ଥିରୁଅନନ୍ତପୁରମ,୨୧/୦୯: ପତ୍ନୀଙ୍କୁ ପୋଷିବାକୁ କ୍ଷମତା ନ ଥିଲେ ଦୁଇ ତିନି ବିବାହ କାହିଁକି କରୁଛ ? ପୋଷି ନ ପାରିଲେ ଏକାଧିକ ବିବାହ କରନି । ସକ୍ଷମ ହୋଇ ନଥିଲେ କୌଣସି ମୁସଲମାନ ବ୍ୟକ୍ତିଙ୍କୁ ଏକାଧିକ ବିବାହ କରିବାକୁ ଅନୁମତି ଦିଆଯିବ ନାହିଁ । କେରଳ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି, କୌଣସି ମୁସଲିମ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଭରଣ-ପୋଷଣ ଦେବାକୁ ଆର୍ଥିକ ରୂପେ ସକ୍ଷମ ନଥିଲେ ଏକାଧିକ ବିବାହ କରନ୍ତୁ ନାହିଁ । ଜଣେ ଦୃଷ୍ଟିହୀନ ସ୍ୱାମୀଠୁ ଭରଣପୋଷଣ ଦାବି କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଦ୍ୱିତୀୟ ପତ୍ନୀ  । ଭିକ୍ଷା ମାଗି ବଞ୍ଚୁଥିବା ସ୍ୱାମୀଙ୍କଠାରୁ ମାସିକ ୧୦,୦୦୦ ଭରଣପୋଷଣ ଦାବି କରୁଥିବା ଜଣେ ମହିଳାଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ରାୟ ଦେଇଛନ୍ତି । ସେ ଏପରି ସ୍ଥିତିରେ ଉକ୍ତ ବ୍ୟକ୍ତିଙ୍କ ଏକାଧିକ ବିବାହକୁ ସ୍ୱୀକାର କରାଯାଇ ପାରିବ ନାହିଁ । ଯଦି ଆର୍ଥିକ ସହୟତା ଦେବାକୁ ସକ୍ଷମ ନାହିଁ ତେବେ ଏକାଧିକ ବିବାହ କାହିଁକି କରିବେ ?

ଜଣେ ମୁସଲିମ ବ୍ୟକ୍ତି ଯିଏକି ଭିକ୍ଷାବୃତ୍ତି କରି ଗୁଜୁରାଣ ମେଣ୍ଟାନ୍ତି । ତାଙ୍କ ଦ୍ବିତୀୟ ପତ୍ନୀ ଦାଏର କରିଥିବା ଆବେଦନର ଶୁଣାଣି କରି କେରଳ ହାଇକୋର୍ଟ ଜଷ୍ଟିସ ପିଭି କୁହ୍ହିକ୍ରିଷ୍ଣନ୍‌ ଏହି ବଡ଼ ରାୟ ଦେଇଛନ୍ତି । ମୁସଲିମ ବ୍ୟକ୍ତିଙ୍କ ଦ୍ବିତୀୟ ପତ୍ନୀ ତାଙ୍କ ଠାରୁ ମାସକୁ ୧୦ ହଜାର ଟଙ୍କା ଭରଣପୋଷଣ ମାଗିଥିଲେ । ଏହି ମାମଲା ପେରିଥଲମନ୍ନା ଅଞ୍ଚଳର । ୩୯ ବର୍ଷୀୟ ମହିଳା ନିଜ ଅନ୍ଧ ସ୍ୱାମୀଙ୍କ ବିରୋଧରେ କୋର୍ଟ ଯାଇଥିଲେ । ସେ କହିଥିଲେ ଯେ ସ୍ୱାମୀ ମାସକୁ ୨୫ ହଜାର ଟଙ୍କା ଆୟ କରୁଛନ୍ତି । ସେଥିପାଇଁ ଭରଣପୋଷଣ ଲାଗି ୧୦ ହଜାର ଟଙ୍କା ମାଗିଛି । ଏବେ ସେ ପ୍ରଥମ ପତ୍ନୀଙ୍କ ସହ ରହୁଛନ୍ତି । ଆଗକୁ ତୃତୀୟ ବିବାହ କରିବେ ବୋଲି ଧମକ ମଧ୍ୟ ଦେଉଛନ୍ତି । ଏହି ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ''ଭିକ୍ଷାବୃତ୍ତି କରୁଥିବା ସ୍ୱାମୀଙ୍କୁ ଭରଣପୋଷଣ ଦେବା ପାଇଁ ନିର୍ଦ୍ଦେଶ ଦେଇପାରିବେ ନାହିଁ । ଏହା କହି କୋର୍ଟ ମହିଳାଙ୍କ ଆବେଦନ ଖାରଜ କରି ଦେଇଛନ୍ତି । ଶିକ୍ଷା ଏବଂ ଆଇନର ଜ୍ଞାନ  ନଥିବାରୁ ମସୁଲିମ ସମାଜରେ ଏଭଳି ବିବାହ ହେଉଛି । ଅଦାଲତ କୌଣସି ମୁସଲିମ ବ୍ୟକ୍ତିଙ୍କୁ ପ୍ରଥମ,ଦ୍ବିତୀୟ କିମ୍ବା ତୃତୀୟ ବିବାହ କରିବାକୁ ଅନୁମତି ଦେବେ ନାହିଁ । ମୁସଲିମ ବ୍ୟକ୍ତି ଚାହିଁଲେ ଏକାଧିକ ବିବାହ କରିପାରିବେ ବୋଲି ଏକାଧିକ ଭ୍ରାନ୍ତ ଧାରଣା ସୃଷ୍ଟି ହେଉଛି । ଏଭଳି ବିବାହ କରିବାକୁ ସମାର୍ଥ୍ୟ ରହିବା ଦରକାର ।''

ସୂଚନାଯୋଗ୍ୟ, ଭିକ୍ଷାବୃତ୍ତି କରୁଥିବା ସ୍ୱାମୀଙ୍କ ପତ୍ନୀ ନିଜ ଆବେଦନରେ ଦାବି କରିଥିଲେ ଯେ ତାଙ୍କର ୪୬ ବର୍ଷୀୟ ଦୃଷ୍ଟିହୀନ ସ୍ୱାମୀ ଭିକ୍ଷାବୃତ୍ତି ସହ ଅନ୍ୟ ମାଧ୍ୟମରୁ ପ୍ରାୟ ୨୫ ହଜାର ଟଙ୍କା ରୋଜଗାର କରୁଛନ୍ତି । ସେଥିପାଇଁ ତାଙ୍କୁ ମାସିକ ୧୦ ହଜାର ଟଙ୍କା ଭରଣପୋଷଣ ମିଳୁ । ପ୍ରଥମ ପତ୍ନୀଙ୍କ ସହ ରହୁଥିବା ତାଙ୍କ ସ୍ୱାମୀ ଖୁବ୍‌ଶୀଘ୍ର ସେ ୩ୟ ବିବାହ କରିବେ ବୋଲି ଧମକ ଦେଉଥିବା ମହିଳା ଜଣକ କୋର୍ଟକୁ ଜଣାଇଛନ୍ତି  ।