ନୂଆଦିଲ୍ଲୀ, ୬/୧୦ : ମାଉଣ୍ଟ ଏଭରେଷ୍ଟରେ ବରଫ ଝଡ଼। ଫସିଲେ ହଜାରେରୁ ଉର୍ଦ୍ଧ୍ଵ ପର୍ବତାରୋହୀ। ତିବ୍ବତରେ ମାଉଣ୍ଟ ଏଭରେଷ୍ଟର ପୂର୍ବ ଭାଗରେ ବରଫ ଝଡ଼ ହେବା କାରଣରୁ ୪ ହଜାର ୯୦୦ ମିଟର ଉଚ୍ଚରେ ପର୍ବତାରୋହୀମାନେ ଫସି ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୩୫୦ ଜଣ ଟ୍ରେକର୍ସଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଚୀନର ଷ୍ଟେଟ ମିଡିଆ ପକ୍ଷରୁ ଏନେଇ ସୂଚନା ମିଳିଛି। ଅକ୍ଟୋବର ମାସରେ ଏଭରେଷ୍ଟରେ ଟ୍ରେକିଂ ପାଇଁ ଉପଯୁକ୍ତ ସମୟ ହୋଇଥିବା ବେଳେ ଏହି ସମୟରେ ହିମାଳୟାନ ରିଜନରେ ବରଫ ଝଡ଼ ହେବା ଏକ ଦୁର୍ଲଭ ଘଟଣା।
ଚାଇନିଜ୍ ବ୍ରଡକାଷ୍ଟର ସିସିଟିବି ଅନୁସାରେ, ଶୁକ୍ରବାର ବିଳମ୍ଵିତ ରାତିରେ ଏଭରେଷ୍ଟରେ ହଠାତ୍ ବରଫ ଝଡ଼ ଆରମ୍ଭ ହୋଇଯାଇଥିଲା। ଶନିବାର ଯାଏଁ ବରଫ ଝଡ଼ ଜାରି ରହିଥିଲା। ସମ୍ପୂର୍ଣ୍ଣ ଅଞ୍ଚଳ ବରଫରେ ଆଚ୍ଛାଦିତ ହୋଇଯାଇଥିଲା। ଫଳରେ ଏଭରେଷ୍ଟରେ ଏକ ହଜାରରୁ ଉର୍ଦ୍ଧ୍ଵ ପର୍ବତାରୋହୀ ଫସି ରହିଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ରେସକ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଟ୍ରେକିଂ ରୁଟ୍ରୁ ବରଫ ହଟାଯାଉଛି। ରବିବାର ସୁଦ୍ଧା ପ୍ରାୟ ୩୫୦ ଟ୍ରେକର୍ସ କୁଦାଙ୍ଗ ଟାଉନସିପ୍କୁ ଅଣାଯାଇଛି। ବାକି ଟ୍ରେକର୍ସଙ୍କୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଅପରେସନ ଜାରି ରହିଛି। ଆଉ ୨୦୦ ଟ୍ରେକର୍ସଙ୍କ ସହ ଯୋଗାଯୋଗ କରାଯାଇଛି। ରେସକ୍ୟୁ ଟିମ୍ ସହାୟତାରେ ଖୁବଶୀଘ୍ର ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବ।
ସୂଚନା ଥାଉକି, ଚୀନରେ ୮ ଦିନିଆ ରାଷ୍ଟ୍ରୀୟ ଅବକାଶ ଘୋଷଣା ହୁଏ। ଏହି ସମୟରେ ବହୁ ସଂଖ୍ୟାରେ ପର୍ଯ୍ୟଟକ କର୍ମା ଘାଟୀରେ ଟ୍ରେକିଂ ପାଇଁ ଆସନ୍ତି। ଯାହାକି ମାଉଣ୍ଟ ଏଭରେଷ୍ଟର ପୂର୍ବ ଭାଗ କାଙ୍ଗଶୁଙ୍ଗ ପଟେ ରହିଛି। ତେବେ ଶୁକ୍ରବାର ରାତିରେ ଅସାଧାରଣ ଭାବେ ଘାଟୀରେ ବରଫ ଝଡ଼ ଆରମ୍ଭ ହୋଇଯାଇଥିଲା। ଯେଉଁଥିପାଇଁ ପ୍ରାୟ ହଜାରେରୁ ଉର୍ଦ୍ଧ୍ଵ ପର୍ବତାରୋହୀ ଏଠାରେ ଫସି ରହିଛନ୍ତି।