କାଠମାଣ୍ଡୁ, ୧୦/୯ : କାଠମାଣ୍ଡୁର ଗଳିରେ ପୁଣି କ୍ରୋଧର ନିଆଁ । ନେପାଳ ସଂସଦ ଭବନଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସବୁକିଛିକୁ ଘେରାଉ କରିଛନ୍ତି ଜେନ୍‌-ଜି ବିକ୍ଷୋଭକାରୀ । ଯୁବବର୍ଗଙ୍କ ଆକ୍ରୋଶ ନେପାଳ ସରକାରଙ୍କ ମୂଳଦୁଆ ଦୋହଲାଇଦେଇଛି । ଫଳରେ ନେପାଳ ରାଜନୀତିରେ ଜାରି ରହିଥିବା ଅସ୍ଥିରତା ପୁଣି ବୁଢ଼ିଆଣୀ ଜାଲରେ ଫସିଛି, ଯେଉଁଠୁ ବାହାରିବା ଗତ ୧୭ ବର୍ଷରେ କୌଣସି ବି ସରକାରଙ୍କ ପାଇଁ ସମ୍ଭବ ହୋଇପାରିନି । ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟାନ୍‌କୁ ବିରୋଧ କରି ନେପାଳରେ ଆରମ୍ଭ ହୋଇଥିବା ଜେନ୍‌ଜି’ଙ୍କ ଆନ୍ଦୋଳନ ଶେଷରେ ସେଠାକାର ସରକାରର ପତନ ଘଟାଇଛି । ରାଷ୍ଟ୍ରପତିଙ୍କ ବାସଭବନ ପର୍ଯ୍ୟନ୍ତ ଭିଡ଼ ପହଞ୍ଚିଯିବା, ସଂସଦରେ ନିଆଁ ଲଗାଯିବା, ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କ ସମେତ ଅନେକ ମନ୍ତ୍ରୀଙ୍କ ଇସ୍ତଫା ଦେବା ଏହାର ପ୍ରମାଣ ଯେ ଏହି ଆନ୍ଦୋଳନ ସାମାନ୍ୟ ବିରୋଧଠାରୁ କେତେ ଆଗକୁ ପଳାଇଛି । ଦେଖିବାକୁ ଗଲେ ପ୍ରକୃତ କାହାଣୀର ଚେର ବେଶ୍‌ ଗଭୀର । ନେପାଳ ରାଜନୀତି ୧୭ ବର୍ଷ ଧରି ଅସ୍ଥିରତାରେ ଫସିରହିଛି । ଏଥିଯୋଗୁ ଏହାକୁ ଦୁନିଆର ସବୁଠୁ ଅସ୍ଥିର ଦେଶ ବି କୁହାଯାଏ ।

୨୦୦୮ରେ ରାଜତନ୍ତ୍ର ଶେଷ ହେବା ପରେ ନେପାଳରେ ଗଣତନ୍ତ୍ରର ସୂର୍ଯ୍ୟ ଉଇଁଥିଲା । କିନ୍ତୁ ରାଜନୈତିକ ସ୍ଥିରତା ଏକ ମରୀଚିକା ହୋଇ ରହିଛି । ଏହି ଦେଶ ଗତ ୧୭ ବର୍ଷରେ ୧୪ ପ୍ରଧାନମନ୍ତ୍ରୀ ଦେଖିଲାଣି । ମାଓବାଦୀ ନେତା ପ୍ରଚଣ୍ଡ ହୁଅନ୍ତି ଅବା ଶେର ବାହାଦୂର ଦେଉବା । ମଧେସୀ ଆନ୍ଦୋଳନରୁ ବନିଥିବା ନେତା ହୁଅନ୍ତୁ ଅବା ନିଜେ କେ ପି ଶର୍ମା ଓଲି । କେବେ ବିଶ୍ୱାସଘାତ, କେବେ ମେଣ୍ଟରେ ଦ୍ୱନ୍ଦ୍ୱ ତ କେବେ ଜନତାଙ୍କ କ୍ରୋଧର ଶିକାର ହୋଇ ପ୍ରଧାନମନ୍ତ୍ରୀମାନଙ୍କୁ ବାଧ୍ୟ ହୋଇ ପଦ ଛାଡ଼ିବାକୁ ପଡ଼ିଛି । ଏହି ଚେହେରାମାନେ କ୍ଷମତାକୁ ଆସିବାରେ ତ ସଫଳ ହୋଇଥିଲେ କିନ୍ତୁ ଦେଶରେ ସ୍ଥିରତା ଆଣିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ହାରାହାରି ୧୪ରୁ ୧୫ ମାସରେ ନେପାଳ ଲୋକ ନୂଆ ପ୍ରଧାନମନ୍ତ୍ରୀ ପାଇଛନ୍ତି । ଏହା କେବଳ ରାଜନୈତିକ ଅସ୍ଥିରତାର ପ୍ରତୀକ ନୁହେଁ ବରଂ ନେପାଳର ବିଫଳ ଗଣତାନ୍ତ୍ରିକ ଯାତ୍ରା ଏବଂ ଶାସନ ପାଇଁ ସଂଘର୍ଷକୁ ମଧ୍ୟ ଦର୍ଶାଏ । ଗତ ୧୭ ବର୍ଷର ପ୍ରଧାନମନ୍ତ୍ରୀ ଏବଂ କାର୍ଯ୍ୟକାଳ:

୧. ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’(୨୦୦୮ ଅଗଷ୍ଟ୨୦୦୯ ମେ’): ନେପାଳରେ ଗଣତନ୍ତ୍ର ଶେଷ ହେବା ପରେ ଗଣତନ୍ତ୍ରର ନୂଆ ଶୂଭାରମ୍ଭ ହୋଇଥିଲା । ମାଓବାଦୀ ନେତା ପ୍ରଚଣ୍ଡ ପ୍ରଥମ ନିର୍ବାଚିତ ପ୍ରଧାନମନ୍ତ୍ରୀ ବନିଥିଲେ । ସେ ଶାନ୍ତି ପ୍ରକ୍ରିୟା ଏବଂ ନୂଆ ବ୍ୟବସ୍ଥାର ମୂଳଦୁଆ ରଖିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେନା ମୁଖ୍ୟଙ୍କ ନିଯୁକ୍ତି ଏବଂ ରାଷ୍ଟ୍ରପତି ରାମବରନ ଯାଦବଙ୍କ ସହ ବିବାଦ ତାଙ୍କ ସରକାରକୁ ଅସ୍ଥିର କରିଦେଇଥିଲେ । ମାତ୍ର ୯ ମାସ ପରେ ହିଁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ଫଳରେ ଗଣତନ୍ତ୍ରର ପ୍ରଥମ ଅଧ୍ୟାୟ ହିଁ ନେପାଳରେ ଅଧୁରା ରହିଥିଲା ।

୨. ମାଧବ କୁମାର ନେପାଳ (୨୦୦୯ ମେ’-୨୦୧୧ ଫେବ୍ରୁଆରୀ): ପ୍ରଚଣ୍ଡଙ୍କ ଇସ୍ତଫା ପରେ ୟୁଏମ୍‌ଏଲ୍‌ ନେତା ମାଧବ କୁମାର ନେପାଳ କ୍ଷମତାକୁ ଆସିଥିଲେ । ତାଙ୍କ ସରକାର ମେଣ୍ଟ ଭରସାରେ ତିଷ୍ଠିଥିଲା । ସମ୍ବିଧାନ ବନାଇବା ଲାଗି ସେ ବଡ଼ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ରାଜନୈତିକ ଅସହମତି, ଦଳଗୁଡ଼ିକ ଭିତରେ କନ୍ଦଳ ଏବଂ ଜନତାଙ୍କ ଚାପ ଭିତରେ ତାଙ୍କ ସରକାର ମାତ୍ର ଦେଢ଼ ବର୍ଷ ପରେ ଭାଙ୍ଗି ଯାଇଥିଲା ।

୩. ଝଲାନାଥ ଖନାଲ (୨୦୧୧ ଫେବ୍ରୁଆରୀ-୨୦୧୧ ଅଗଷ୍ଟ): ଝଲାନାଥ ଖନାଲ ବି ୟୁଏମ୍‌ଏଲ୍‌ ନେତା ଥିଲେ । ବୁଝାମଣା ପରେ ସେ ପ୍ରଧାନମନ୍ତ୍ରୀ ବନିଥିଲେ । କିନ୍ତୁ ତାଙ୍କ ସରକାର ମାତ୍ର ୬ ମାସ ହିଁ ଚାଲିପାରିଥିଲା । କାରଣ ମେଣ୍ଟ ଭିତରେ ଭରସାର ଅଭାବ ଏବଂ ସାମ୍ବିଧାନିକ ମାମଲାରେ ସହମତି ହୋଇ ନ ପାରିବାରୁ ସେ ସରକାର ଚଲାଇବାରେ ସଫଳ ହୋଇପାରି ନ ଥିଲେ ।

୪. ବାବୁରାମ ଭଟ୍ଟାରାଇ (୨୦୧୧ ଅଗଷ୍ଟ-୨୦୧୩ ମାର୍ଚ୍ଚ): ଝଲାନାଥଙ୍କ ପରେ ମାଓବାଦୀ ପାର୍ଟିର ଦ୍ୱିତୀୟ ସର୍ବୋଚ୍ଚ ନେତା ବାବୁରାମ ଭଟ୍ଟାରାଇ କ୍ଷମତା ସମ୍ଭାଳିଥିଲେ । ସେ ଜଣେ ଶିକ୍ଷିତ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତା ଥିଲେ । ତାଙ୍କ ସରକାରରେ ସମ୍ବିଧାନ ନିର୍ମାଣ କାମ ଆଗକୁ ବଢ଼ିବ ବୋଲି ଆଶା କରାଯାଉଥିଲା । କିନ୍ତୁ ସଂସଦରେ ଅସହମତି ଏବଂ ନିର୍ବାଚନ ହୋଇ ନ ପାରିବା କାରଣରୁ ୨୦୧୩ରେ ସଂସଦ ଭଙ୍ଗ କରିବାକୁ ପଡ଼ିଥିଲା ।

୫. ଖିଲ ରାଜ ରେଗ୍‌ମୀ (୨୦୧୩ ମାର୍ଚ୍ଚ-୨୦୧୪ ଫେବ୍ରୁଆରୀ): ନେପାଳରେ ରାଜନୈତିକ ଗତିରୋଧ ଏତେ ବଢ଼ିଯାଇଥିଲା ଯେ ପ୍ରଧାନ ବିଚାରପତି ଖିଲ ରାଜ ରେଗମୀଙ୍କୁ ଅନ୍ତରୀଣ ସରକାରର ନେତୃତ୍ୱ ହସ୍ତାନ୍ତର କରାଯାଇଥିଲା । ତାଙ୍କ କାମ ଥିଲା କେବଳ ନିର୍ବାଚନ କରାଇବା । ସେ ତାହା ହିଁ କରିଥିଲେ । ଏହାର ନେପାଳ ରାଜନୈତିକ ଅସ୍ଥିରତାର ସବୁଠୁ ବଡ଼ ଉଦାହରଣ ଥିଲା ଯେଉଁଠି ନ୍ୟାୟପାଳିକାଙ୍କୁ ସରକାର ଚଲାଇବାକୁ ପଡ଼ିଥିଲା ।

୬. ସୁଶୀଲ କୋଇରାଲା (୨୦୧୪ ଫେବ୍ରୁଆରୀ-୨୦୧୫ ଅକ୍ଟୋବର): ନେପାଳୀ କଂଗ୍ରେସର ଶାନ୍ତ ସରଳ ନେତା ସୁଶୀଲ କୋଇରାଲା ଶାସନକୁ ଆସିଥିଲେ । ତାଙ୍କ କାର୍ଯ୍ୟକାଳବେଳେ ୨୦୧୫ରେ ନେପାଳରେ ଭୟଙ୍କର ଭୂମିକମ୍ପ ଆସିଥିଲା । ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା । ପୂରା ଦେଶ ଏକ ପ୍ରକାର ଧ୍ୱଂସସ୍ତୂପ ପାଲଟିଥିଲା । ଏହା ସତ୍ତେ୍ୱ ସେ ନୂଆ ସମ୍ବିଧାନକୁ ପାରିତ କରି ଏକ ଐତିହାସିକ କାମ କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ମେଣ୍ଟ ରାଜନୀତି ତାଙ୍କୁ ଦୀର୍ଘ ସମୟ ଧରି କ୍ଷମତାରେ ରହିବାକୁ ଦେଇ ନ ଥିଲା ।

୭. କେ ପି ଶର୍ମା ଓଲି (୨୦୧୫ ଅକ୍ଟୋବର-୨୦୧୬ ଅଗଷ୍ଟ): ଓଲି ପ୍ରଥମ ଥର ପାଇଁ ୨୦୧୫ରେ ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ । ଭାରତର ଅବରୋଧ ଏବଂ ମଧେସୀ ଆନ୍ଦୋଳନ ଭିତରେ ଓଲି ଚୀନ୍‌ ଆଡ଼କୁ ଢଳିଥିଲେ । ଏହି କାରଣରୁ ତାଙ୍କୁ ଜଣେ ମଜଭୁତ ରାଷ୍ଟ୍ରବାଦୀ ନେତା ବିବେଚନା କରାଗଲା । କିନ୍ତୁ ମେଣ୍ଟ ସହଯୋଗୀଙ୍କ ସହ ସମ୍ପର୍କ ବିଗିଡ଼ିବାରୁ ପ୍ରାୟ ୧୦ ମାସ ପରେ ତାଙ୍କ ସରକାର ଭାଙ୍ଗି ଯାଇଥିଲା ।

୮. ପ୍ରଚଣ୍ଡ (୨୦୧୬ ଅଗଷ୍ଟ-୨୦୧୭ ଜୁନ୍‌): ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ ଦ୍ୱିତୀୟ ଥର ଲାଗି କ୍ଷମତାକୁ ଫେରିଥିଲେ । ଏଥର ସେ କ୍ଷମତାରେ ରହିବା ଲାଗି ଶେର ବାହାଦୂର ଦେଉବାଙ୍କ ସହ ବୁଝାମଣା କରିଥିଲେ । ସେହି ଅନୁସାରେ ୯ ମାସ ପରେ ସେ ପଦ ଛାଡ଼ିଥିଲେ । ଏପରି ଶାନ୍ତିପୂର୍ଣ୍ଣ କ୍ଷମତା ପରିବର୍ତ୍ତନ ଏକ ନୂଆ ଝଲକ ନେପାଳବାସୀ ଦେଖିଥିଲେ ।

୯. ଶେର ବାହାଦୂର ଦେଉବା(୨୦୧୭ ଜୁନ୍‌-୨୦୧୮ ଫେବ୍ରୁଆରୀ): ପ୍ରଚଣ୍ଡଙ୍କ ପରେ ଦେଉବା ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ । ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ନିର୍ବାଚନ କରାଇବା । ଏଥିରେ ସେ ସଫଳ ହୋଇଥିଲେ । କିନ୍ତୁ ନୀତିଗତ ମାମଲାରେ ତାଙ୍କ ସରକାର ବେଶ୍‌ ଦୁର୍ବଳ ସାବ୍ୟସ୍ତ ହୋଇଥିଲା । ତାଙ୍କ କାର୍ଯ୍ୟକାଳକୁ ଏକ ‘ଟ୍ରାଞ୍ଜିସନ ପିରିୟଡ’ ଭାବେ ମନେ ପକାଯାଏ ।

