ବୌଦ୍ଧ,୧୨/୧୦:ନଦୀକୂଳରେ ପ୍ରଥମେ ସଭ୍ୟତାର ବିକାଶ ହୋଇଥିଲା । ପ୍ରାଚୀନ କାଳରୁ ନଦୀ ଲୋକଙ୍କ ଜୀବନଜିବୀକାର ମାଧ୍ୟମ ଥିଲା । ଦ୍ରୁତ ବିକାଶ ସଂଗେ ଏବେ ନଦୀନାଳ ଏବଂ ଜଙ୍ଗଲର ମଧ୍ୟ ଅବକ୍ଷୟ ଘଟିଛି । ବଣଜଙ୍ଗଲ, ନଦୀ ସଭ୍ୟତାକୁ ନେଇ ନିଜର ଜିବୀକା ନିର୍ବାହ କରୁଥିବା ସମ୍ପ୍ରଦାୟମାନେ ଏବେ ସଂଘର୍ଷ କରୁଛନ୍ତି । ତନ୍ମଧ୍ୟରୁ ଝରା ସମ୍ପ୍ରଦାୟ ଅନ୍ୟତମ । ବୌଦ୍ଧ ଜିଲ୍ଲା ଦେଇ ମହାନଦୀ, ତେଲନଦୀ, ସାଲୁଙ୍କି, ବାଘ ଆଦି ଅନେକ ନଦୀ ପ୍ରବାହିତ ହୋଇଛି । ଏହି ନଦୀକୂଳ ଗୁଡ଼ିକରେ କେଉଁ ଆବହମାନ କାଳରୁ ଝରା, କେଉଟ, ଧୀବର ସମ୍ପ୍ରଦାୟର ଲୋକ ବସବାସ କରିଆସୁଛନ୍ତି । ଉକ୍ତ ସମ୍ପ୍ରଦାୟର ଲୋକମାନେ ପୂର୍ବରୁ ନୌବାଣିଜ୍ୟ ସହିତ ନଦୀରୁ ମାଛମାରି ନିଜର ପରିବାର ପ୍ରତିପୋଷଣ କରିଆସୁଛନ୍ତି । 

ହେଲେ ଏବେ ବିକାଶ ସୁଅରେ ଅନେକ ନଦୀନାଳ ମାନଚିତ୍ରରୁ ନିଶ୍ଚିହ୍ନ ହୋଇଯାଇଛି । ଶିଳ୍ପାୟନର ଦ୍ରୁତ ବିକାଶ ଯୋଗୁଁ ଏବେ ମହାନଦୀ ଶୁଷ୍କ ହୋଇଯାଇଛି । ତେଣୁ ପୂର୍ବଭଳି ନଦୀ ଉପରେ ନିର୍ଭର କରି ଚଳିବା ସମ୍ଭବ ହେଉନାହିଁ । ନଦୀ ଉପରେ ନିର୍ଭର କରି ଚଳୁଥିବା ଝରା ସମ୍ପ୍ରଦାୟର ଲୋକେ ଏବେ କୁଲିମଜୁରି, ଦାଦନ ଯାଇ ଦୁର୍ଦ୍ଦିନରେ ଗତି କରୁଛନ୍ତି । ଆଜିବି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ପ୍ରଗଳପୁର, କେଳାକଟାର ଝରାସାହି, କୃଷ୍ଣମୋହନପୁର, କଣ୍ଟାମାଳ ବ୍ଲକର ସାହୁପଡ଼ା, ତୁଣ୍ଡିମାଳର ନଦୀକୂଳ ଆଦି ସ୍ଥାନରେ ଉକ୍ତ ସମ୍ପ୍ରଦାୟର ୨୫୦ ପରିବାରର ପ୍ରାୟ ୧ହଜାରୁ ଊଦ୍ଧ୍ୱର୍ ଲୋକ ବସବାସ କରୁଛନ୍ତି । ମୁଖ୍ୟତଃ ଏହି ସମ୍ପ୍ରଦାୟର ଲୋକମାନେ ନଦୀନାଳରୁ ମାଛ ମାରି ପରିବାର ପ୍ରତିପୋଷଣ କରିଥାନ୍ତି । ସେହିପରି ମହିଳାମାନେ ନଦୀନାଳରୁ ସୁନାକେଲା ପଟା ସାହାଯ୍ୟରେ ସୁବର୍ଣ୍ଣ କଣିକା ଖୋଜି ଏକତ୍ରିତ କରିଥାନ୍ତି । ପରବର୍ତ୍ତୀ ସମୟରେ ସୁବର୍ଣ୍ଣ କଣିକାକୁ ତରଳାଇ ବିକ୍ରି କରିଥାନ୍ତି । ମାଟି ଓ ପାଣିରୁ ସୁନା କଣିକାକୁ ଝାରି ବା ପୃଥକ୍‌ କରୁଥିବାରୁ ଏହି ସଂପ୍ରଦାୟର ନାମ ଝରା ପଡ଼ିଥିବା ମଧ୍ୟ କୁହାଯାଏ ।

 ଏହା ବ୍ୟତୀତ ଅନେକ ସମୟରେ ଏହି ସମାଜର ଲୋକେ ପାଣି କମ ଥିବା ସମୟରେ ନଦୀପଠାରେ ତରଭୂଜ, କାକୁଡ଼ି ଆଦି ଅନ୍ୟାନ୍ୟ ପନିପରିବା ଚାଷ ମଧ୍ୟ କରୁଥିବା ଦେଖାଯାଏ । ହେଲେ ଏବେ କେବଳ ଝରା ସଂପ୍ରଦାୟ ଅତୀତର ନଦୀକୁ ଝୁରୁଛି । ଅତୀତରେ ଅଶୀର୍ବାଦ ପାଲଟିଥିବା ମହାନଦୀ ଏବେ କେବଳ ସ୍ମୃତି ମାତ୍ର । ନଦୀରୁ ନା ମିଳୁଛି ପର୍ଯ୍ୟପ୍ତ ମାଛ ନା ସୁବର୍ଣ୍ଣ କଣିକା । କେଉଟ ଓ ଧୀବର ସମ୍ପ୍ରଦାୟକୁ ସରକାର ଅନୁସୂଚିତ ଜାତି ତାଲିକାଭୁକ୍ତ କରି ପୃଷ୍ଟପୋଷକତା ଯୋଗାଉଥିବାବେଳେ ଝରା ସମ୍ପ୍ରଦାୟ ଏଥିରୁ ବାଦପଡ଼ି ସଂଘର୍ଷ କରୁଛି । ପୂର୍ବରୁ ଝରା ସମାଜର ସାମଜିକ ଚଳଣି ଉନ୍ନତ ଥିଲା । କିନ୍ତୁ ବିକାଶ ସ୍ରୋତରେ ଏମାନଙ୍କ ଜୀବନଜିବିକା ପ୍ରଭାବିତ ହେବା ସହ ସଂଘର୍ଷ କରୁଛନ୍ତି । ଅପରପକ୍ଷରେ ଯାହାକିଛି ନଦୀକୂଳିଆ ସଂସ୍କୃତି, ସଭ୍ୟତା ବଞ୍ଚିଥିଲା ତାହା ମଧ୍ୟ ଏବେ ଲୀନ ହେବାକୁ ବସିଛି । ତେଣୁ ଏ ସମାଜ ପ୍ରତି ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟିଦେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଉଛ