ଶୁକ୍ରବାର ମଧ୍ୟାହ୍ନରେ ଗାଁର ଜଣେ  ବିବାହିତ ଯୁବକ ନାବାଳିକାଙ୍କୁ ମିଛ କହି ଡାକି ନେଇଥିଲା । ତୁମ ବାପା ତୁମ  ପାଇଁ ଚପଲ କିଣିବାକୁ ମୋ ଆକାଉଣ୍ଟ୍‌କୁ ପଇସା ପଠାଇଛନ୍ତି, ଦାରିଙ୍ଗବାଡ଼ି  ଯାଇ ଚପଲ କିଣିଦେବି ବୋଲି କହିଥିଲା । ନାବାଳିକା ତାଙ୍କ କଥାକୁ ବିଶ୍ୱାସ  କରି ବାଇକ୍‌ରେ ଦାରିଙ୍ଗବାଡ଼ି ଅଭିମୁଖେ ବାହାରିଥିଲେ । ହେଲେ ଯୁବକ  ଅଧା ବାଟରେ ନାବାଳିକାଙ୍କୁ ଛୁରି ଦେଖାଇ ଭୟଭୀତ କରାଇ ଜଙ୍ଗଲର  ଏକ ନିଛାଟିଆ ସ୍ଥାନକୁ ନେଇ ବଳାତ୍କାର କରିଥିଲା । ଘଟଣା ସମ୍ପର୍କରେ  କାହାରିକୁ କହିଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା ବୋଲି  ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି । ନାବାଳିକା ଭୟଭୀତ ହୋଇଯାଇଥିବା  ବେଳେ ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଘରକୁ ଫେରି ଖୁଡ଼ିଙ୍କୁ ଘଟଣା  ସମ୍ପର୍କରେ ଜଣାଇଥିଲେ । ନାବାଳିକାଙ୍କ ଖୁଡ଼ି ଗାଁର ସରପଞ୍ଚ, ମହିଳା, ଆଶା  କର୍ମୀ, ୱାର୍ଡମେମ୍ବରଙ୍କ ସହଯୋଗରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।