୧୦. ଓଲି (୨୦୧୮ ଫେବ୍ରୁଆରୀ-୨୦୨୧ ମେ’): କେ ପି ଶର୍ମା ଓଲି ବିପୁଳ ବିଜୟ ପାଇ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହୋଇଥିଲେ । ଆରମ୍ଭରୁ ତାଙ୍କ ସରକାର ବେଶ୍‌ ମଜଭୁତ ଜଣାପଡ଼ିଥିଲା । ଫଳରେ ନେପାଳରେ ପ୍ରଥମ ସ୍ଥିର ସରକାରର ସ୍ୱପ୍ନ ଦେଖିଥିଲେ ସେଠାକାର ବାସିନ୍ଦା । କିନ୍ତୁ ଦଳ ଭିତରେ କନ୍ଦଳ, ସଂସଦ ଭଙ୍ଗ ବିବାଦ, ସୁପ୍ରିମକୋର୍ଟଙ୍କ ଫଇସଲା ଭିତରେ ତାଙ୍କ ନିୟନ୍ତ୍ରଣକୁ ଦୁର୍ବଳ କରିଦେଲା । ଫଳରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା ।

୧୧. ଓଲି (୨୦୨୧ ମେ’-୨୦୨୧ ଜୁଲାଇ): ତୃତୀୟ ଥର ଲାଗି ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ କେ ପି ଶର୍ମା ଓଲି । କିନ୍ତୁ ତାଙ୍କ କାର୍ଯ୍ୟକାଳ ପ୍ରାୟ ୨ ମାସ ହିଁ ରହିଥିଲା । ସୁପ୍ରିମକୋର୍ଟ ତାଙ୍କ କାର୍ଯ୍ୟକୁ ଅସାମ୍ବିଧାନିକ ଦର୍ଶାଇବା ପରେ ଓଲିଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା ।

୧୨. ଦେଉବା (୨୦୨୧ ଜୁଲାଇ-୨୦୨୨ ଡିସେମ୍ବର): ଶେର ବାହାଦୂର ଦେଉବା ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ । କରୋନା ମହାମାରୀ ଏବଂ ଦେଶର ଆର୍ôଥକ ସଙ୍କଟ ଭିତରେ ତାଙ୍କ କାର୍ଯ୍ୟକାଳ ଗତି କରିଥିଲା । ମେଣ୍ଟ ପକ୍ଷରୁ ଚାପ ଏବଂ ଶାସନରେ ବୁଝାମଣା ଅଭାବରୁ ସେ କୌଣସି ବଡ଼ ସୁଧାର ଆଣିପାରି ନ ଥିଲେ ।

୧୩. ପ୍ରଚଣ୍ଡ (୨୦୨୨ ଡିସେମ୍ବର-୨୦୨୪ ଜୁଲାଇ): ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ କ୍ଷମତାରେ ରହିବା ଲାଗି ବାରମ୍ବାର ମେଣ୍ଟ ବଦଳାଇଥିଲେ । ଫଳରେ ତାଙ୍କ ସରକାର ଉପରୁ ଜନତା ଏବଂ ସଂସଦ ଉଭୟଙ୍କ ଭରସା ଉଠି ଯାଇଥିଲା । ତେଣୁ ପ୍ରାୟ ଦେଢ଼ ବର୍ଷ ପରେ ତାଙ୍କ ସରକାର ଭାଙ୍ଗିଯାଇଥିଲା ।

୧୪. ଓଲି (୨୦୨୪ ଜୁଲାଇ-୨୦୨୫ ସେପ୍ଟେମ୍ବର): କେ ପି ଶର୍ମା ଓଲି ଚତୁର୍ଥ ଥର ଲାଗି ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଦାବି କରିଥିଲେ ଯେ, ଏଥର ଦେଶରେ ସ୍ଥିରତା ଆଣିବେ । କିନ୍ତୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ବ୍ୟାନ୍‌ ଏବଂ ଦୁର୍ନୀତି ବିରୋଧୀ ଆନ୍ଦୋଳନ ତାଙ୍କ ସରକାରକୁ ଦୋହଲାଇ ଦେଇଛି । ଜେନ୍‌-ଜି’ର ହିଂସାତ୍ମକ ଆନ୍ଦୋଳନ ପରେ ଏବେ ଆଜି ଅର୍ଥାତ ସେପ୍ଟେମ୍ବର ୯ରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଛି ।