ଭୁବନେଶ୍ୱର,୧୩/୦୯: ମଧ୍ୟସ୍ଥତା ମାଧ୍ୟମରେ ବିଭିନ୍ନ ମକଦ୍ଦମାର ସମାଧାନ ପାଇଁ ଆସନ୍ତା ୨୮ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି ଦ୍ୱିତୀୟ ଜାତୀୟ ମେଡିଏସନ କର୍ମଶାଳା । ଏହି ଜାତୀୟ କର୍ମଶାଳାରେ ଭାରତର ପ୍ରଧାନ ବିଚାରପତି ବି.ଆର.ଗାଭାଇଙ୍କ  ସମେତ ବିଭିନ୍ନ ରାଜ୍ୟର ମୁଖ୍ୟ ବିଚାରପତି, ବିଚାରପତି, ଆଡଭୋକେଟ ଜେନେରାଲ, ଆଇନ ବିଭାଗ ସଚିବ ଏବଂ ମଧ୍ୟସ୍ଥତା ସହ ସମ୍ପୃକ୍ତ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଜାତୀୟସ୍ତରୀୟ କର୍ମଶାଳାର ସଫଳ  ଆୟୋଜନ ଓ ଶ୍ରେଷ୍ଠ ଆତିଥେୟତା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ।  

ଲୋକସେବା ଭବନ କନଭେନସନ ହଲ୍‌ରେ ହେବାକୁ ଥିବା ଏହି କର୍ମଶାଳାକୁ  ସବୁ ଦିଗରୁ ସଫଳ କରିବା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ  କହିଲେ, ବିଭିନ୍ନ ସମୟରେ ଛୋଟ କାରଣ ନେଇ ଲୋକମାନେ କୋର୍ଟ କଚେରୀର ଦ୍ୱାରସ୍ଥ  ହେଉଛନ୍ତି । ତେଣୁ ନ୍ୟାୟାଳୟ ଉପରେ ଅଯଥା ଚାପ ପଡ଼ୁଛି । ଅନେକ ଗୁରୁତ୍ୱପୂର୍ଣ୍ଣ  ମାମଲା ଫଇସଲାରେ ବିଳମ୍ବ ହେଉଛି । ତେଣୁ ଭାରତ ସରକାରଙ୍କ ପକ୍ଷରୁ ଆସିଥିବା  ମଧ୍ୟସ୍ଥତା ମାଧ୍ୟମରେ ମକଦ୍ଦମାଗୁଡିକର ଆପୋଷ ସମାଧାନ ଏକ ଉତ୍ତମ ମାର୍ଗ । ଏହି ଜାତୀୟ କର୍ମଶାଳା ସଚେତନତା ସୃଷ୍ଟି କରିବାରେ ସହାୟକ ହେବ । ବୈଠକରେ  ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ପୁଲିସ ମହାନିର୍ଦ୍ଦେଶକ ଯୋଗେଶ  ବାହାଦୁର ଖୁରାନିଆ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ,  ସୂଚନା ପ୍ରଯୁକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ ଦେବ, ପୁଲିସ କମିଶନର  ଦେବଦତ୍ତ ସିଂହ, ପର୍ଯ୍ୟଟନ ବିଭାଗ ଶାସନ ସଚିବ ବଲବନ୍ତ ସିଂ, ଇପିକଲ ପରିଚାଳନା  ନିର୍ଦ୍ଦେଶକ ଭୁପେନ୍ଦର ସିଂହ ପୁନିଆ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଆର. କେ.  ଶର୍ମା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରୁବୀର ସିଂ ଏବଂ  ଆଇନ ବିଭାଗ ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର ଉପସ୍ଥିତ ଥିଲେ ।