ଭୁବନେଶ୍ୱର, ୭/୧୧ : ଆସନ୍ତା ରବିବାର ସନ୍ଧ୍ୟାରେ ସରିବ ନୂଆପଡ଼ା ଉପନିର୍ବାଚନ ପ୍ରଚାର । ତା’ ପୂର୍ବରୁ ପ୍ରଚାର ପାଇଁ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି କୌଣସି ଦଳ। ବିଜେଡି ମଧ୍ୟ ସଭାପତି ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତାକୁ ଦେଖାଇ ଭୋଟ ଟାଣିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି । ତେଣୁ ଦ୍ୱିତୀୟ ଥର ପାଇଁ ଶୁକ୍ରବାର ନବୀନଙ୍କର ମାରାଥନ୍‌ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଗତ ୩ ତାରିଖରେ ନବୀନ ପ୍ରଥମ ପର୍ଯ୍ୟାୟ ପ୍ରଚାରରେ ଯାଇ ନୂଆପଡ଼ାର କୋମନା ବ୍ଲକରେ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ୍‌ ଦେବାକୁ କହିଥିଲେ । ଆଜି ମଧ୍ୟ ନବୀନ ନୂଆପଡ଼ାରେ ମାରାଥନ୍ ପ୍ରଚାର କରିବେ। 

ସୂଚନାନୁଯାୟୀ, ଭୁବନେଶ୍ୱରରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ନବୀନ ଦିନ ସାଢେ ୧୧ଟାରେ ଖରିଆରରୋଡ୍‌ ଥାନା ନିକଟରେ ଥିବା ହେଲିପ୍ୟାଡରେ ପହଞ୍ଚିବେ। ସେଠାରୁ ରୋଡ୍‌ ସୋ'ରେ ନୂଆପଡ଼ା ପର୍ଯ୍ୟନ୍ତ ଯିବେ । ଏହି ଅବସରରେ ଖରିଆର ରୋଡ୍‌ର ଡାଗା ଛକ, ବିଜୁ ପଟ୍ଟନାୟକ ଛକ, ଲଖ୍ମନିଆ ପେଟ୍ରୋଲ ପମ୍ପ ଛକରେ ଉପସ୍ଥିତ ଜନସାଧାରଣଙ୍କୁ ନବୀନ ଉଦ୍‌ବୋଧନ ଦେବେ । ପରେ ସେ ରୋଡ୍‌ ସୋ'ରେ ନୂଆପଡ଼ା ଏନ୍‌ଏସିରେ ପହଞ୍ଚି ସୂର୍ଯ୍ୟନଗର ଛକ, ଗାୟତ୍ରୀ ମନ୍ଦିର ଛକ ଓ ଏକତା ଛକରେ ଜନତାଙ୍କୁ ଉଦ୍‌ବୋଧନ ଦେବେ । ଅପରାହ୍ନ ୩ଟାରେ ନୂଆପଡ଼ାର ପାରକୋଡ୍‌ରେ ସାଧାରଣ ସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ନବୀନ ବାବୁଙ୍କୁ ଦେଖିବା ପାଇଁ ଏସବୁ ସ୍ଥାନରେ ଲୋକେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ବିଜେପି ସରକାରକୁ ନୂଆପଡ଼ା ଉପନିର୍ବାଚନରେ ଲୋକେ ଉଚିତ ଶିକ୍ଷା ଦେବାକୁ ମନସ୍ଥ କରି ସାରିଛନ୍ତି ବୋଲି ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁ କହିଛନ୍ତି ।