ଭୁବନେଶ୍ୱର,୧୪/୧୦: ରାଜ୍ୟରେ  ନବସୃଜନ ଓ ଔଦ୍ୟୋଗିକ ସଂସ୍କୃତିକୁ ପ୍ରୋତ୍ସାହନ  ଲାଗି ଏମ୍‌ଏସ୍‌ଏମ୍‌ଇ ବିଭାଗ ‘ଷ୍ଟାର୍ଟଅପ୍‌ ଓଡ଼ିଶା’  କାର୍ଯ୍ୟକ୍ରମ ଗ୍ରହଣ କରିଥିଲା । ୨୦୨୫ ସୁଦ୍ଧା  ୫ ହଜାର ଷ୍ଟାର୍ଟଅପ୍‌ ସ୍ଥାପନ ଲକ୍ଷ୍ୟ ରହିଲା । ମାତ୍ର ଏହି ଲକ୍ଷ୍ୟ ପୂରଣ ଏବେ କାଠିକର ପାଠ  ହୋଇଛି । ଉଚିତ୍‌ ମାର୍ଗଦର୍ଶନ ଅଭାବରୁ ଅଧିକାଂଶ  ଷ୍ଟାର୍ଟଅପ୍‌ ଉଦ୍ୟୋଗୀ ପାଣ୍ଠି ପାଉନାହାନ୍ତି । ଫଳରେ ମୂଳ ଲକ୍ଷ୍ୟଠୁ ବହୁ ଦୂରରେ ରହିଛି ରାଜ୍ୟର  ଷ୍ଟାର୍ଟଅପ୍‌ ଉଦ୍ୟୋଗ ।

ଆମ ରାଜ୍ୟରେ ଅଛି ୨୩୬୨ ସ୍ୱୀକୃତିପ୍ରାପ୍ତ  ଷ୍ଟାର୍ଟଅପ୍‌ । ମାତ୍ର ପାଣ୍ଠି ସହ ଅନ୍ୟାନ୍ୟ ଅନେକ  ସମସ୍ୟା ଯୋଗୁ ବହୁ ସଂଖ୍ୟାରେ ଷ୍ଟାର୍ଟଅପ୍‌ ବନ୍ଦ  ହୋଇଯାଉଛି । ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି  ଉଦ୍ୟୋଗୀ । ଇଲେକ୍‌ଟ୍ରୋନିକ୍ସ ଓ ମାନୁଫାକ୍‌ଚରିଂ  ସହ ଏଆଇ, ଡାଟା ସାଇନ୍ସ, ମେସିନ ଲର୍ଣ୍ଣିଂ ଭଳି  ନୂଆ ଜ୍ଞାନକୌଶଳ କ୍ଷେତ୍ରରେ ବ୍ୟାପକ ସୁଯୋଗ  ରହିଛି । ଏହାକୁ ନଜରରେ ରଖି ଓଡ଼ିଶା ନୂଆ  ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ନୀତି ଆଣିଛି ।  ଷ୍ଟାର୍ଟଅପ୍‌ଗୁଡ଼ିକ ଲାଗି ଏ କ୍ଷେତ୍ରରେ ବଡ଼ ସୁଯୋଗ  ରହିଛି । ମାତ୍ର ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଦୃଢ଼ ନ  ହେଲେ ଏ କ୍ଷେତ୍ରରେ ରାଜ୍ୟ ପଛୁଆ ହୋଇଯିବାର  ଆଶଙ୍କା ରହୁଛି ।

ରାଜ୍ୟରେ କେମିତି ଆଗକୁ ଯିବ ଷ୍ଟାର୍ଟଅପ  ସଂସ୍କୃତି? ବିଶେଷଜ୍ଞଙ୍କ ମତ, ତୃଣମୂଳ ସ୍ତରରେ  ଷ୍ଟାର୍ଟଅପ୍‌ଗୁଡ଼ିକୁ ଉଚିତ୍‌ ମାର୍ଗଦର୍ଶନ ଲୋଡ଼ା ।  ଷ୍ଟାର୍ଟଅପ୍‌ଗୁଡ଼ିକର ନିବେଶକଙ୍କୁ ଆକୃଷ୍ଟ କରିବା  ସ୍ତର ଦୃଢ଼ ରହିବା ଆବଶ୍ୟକ । ମାତ୍ର ଏଥିପାଇଁ  ଆମ ରାଜ୍ୟରେ ଇକୋସିଷ୍ଟମ ଆଖିଦୃଶିଆ  ବିକଶିତ ହୋଇ ପାରିନାହିଁ । ଫଳରେ ବେଶି  ଷ୍ଟାର୍ଟଅପ୍‌ ସଫଳତା ପାଇପାରୁ ନାହାନ୍ତି । ରାଜ୍ୟ  ସରକାର ୧୦୦ କୋଟି ଟଙ୍କାର ଷ୍ଟାର୍ଟଅପ୍‌ ଅଭିବୃଦ୍ଧି  ପାଣ୍ଠିର ବ୍ୟବସ୍ଥା କରିଛନ୍ତି । ମାତ୍ର ଅଧିକାଂଶ  ଷ୍ଟାର୍ଟଅପ୍‌ ନିବେଶଯୋଗ୍ୟ ସ୍ତର ଯାଏ ଅଭିବୃଦ୍ଧି  କରିପାରୁ ନାହାନ୍ତି । ଫଳରେ କ୍ୱଚିତ୍‌ ଷ୍ଟାର୍ଟଅପ୍‌ ହିଁ  ଭେଞ୍ଚର କ୍ୟାପିଟାଲ୍‌ ପାଣ୍ଠି କିମ୍ବା ଷ୍ଟାର୍ଟଅପ୍‌ ନୀତିର  ଫାଇଦା ପାଉଛନ୍ତି । ଆଇଓଟି ଷ୍ଟାର୍ଟଅପ୍‌ ଡେଟମ୍ସର ପ୍ରତିଷ୍ଠାତା  ଅମୀୟ ସାମନ୍ତରାୟ କହିଛନ୍ତି, ଷ୍ଟାର୍ଟଅପ୍‌ କେବଳ  ରାଜ୍ୟ ସରକାରଙ୍କ ଉପରେ ନିର୍ଭରଶୀଳ ନ ହୋଇ  କେନ୍ଦ୍ର ସରକାରଙ୍କ ସ୍କିମ୍‌ ଏବଂ ଅନ୍ୟ ବିକଳ୍ପ ଉତ୍ସରୁ  ପାଣ୍ଠି ସଂଗ୍ରହ କରନ୍ତୁ । ଭଲ କାମ କରୁଥିବା  ଷ୍ଟାର୍ଟଅପ୍‌ ସହ ଯୋଡ଼ି ହୋଇ ପରାମର୍ଶ ନିଅନ୍ତୁ ।  ରାଜ୍ୟର ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ଦୃଢ଼ କରିବା  ଲାଗି ସବୁ ଅଂଶୀଦାର ଆଗେଇ ଆସିବା ଉଚିତ୍‌ ।

କ୍ଷୁଦ୍ର ଶିଳ୍ପ ସଂଘ ଓସ୍‌ମୀର ମହାସଚିବ ସାତ୍ତ୍ୱିକ  ସ୍ୱାଇଁ କହିଛନ୍ତି, ଷ୍ଟାର୍ଟଅପ୍‌ ବିପ୍ଳବାତ୍ମକ, ଅଭିନବ  ଚିନ୍ତାଧାରା ସହ କିଛି ବଡ଼ କରିବା ଲକ୍ଷ୍ୟ ରଖନ୍ତୁ ।  ପାଣ୍ଠି ପାଇବା ସବୁବେଳେ ଏକ ଚ୍ୟାଲେଞ୍ଜିଂ  ବ୍ୟାପାର । ମାତ୍ର ଉଚିତ ଢଙ୍ଗରେ ନିରନ୍ତର କାମ  କଲେ ନିଶ୍ଚିତ ପକ୍ଷେ ଷ୍ଟାର୍ଟଅପ୍‌ଗୁଡ଼ିକ ଅଭିବୃଦ୍ଧି  କରିପାରିବେ । ଗେମିଂ ଷ୍ଟାର୍ଟଅପ୍‌ ଗୌରବ  ଗୋଗେମ୍ସର ପ୍ରତିଷ୍ଠାତା ଏସ୍‌.ରବି ଶଙ୍କର  କହିଛନ୍ତି, ରାଜ୍ୟ ଷ୍ଟାର୍ଟଅପ୍‌ ନୀତିକୁ ଆହୁରି  ଅନୁକୂଳ କରାଯାଉ । ଷ୍ଟାର୍ଟଅପ୍‌ ପାଣ୍ଠି ପାଇବାରେ  ୩ ବର୍ଷ ଲାଗିଯାଉଛି । ଷ୍ଟାର୍ଟଅପ୍‌ ଓଡ଼ିଶା ବିଲ୍ଡିଂରେ  ରାଜ୍ୟ ବାହାରର ବଡ଼ କମ୍ପାନିଙ୍କୁ ସ୍ଥାନ ମିଳିଛି ।  ଇନ୍‌କ୍ୟୁବେସନ ସେଣ୍ଟରଗୁଡ଼ିକ କେବଳ ଏକ  ପ୍ରମାଣପତ୍ର ଦେଇ ବସି ଯାଉଛନ୍ତି । ରାଜ୍ୟରେ  ଭେଞ୍ଚର୍‌ କ୍ୟାପିଟାଲ ନେଟୱର୍କରେ ମଧ୍ୟ ସମସ୍ୟା  ରହୁଛି । ଷ୍ଟାର୍ଟଅପ୍‌ ୩୩ କ୍ରୋର୍‌ସର ପ୍ରତିଷ୍ଠାତା  ବିଶ୍ୱରଞ୍ଜନ ନାୟକ କହିଛନ୍ତି, ଷ୍ଟାର୍ଟଅପ୍‌ ନୀତି  ଏତେଟା ଆକର୍ଷକ ହୋଇପାରି ନାହିଁ । ଷ୍ଟାର୍ଟଅପ୍‌  ସହ ମିଶି କାମ କରିବା ମନୋବୃତ୍ତି ମଧ୍ୟ ପ୍ରଶାସନିକ  ସ୍ତରରେ ନାହିଁ । ଷ୍ଟାର୍ଟଅପ୍‌ ସଂସ୍କୃତିର ପ୍ରୋତ୍ସାହନ ଲାଗି  ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଲୋଡ଼ା । ଷ୍ଟାର୍ଟଅପ୍‌  ବଢ଼ିଲେ ଓଡ଼ିଶାର ଅଭିବୃଦ୍ଧିରେ ଯୋଗଦାନ ଦେବେ ।

ଏ ନେଇ ଷ୍ଟାର୍ଟଅପ୍‌ ଓଡ଼ିଶାକୁ ଯୋଗାଯୋଗ  କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା  ମିଳିନାହିଁ । ବର୍ତ୍ତମାନ ଷ୍ଟାର୍ଟଅପ୍‌ ଅନୁଦାନରେ  ବିଳମ୍ବ, ଇନକ୍ୟୁବେସନ କେନ୍ଦ୍ରରେ ସ୍ଥାନ ନ  ମିଳିବା ଏବଂ ରିସ୍କ କ୍ୟାପିଟାଲ ପାଇବା, ଷ୍ଟାର୍ଟଅପ୍‌  ନୀତିର ପ୍ରକୃତ କାର୍ଯ୍ୟାନ୍ୱୟନ ହୋଇପାରୁ ନଥିବା  ଅଭିଯୋଗ ହେଉଛି । ଷ୍ଟାର୍ଟଅପ୍‌ଗୁଡ଼ିକୁ ପାଣ୍ଠି  ଯୋଗାଣ ଓ ସହାୟତା ଲାଗି ରାଜ୍ୟ ସରକାର  ନୀତିଗତ ଦିଗ ଉପରେ ଧ୍ୟାନ ଦେବା ଆବଶ୍ୟକ ।