ନୂଆଦିଲ୍ଲୀ: ଜାତୀୟ ମାନବାଧିକାର ପ୍ରତିଷ୍ଠାନ (ଏନଏଚ୍‌ଆରସି) ମୁମ୍ବାଇ ପୋଲିସକୁ ଅଭିନେତା ରଣବୀର କପୂରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛି। ଏହାସହ 'The Ba***ds of Bollywood' ନାମକ ନେଟଫ୍ଲିକ୍ସ୍ ଓଟିଟି ସିରିଜର ପ୍ରଡ୍ୟୁସର ଏବଂ ନେଟଫ୍ଲିକସ୍(ଭିଡିଓ ଷ୍ଟ୍ରିମିଂ ଆପ) ବିରୋଧରେ ମଧ୍ୟ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ରହିଛି। ୨୦୧୯ ମସିହାରେ କାର୍ଯ୍ୟକାରି ହୋଇଥିବା 'ପ୍ରୋହିବିସନ୍ ଅଫ୍ ଇଲେକ୍ଟ୍ରନିକ ସିଗାରେଟ୍ସ୍ ଆକ୍ଟ'ର ଉଲ୍ଲଙ୍ଘନ କରି ଇ-ସିଗାରେଟ୍ (ଭେପିଂ) ପ୍ରଚାର କରିବା ପାଇଁ ଏହି ଆଦେଶ ଆସିଥିବା ଜଣାପଡିଛି।

ଏହି ପଦକ୍ଷେପଟି ବିନୟ ଜୋଶୀ ନାମକ ଜଣେ ଅଭିଯୋଗକାରୀଙ୍କ ଦ୍ୱାରା ଦାୟର କରାଯାଇଥିବା ପିଟିସନ ଆଧାରରେ ନିଆଯାଇଛି। ଯେଉଁଥିରେ ଅଭିଯୋଗକାରୀ କହିଛନ୍ତି ଯେ, ସିରିଜର ଥିବା ଏକ ଦୃଶ୍ୟରେ ରଣବୀର କପୂରଙ୍କୁ କୌଣସି ଚେତାବନୀ ବା ଡିସ୍କ୍ଲେମର ବିନା ଭେପିଂ କରୁଥିବାର ଦେଖାଯାଇଛି। ଏଣୁ ଏହା ଯୁବପିଢୀମାନଙ୍କୁ ଭୁଲ ପଥରେ ନେବା ସହ ସାର୍ବଜନିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ ବୋଲି ସେ ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି। ଏହାଛଡା ଏହି ଦୃଶ୍ୟ ଭାରତରେ ଆଇନ ପାଳନର ଅପମାନ ବୋଲି ସେ ଅଭିଯୋଗ କରିଛନ୍ତି।

ଏନେଇ କମିଶନ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବଙ୍କୁ ଏକ ନୋଟିସ ଜାରି କରି ଯୁବ ପିଢ଼ିକୁ ଭୁଲ ଭାବରେ ପ୍ରଭାବିତ କରୁଥିବା ଏପରି ବିଷୟବସ୍ତୁକୁ ତୁରନ୍ତ ନିଷିଦ୍ଧ କରିବା ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏହାସହ ମୁମ୍ବାଇ ପୋଲିସ୍ କମିସନରଙ୍କୁ ଇ-ସିଗାରେଟ୍ର ଉତ୍ପାଦନକାରୀ ଏବଂ ଆମଦାନିକାରୀଙ୍କ ବିରୋଧରେ ତଦନ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ମୁମ୍ବାଇ ପୋଲିସକୁ ଦୁଇ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଜମା କରିବାକୁ କମିଶନ ପକ୍ଷରୁ କୁହାଯାଇଛି।

ଆପଣଙ୍କୁ ଜଣାଇରଖୁ ଯେ 'The Ba***ds of Bollywood' ନାମକ ଏହି ଓଟିଟି ସିରିଜଟି ବର୍ତ୍ତମାନ ମଧ୍ୟ ନେଟଫ୍ଲିକସ୍ ଆପରେ ସ୍ଟ୍ରିମିଂ ହେଉଛି। ଏହି ୱେବ ସିରିଜକୁ ନିର୍ଦ୍ଦେଶକ ଆର୍ଯ୍ୟନ ଖାନ୍ ନିର୍ଦ୍ଦେଶନା କରିଛନ୍ତି।