ନୂଆଦିଲ୍ଲୀ ୦୨/୦୯: ରବିବାର ସନ୍ଧ୍ୟାରେ ଜୟପୁରରେ ଅନୁଷ୍ଠିତ ହୋଇଛି ମିସ୍ ଟିନ୍ ଇଣ୍ଟର୍ନ୍ୟାସନାଲ-୨୦୨୫ ଗ୍ରାଣ୍ଡ୍ ଫିନାଲେ । ସ୍ପେନ୍ର ଲୋରେନା ରୁଇଜ ଏହି ଟାଇଟଲ୍ ଜିତିଛନ୍ତି । ଭାରତର କାଜିୟା ଲିଜ୍ ମେଜୋ ରନର୍-ଅପ୍ ହୋଇଛନ୍ତି । ପ୍ରତିଯୋଗିତାରେ ଭାରତ ସମେତ କାନାଡା, ବୋଟ୍ସୱାନା, କଲମ୍ବିୟା, କ୍ୟୁବା, ଡୋମିନିକାନ୍ ଗଣରାଜ୍ୟ, ଫିଜି, ଫ୍ରାନ୍ସ, ଜର୍ମାନୀ, ଜାପାନ, ମେକ୍ସିକୋ, ନାମିବିୟା, ନେଦରଲାଣ୍ଡ୍ସ, ପାରାଗୁଏ, ପେରୁ, ଫିଲିପିନ୍ସ, ପୁଏର୍ତ୍ତୋରିକୋ, ରୋମାନିଆ, ସ୍ପେନ୍, ଶ୍ରୀଲଙ୍କା, ଆମେରିକା, ଭେନେଜୁଏଲା, ଭିଏତ୍ନାମ ଓ ଜିମ୍ବାୱେର ସୁନ୍ଦରୀମାନେ ମଞ୍ଚ ଉପରେ ପ୍ରତିଭା ପ୍ରଦର୍ଶନ କରିଥିଲେ । ଅନେକ ରାଉଣ୍ଡ୍ ଜରିଆରେ ପ୍ରତିଯୋଗିତାର ବିଜୟିନୀଙ୍କୁ ଚୟନ କରାଗଲା ।
ମିସ୍ ୟୁନିଭର୍ସ ଇଣ୍ଡିଆର ମାଲିକ ଓ ମିସ୍ ଟିନ୍ ଇଣ୍ଟର୍ନ୍ୟାସନାଲ୍ର ସଂଚାଳକ ନିଖିଲ ଆନନ୍ଦ ଏ ଅବସରରେ କହିଥିଲେ, ବିଶ୍ୱସ୍ତରରେ ଭାରତର ସମୃଦ୍ଧ ପରମ୍ପରା, କଳା ଓ ସଂସ୍କୃତି ପ୍ରଦର୍ଶନର ଏହା ଏକ ଅଦ୍ୱିତୀୟ ମଞ୍ଚ । ଫ୍ୟାଶନ୍ କ୍ଷେତ୍ରରେ ଭାରତର ଅନ୍ତର୍ଜାତୀୟ ପ୍ରଭାବ ଦ୍ରୁତ ବୃଦ୍ଧିପାଉଛି । ମିସ୍ ଟିନ୍ ଇଣ୍ଟର୍ନ୍ୟାସନାଲ ଭଳି କାର୍ଯ୍ୟକ୍ରମ ଜରିଆରେ ଏହା ଆହୁରି ମଜଭୁତ ହେବ । ମୂଳ କେରଳ ବାସିନ୍ଦା କାଜିୟା ଏହା ପୂର୍ବରୁ ସମ୍ମାନାସ୍ପଦ ମିସ୍ ଟିନ୍ ଡିଭା ଟାଇଟଲ୍ ଜିତିଥିଲେ । ମିସ୍ ଟିନ୍ ଇଣ୍ଟରନ୍ୟାସ୍ନାଲ ଇଣ୍ଡିଆ-୨୦୨୪ ମୁକୁଟ ବି ଜିତିଥିଲେ । ସେ ଜଣେ ପ୍ରଶିକ୍ଷିତ ନୃତ୍ୟଶିଳ୍ପୀ । ଅନେକ ବିଶ୍ୱସ୍ତରୀୟ ନୃତ୍ୟ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିଛନ୍ତି । ନିରନ୍ତରତା ଓ ଋତୁସ୍ରାବ ସ୍ୱଚ୍ଛତା ପାଇଁ କାର୍ଯ୍ୟରତ କାଜିୟା ସ୍ପିରିଟ୍ଇକୋହେଲ୍ଥ ସହ ମିଶି କାମ କରୁଛନ୍ତି । ମିସ୍ ଟିନ୍ ଡିଭା ମଞ୍ଚରେ ମଧ୍ୟ ସେ ଏହା ଉପରେ ସ୍ୱର ଉଠାଇଥିଲେ ।