​​​​​​​ନବରଙ୍ଗପୁର,୧୫/୧୦(ଆପ୍ର):  ରାତି ଅଧରେ ନିଜର ଶୋଇଥିବା ଦୁଇ ବର୍ଷର ଝିଅକୁ ନେଇ ରାସ୍ତା କଡ଼ରେ ଛାଡ଼ି ପ୍ରେମିକଙ୍କ ସହ ମାଆ ଫେରାର ହୋଇଯାଇଛି। ଅନ୍ଧାର ରାତିରେ  ଝିଅଟି ମାଆକୁ ଖୋଜି ପାଇଲାନି।  କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଗଲା କିନ୍ତୁ ମାଆକୁ ନ ପାଇ ଶେଷକୁ କୁନି ଝିଅ ଥକି ପଡି ଗଛ ମୂଳରେ ଥିବା ଏକ ମେଟାଲ ଗଦାରେ ଶୋଇପଡିଥିଲା। ସକାଳ ପାହିଲା ବେଳକୁ ଜଣେ ଦୋକାନୀ ଝିଅକୁ ଉଦ୍ଧାର କରିଥିଲେ।  ମାଆ ଶଦ୍ଦରେ କଳା ଦାଗ ଲଗାଇ ପ୍ରେମିକ ସହ ଫେରାର ହୋଇଯାଇଛି।  ଏଭଳି ଜଣେ ନିର୍ଦ୍ଦୟ ମାଆକୁ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକର ମୋତି ଗାଁରେ। ଏହା ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକରେ  ଚାଞ୍ଚଲ୍ୟ ଖେଳାଇଦେଇଛି। । 

ଖବର ପାଇ ଚାଇଲ୍ଡ ଲାଇନ୍ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୨ ବର୍ଷର କୁନି ଶିଶୁକୁ ଉଦ୍ଧାର କରିଥିଲେ। ପରେ କୁନି ଝିଅର ପରିବାର ଥିବା ଜାଣିବା ପରେ ଉଦ୍ଧାର ଶିଶୁ କନ୍ୟାକୁ ତାର ଅଜା ଆଇଙ୍କୁ ହସ୍ତାନ୍ତର କରି ପୁଲିସ ଏଏସ ଆଇ ବେଣୁ ମାଝୀ ଓ  ଚାଇଲ୍ଡ ଲାଇନର ଜିଲ୍ଲା ସଂଯୋଜିକା ଚିନ୍ମୟୀ ନାୟକ ଫେରିଛନ୍ତି।

ସୂଚନାଯୋଗ୍ୟ ଯେ, ମୋତିଗାଁର ଦୁଇଜଣ ଵିଵାହିତ ପ୍ରେମୀ ଯୁଗଳଙ୍କର ଦୁଇଟି ଲେଖାଏଁ ସନ୍ତାନ ଥିବା ସତ୍ତ୍ୱେ  ପ୍ରେମ ସମ୍ପର୍କରେ ଥିଲେ। ଦୀର୍ଘ ଏକ ମାସ ତଳେ ନିଜ ସ୍ତ୍ରୀ ଓ ସ୍ବାମୀ ଏବଂ ପିଲାଙ୍କୁ ଛାଡ଼ି ଉଭୟ ଫେରାର ହୋଇଥିଲେ। ଏହାକୁ ନେ ଉଭୟ ପରିବାର ଥାନାର ଦ୍ଵାରସ୍ଥ ହୋଇଥିଲେ। ଗତ କିଛି ଦିନ ତଳେ ଉଭୟ ଗାଁକୁ ଫେରିଥିଲେ। ପୁଲିସ ପକ୍ଷରୁ ଉଭୟଙ୍କୁ କାଉନସେଲିଂ କରିଥିଲେ।  ଉଭୟଙ୍କ ପରିବାର ଥିବାରୁ ଏପରି ନ କରିବାକୁ ପରାମର୍ଶ ଦେଇଥିଲେ। ଶିଶୁଙ୍କ ଭବିଷ୍ୟତକୁ ଆଡେଇ ପୁଣି ମଙ୍ଗଳବାର ରାତିରେ ଉଭୟ ପ୍ରେମିଯୁଗଳ ଗାଁ ଛାଡି ଚାଲିଯାଇଥିଲେ। ସବୁଠାରୁ ନିର୍ଦ୍ଦୟ ଓ ଅମାନୁଷିକ ଘଟଣା ମହିଳା ଜଣକ ନିଜର ୪ ବର୍ଷର ଶିଶୁକୁ ଅନ୍ଧାର ରାତିରେ ଗାଁର ରାସ୍ତା କଡ଼ରେ ଛାଡ଼ି ଚାଲିଯିବା ଘଟଣାକୁ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି।