ଭୁବନେଶ୍ୱର,୧୫/୧୦ : କିଛି ଛନ୍ଦ ଓ ପଦର ସମାହାରରେ ଗୀତର ସୃଷ୍ଟି । ଗାୟକ ସେତକ ବୋଲି ସାରିଲା ପରେ ବାଦ୍ୟର ତାଳ ସେହି ସମୟ ହାରରେ ବନ୍ଦ ହୋଇଯାଏ । ହେଲେ ଏମିତି ଜଣେ ଗାୟକ ଅଛନ୍ତି, ତାଙ୍କ କଣ୍ଠରୁ ଭଜନ ନିସୃତ ହେଲେ ରାତି ପାହିଯାଏ ସିନା ଗୀତ ସରେନି । ବାୟକ ଅର୍ଥାତ୍ ବାଜା, ହାରମୋନିୟମ, ବେହେଲା, ଯୋଡ଼ିନାଗରା, ଗିନି, ଖଞ୍ଜଣି ବଜାଉଥିବା କଳାକାରଗଣ ବିରକ୍ତ ହୋଇଯାଆନ୍ତି । ହେଲେ ସ୍ମିତହାସ୍ୟ ଠାଣିରେ ଗାୟକ ଇଙ୍ଗିତ କରନ୍ତି କର ଚାଲୁଥାଉ । ବଣମଲ୍ଲୀ ଭଳି ଏହି ଅନନ୍ୟ କଳାକାରଙ୍କ ନାମ ହେଉଛି ନାରାୟଣ ମଲିଆ । ତାଙ୍କ ନାମକୁ ସାର୍ଥକ କରି ନାରାୟଣଙ୍କ ଭକ୍ତି ଭାବନାରେ ସେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଛନ୍ତି ।
ସବୁଠାରୁ ବଡ଼ କଥା ହେଲା ଭଜନ, ଜଣାଣ ବୋଲିଲା ବେଳେ ସେ କୌଣସି କବିଙ୍କ ସର୍ଜନାଙ୍କୁ ଦୋହରାନ୍ତି ନାହିଁ । ବରଂ ନିଜ ମନରୁ ପଦକୁ ପଦ ଛନ୍ଦି ଠାକୁରଙ୍କ ଭକ୍ତିରେ ବିଲୟ ହୋଇଯାନ୍ତି । ଆପେ ଆପେ ଗୋଟିଏ ପରେ ଗୋଟିଏ ପଦ ତାଙ୍କ କଣ୍ଠକୁ ଚାଲିଆସେ । ସ୍ୱର ତାଙ୍କର ସେତେ ଉଚ୍ଚକୋଟୀର ନ ହେଲେ ମଧ୍ୟ ତାଳଜ୍ଞାନ ମେଳକ ବେଶ୍ ସ୍ୱାଭାବିକ । ଫଳରେ ବାୟକମାନେ ଅତ୍ୟନ୍ତ ଉତ୍ସାହିତ ହୋଇ ତାଙ୍କ ଗୀତକୁ ଆହୁରି ସୁମଧୁର କରି ତୋଳନ୍ତି । ଶିବ ସହସ୍ରନାମ, ଜଗନ୍ନାଥଙ୍କ ଜଣାଣ, କପିଳେଶ୍ୱର, ଶ୍ରୀଲିଙ୍ଗରାଜଙ୍କ ସ୍ତୁତି, ବେଦ, ପୁରାଣ କେତେ କ’ଣ ତାଙ୍କ ପାଟିରୁ ବାହାରି ଚାଲିଥାଏ । ଗୀତ ଲମ୍ବି ଚାଲେ । ଏପଟେ ବାୟକଙ୍କ ଉତ୍ସାହ ଧୀରେ ଧୀରେ ମଳିନ ପଡ଼ିଯାଏ । ନାରାୟଣଙ୍କ କଣ୍ଠରୁ ଅନବରତ ଗୀତରେ ଘଣ୍ଟାଏ ୨ ଘଣ୍ଟା ବାଦ୍ୟ ବଜାଇ ବାୟକ ଥକି ଯାଆନ୍ତି । ଆଖିରେ ନାରାୟଣଙ୍କୁ ଇଶାରା ଦିଅନ୍ତି, ଭାଇ ଟିକେ ବିଶ୍ରାମ ଦିଅ । ହେଲେ ନାରାୟଣ ମୃଦୁହାସ୍ୟ ମୁଖରେ ଆଉ କିଛି ସମୟ ଚାଲୁ ବୋଲି ଠାରି ଦିଅନ୍ତି । ଶେଷରେ ବାୟକଙ୍କ ଅସହାୟତାକୁ ନଜରରେ ରଖି ସେ ନିଜର ଅଛିଣ୍ଡା ଗୀତରେ ପୂର୍ଣ୍ଣଚ୍ଛେଦ ଦିଅନ୍ତି । ପରିସ୍ଥିତି ଏମିତି ହୁଏ ଯେ ଅନେକ ଗାୟକ ତାଙ୍କ ଗୀତ ଶେଷ ହେବାକୁ ଅପେକ୍ଷା କରି କରି ଶେଷରେ ମଞ୍ଚ ଛାଡ଼ି ପଳାଇବାକୁ ବାଧ୍ୟ ହୁଅନ୍ତି ।
ପୁରୁଣା ଭୁବନେଶ୍ୱର ଓ ଏହାର ଉପକଣ୍ଠ ଗ୍ରାମାଞ୍ଚଳରେ ତ୍ରିନାଥ ମେଳା କୀର୍ତ୍ତନ ଓ ଅଷ୍ଟପ୍ରହର ସଂକୀର୍ତ୍ତନ ମେଳାରେ ଗାୟକ ଭାବେ ନାରାୟଣ ବେଶ୍ ଜଣାଶୁଣା । ନାରାୟଣଙ୍କୁ ୭୬ ବର୍ଷ ବୟସ ହେଲାଣି । ହେଲେ ତାଙ୍କ କଣ୍ଠ ଏବେ ବି ଥମିନାହିଁ । ଗରିବ ଘର । ହେଲେ ରାତିତମାମ ଭଜନ ବୋଲିଲେ ବି ସେ ନିର୍ଦ୍ଦିଷ୍ଟ ପାରିଶ୍ରମିକ ମାଗନ୍ତି ନାହିଁ । ଯିଏ ଯାହା ଦେଲା ତାକୁ ମୁଣ୍ଡରେ ମାରି ଅଣ୍ଟାରେ ଖୋସନ୍ତି । ସନ୍ଧ୍ୟା ହେଲେ ଗିନି, ଖଞ୍ଜଣି ଧରି ନିଜ ବାୟକ ସହଯୋଗୀଙ୍କ ସହିତ ଯେଉଁଠି ଡାକରା ପଡ଼ିଥାଏ ସେଠି ପହଞ୍ଚି ଯାଆନ୍ତି । ୩ ବର୍ଷ ତଳେ ସାଇକେଲରେ ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ସେ ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏକ ବାଇକ୍ ପିଟି ଦେବାରୁ ସାଇକେଲରୁ ପଡ଼ି ତାଙ୍କ ପେଣ୍ଡା ହାଡ଼ ଭାଙ୍ଗି ଯାଇଥିଲା । ଠାକୁରଙ୍କ ଦୟାରୁ ସେ ପୁଣି ଉଠିଲେ । ଏବେ ବାଡ଼ି ଖଣ୍ଡେ ଧରି ଛୋଟେଇ ଛୋଟେଇ ଯାଇ କାର୍ଯ୍ୟକ୍ରମରେ ପହଞ୍ଚି ଯାଉଛନ୍ତି । ଠାକୁରଙ୍କ ଭଜନ ବୋଲାରେ ନିମଗ୍ନ ହୋଇଯାଉଛନ୍ତି ।