ମାଲକାନଗିରି, ୩୧/୧୦ : ଜାତୀୟସ୍ତର ଭଲିବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ସ୍ୱାଭିମାନ ଅଞ୍ଚଳର ମୋସେ ଖରା।              ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ରାଲେଗାଡ଼ା ପଞ୍ଚାୟତ କଣ୍ଟାଗୁଡ଼ା ଗ୍ରାମର କମୁଲୁ ଖରାଙ୍କ ପୁଅ ମୋସେ ଖରା ରାଜ୍ୟସ୍ତରୀୟ ଭଳିବଲ ପ୍ରତିଯୋଗିତାରେ ସଫଳତା ହାସଲ କଲା ପରେ ସେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମୋସେ ମାଲକାନଗିରି ଜିଲ୍ଲା ବାଲିମେଳା ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ କଳାର ପ୍ରଥମ ବର୍ଷ ଛାତ୍ର ଭାବେ ଅଧୟନ କରୁଛନ୍ତି।

ଗତ ୧୧.୧୦.୨୫ ରୁ ୧୪.୧୦.୨୫ ରିଖ ମଧ୍ୟରେ ଭଦ୍ରକ ଜିଲ୍ଲା ହନୁମାନ ଜୀଉ ଉଚ୍ଚ ବିଦ୍ୟାଳୟ, ରେଲୱେ ପଡ଼ିଆ, ଚରମ୍ପାଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରି ଜାତୀୟ କ୍ରୀଡ଼ା ପାଇଁ ମନୋନୀତ ହୋଇଛନ୍ତି ମୋସେ ଖରା। ସେ ଆସନ୍ତା ୧୧.୧୧.୨୫ ରୁ ୧୫.୧୧.୨୫ ରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ବରେଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତର ଭଲିବଲ ପ୍ରତିଯୋଗିତାରେ ଭାଗ ନେବେ । ତାଙ୍କର ଏହି କୃତିତ୍ଵ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଂଜନ ପାଣିଗ୍ରାହୀ, ସହକାରୀ ଜିଲ୍ଲା ଶିକ୍ଷାଧିକାରିଣୀ ମଞ୍ଜୁଲତା ଭୋଇ, ସହକାରୀ ଜିଲ୍ଲା ଶିକ୍ଷାଧିକାରୀ ଭାଗୀରଥି ବେହେରା, ଜିଲ୍ଲା ଶାରିରିକ ଶିକ୍ଷାଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା, ଜିଲ୍ଲା ଶିକ୍ଷାଧିକାରୀଙ୍କ ବରିଷ୍ଠ ସହାୟକ ଅନନ୍ତ ଚରଣ ବେହେରା, କନିଷ୍ଠ ସହାୟକ ପି ଭାନୁ ପ୍ରକାଶ ରାଓ, ଜିଲ୍ଲା ମଧ୍ୟାହ୍ନ ଭୋଜନ ପ୍ରୋଗାମର ଅରୁଣ ପଟ୍ଟନାୟକ ତାଙ୍କୁ ପୁଷ୍ପଗୁଛ ଦେଇ ଉଜ୍ଜଳ ଭବିଷ୍ୟତ କାମନା ସହିତ ଅଭିନନ୍ଦନ ଜଣାଇଛନ୍ତି

ସେ କ୍ରୀଡ଼ା ଶିକ୍ଷକ ଦିଲ୍ଲୀପ କୁମାର ପଟେଲ, ସରକାରୀ ଉଚ୍ଚ ବିଦ୍ୟାଳୟ କର୍ତ୍ତନପାଲ୍ଲୀ, କ୍ରୀଡ଼ା ଶିକ୍ଷକ ସନିଆ ମାଡ଼କାମୀ, ବିଜୁପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଙ୍କ ତତ୍ତ୍ଵାବଧାନରେ ଅଭ୍ୟାସ ଜାରି ରଖି ଏହି ସଫଳତା ପ୍ରାପ୍ତ କରିପାରିଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ଜିଲ୍ଲାର କ୍ରୀଡ଼ା ପ୍ରେମୀ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।