ନମୌଜା,୧୧/୯ : ସୋସିଆଲ ମିଡ଼ିଆ ବ୍ୟାନକୁ ନେଇ 'ଜେନ-ଜି' ଆନ୍ଦୋଳନ ନେପାଳରେ ଅରାଜକତାସ୍ଥିତି ସୃଷ୍ଟି କରିଛି l ନେପାଳର ଚାରିଆଡ଼େ କେବଳ ହିଂସା, ଜଳାପୋଡ଼ା ଓ ଭଙ୍ଗାରୁଜା ଚାଲିଥିବାବେଳେ ଏହାକୁ ନେଇ ଚିନ୍ତାରେ ଆଳିରେ ତାଙ୍କ ପରିବାର ଲୋକେ l ବ୍ୟାପକ ହିଂସାକାଣ୍ଡରେ ଆଳି ଅଞ୍ଚଳରୁ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ ଲୋକେ ଫଶିକି ରହିଛନ୍ତି l ଅଧିକାଂଶ ଲୋକେ ନିଜ ପରିବାରର ଆର୍ଥିକ ସ୍ଥିତି ଯୋଗୁଁ ସେମାନେ ସୁଦୂର ନେପାଳରେ ଦାଦନ ଖଟୁଛନ୍ତି l ଅଧିକାଂଶ ପାଣି ପାଇପ ମିସ୍ତ୍ରୀ ଓ ଶ୍ରମିକ l ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପରିବାର l
ନେପାଳରେ ଥିବା କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ଲୋକେ ଗୃହବନ୍ଦୀ ଭଳି ଜୀବନ ବିତାଉଛନ୍ତି l କାରଣ ବାହାରେ ହିଂସାକୁ ନେଇ ସେମାନେ ଘରେ ବନ୍ଦ କୋଠରୀରେ ରହୁଛନ୍ତି l ଏଭଳି ଘଟଣା ଘଟିବ ଯାହା ସେମାନେ ଆଶା କରି ନ ଥିଲେ l ତେଣୁ ଘରେ ଥିବା ଖାଦ୍ୟ ଶେଷ ହୋଇଗଲାଣି l ଖାଦ୍ୟ ବିନା ସେମାନେ ଛଟପଟ ହେଉଥିବା କଥା ଏଠି ପରିବାର ଲୋକେ ଶୁଣି କାନ୍ଦି କାନ୍ଦି ସେମାନଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି l
ଏପଟେ ପରିବାର ଲୋକେ ଆଶା ବାନ୍ଧି ବସିଛନ୍ତି ସରକାର ସେମାନଙ୍କୁ ଫେରାଇ ଆଣିବେ l କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ସିଙ୍ଗିରି ପଞ୍ଚାୟତ ଅଳିହା ଗ୍ରାମର ପତିତପାବନ ବେହେରାଙ୍କ ବଡ଼ପୁଅ ଭଗବାନ ବେହେରା ନେପାଳର କାଠମାଣ୍ଡୁ ସହରରେ ଦୀର୍ଘ ୩୦ବର୍ଷ ହେବ ପାଣି ପାଇପ ମିସ୍ତ୍ରୀ ଭାବେ କାମ କରି ଆସୁଛନ୍ତି l ସିଙ୍ଗିରି ଅଳିହା ଗ୍ରାମର ବଟକୃଷ୍ଣ ମହାଳିକଙ୍କ ଦୁଇ ପୁତ୍ର ସୁବ୍ରତ ମହାଳିକ, ସତ୍ୟସାଗର ମହାଳିକ, ଦୁଇ ବୋହୁ, ନାତୁଣୀଙ୍କ ସହ ବଟକୃଷ୍ଣଙ୍କ ସାନଭାଇ କେଦାରନାଥ ମହାଳିକ, କ୍ଷେତ୍ରବାସୀ ବେହେରାଙ୍କ ପୁଅ ପ୍ରଭାକର ବେହେରା, ସୁଧାକର ବେହେରାଙ୍କ ପୁଅ ସୌମ୍ୟକାନ୍ତ ବେହେରା, ପତ୍ରପୁର ପଞ୍ଚାୟତ ରଇସରପୁର ଗ୍ରାମର ସରସ୍ବତୀ ବେହେରାଙ୍କ ସ୍ୱାମୀ ଶଙ୍କର୍ଷଣ ବେହେରା, ବାଳକାଟୀ ପଞ୍ଚାୟତ ସାନଆଙ୍କୋ ଗ୍ରାମର ଯଶୋବନ୍ତ ରାଉତଙ୍କ ତିନି ପୁଅ ରମାକାନ୍ତ, ଉମାକାନ୍ତ, ପ୍ରକାଶଙ୍କ ସହ ତାଙ୍କ ପରିବାର, ତତସହିତ ସାନଆଙ୍କୋ ଗ୍ରାମର ଜଗ ରାଉତଙ୍କ ଦୁଇ ପୁଅ ଅଲେଖ ଓ ତ୍ରୈଲୋକ୍ୟ, ନିଆଳ ପଞ୍ଚାୟତ ବଳଭଦ୍ରପୁର ଶାସନର ଗୋପାଳଚନ୍ଦ୍ର ସିଂଙ୍କ ପୁଅ ବାବୁନି ସିଂଙ୍କ ସହିତ ଆଳି ବ୍ଲକର ଏକ ହଜାରରୁ ଊର୍ଦ୍ଧ୍ୱ ଲୋକେ ନେପାଳର ବିଭିନ୍ନ ଅଂଶରେ ଫସି ରହିଛନ୍ତି l ଯଥାଶୀଘ୍ର ସୁରକ୍ଷିତ ଭାବେ ନେପାଳରେ ଏ ଜଟିଳ ପରିସ୍ଥିତିରେ ଫଶିଥିବା ପରିବାର ଲୋକ ଓ ପ୍ରିୟପରିଜନଙ୍କୁ ଫେରାଇ ଆଣିବାକୁ ପରିବାର ଲୋକେ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି l