ଭୁବନେଶ୍ଵର, ୧୮/୧୦ : 'ନବୀନ ହାତ ହଲାଇ ଦେଲେ ସବୁ ଆକଳନ ଓଲଟି ଯିବ। ବିଜେଡି ସପକ୍ଷରେ ସବୁ ଭୋଟ୍ ଯିବ।' ନୂଆପଡ଼ା ପାଇଁ ବିଜେଡିର ଷ୍ଟ୍ରାଟେଜୀ। ସ୍ନେହାଙ୍ଗିନୀଙ୍କ ପାଇଁ ୨ ଥର ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ। ବିଜେଡି ସୁପ୍ରିମୋ ନୂଆପଡ଼ାରେ ୨ ଥର ପ୍ରଚାର କରିବେ। ଏନେଇ ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି।
ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ, ପଶ୍ଚିମ ଓଡ଼ିଶା ନେତା ନବୀନଙ୍କୁ ଭେଟି ନୂଆପଡ଼ାରେ ପ୍ରଚାର କରିବାକୁ ଅନୁରୋଧ କରିଛନ୍ତି। ନେତାଙ୍କ ଅନୁରୋଧ ପରେ ନବୀନଙ୍କ ପ୍ରଚାର ପାଇଁ ଗସ୍ତ ସୂଚୀ ଚୂଡ଼ାନ୍ତ ହୋଇଛି। ନୂଆପଡ଼ାରେ ପ୍ରଚାର ପାଇଁ ନବୀନ ୨ ଥର ଯିବେ। ନବୀନ ସେଠାରେ ପହଞ୍ଚିବା ପରେ କଂଗ୍ରେସ ଓ ବିଜେପିର ସବୁ ଆକଳନ ଭୁଲ୍ ହୋଇଯିବ। ରାଜେନ୍ଦ୍ର ଢୋଲକିଆ କେଉଁ ଦଳରେ ଥିଲେ, ତାଙ୍କ ଦେହାନ୍ତ ସମୟରେ କେଉଁମାନେ ଯାଇଥିଲେ, ତାଙ୍କ ପାଇଁ କିଏ କାମ କରିଥିଲା ତାହା ସମସ୍ତେ ଜାଣିଛନ୍ତି। ବିଜୁ ଜନତା ଦଳରୁ ସେ କ୍ୟାବିନେଟ ମନ୍ତ୍ରୀ ଥିଲେ। ବିଜେପି ଫୋଟୋ ଲଗାଇ ଯଦି ପ୍ରଚାର କରିବ ତେବେ କୌଣସି ଫଳ ମିଳିବ ନାହିଁ । ଜୟ ଢୋଲକିଆଙ୍କୁ ରାଜୁ ଢୋଲକିଆଙ୍କ ସମସ୍ତ ସମର୍ଥକ ବିରୋଧ କରୁଛନ୍ତି।