ଭୁବନେଶ୍ୱର ୬/୧୧: ରାଜ୍ୟରେ ଫାର୍ମାସ୍ୟୁଟିକାଲ ଏବଂ ହେଲ୍ଥକେୟାର ନିବେଶ ବୃଦ୍ଧି ହେଉଛି । ଏ କ୍ଷେତ୍ରରେ ଓଡ଼ିଶାକୁ ଏକ ହବ୍ ଭାବେ ବିକଶିତ କରିବା ଲାଗି ଖୁବ୍ଶୀଘ୍ର ଆସିବ ନୂଆ ଫାର୍ମା ଏବଂ ମେଡିକାଲ ଯନ୍ତ୍ରାଂଶ ନୀତି । ନିବେଶକଙ୍କୁ ପ୍ରୋତ୍ସାହିତ କରିବା ଲାଗି ଆକର୍ଷଣୀୟ ସବ୍ସିଡି ପ୍ରଦାନ କରାଯିବ । ସେହିଭଳି ଟେକ୍ନିକାଲ କର୍ମଚାରୀଙ୍କୁ ନିଯୁକ୍ତିରେ ମାସିକ ବେତନ ସୁବିଧା, ରିହାତିରେ ବିଜୁଳି ଏବଂ ତ୍ୱରିତ ମଞ୍ଜୁରି ବ୍ୟବସ୍ଥା ରହିବ ବୋଲି ଶିଳ୍ପ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏବେ ରାଜ୍ୟରେ ପ୍ରମୁଖ ଫାର୍ମା କମ୍ପାନିଗୁଡ଼ିକ ଉପସ୍ଥିତି ଜାହିର କରୁଛନ୍ତି । ଭୁବନେଶ୍ୱରରେ ଭାରତ ବାୟୋଟେକ ଟିକା ଉତ୍ପାଦନ ନେଇ ଅଗ୍ରସର ହୋଇଛି । ସେହିଭଳି ଇନ୍ଫୁନେକ୍ସ, ହେଟ୍ରୋଫାର୍ମା, ଗ୍ରାନ୍ୟୁଲ୍ସ ଲାଇଫ୍ସାଇନ୍ସ ଭଳି ଅନ୍ୟ କିଛି କମ୍ପାନି ମଧ୍ୟ ଓଡ଼ିଶାରେ ଅବସ୍ଥାପିତ ଅଛନ୍ତି । ରାଜ୍ୟରେ ମେଡିସିନ ପ୍ରସ୍ତୁତିଠାରୁ ପ୍ୟାକେଜିଂ ଏବଂ ରପ୍ତାନି ଇକୋସିଷ୍ଟମକୁ ଉତ୍ସାହିତ କରାଯାଇଛି । ରାଜ୍ୟର କୁଶଳୀ ଶ୍ରମଶକ୍ତି, ନିବେଶ ଅନୁକୂଳ ନୀତି ଏବଂ ଭରସାଯୋଗ୍ୟ ସୁବିଧା ଯୋଗାଣକୁ ଫାର୍ମା ଆଧାରିତ ନିବେଶ ଆକୃଷ୍ଟ ଧାରା ଆହୁରି ଦୃଢ଼ ହେବ ବୋଲି ଆଶା କରାଯାଉଛି । ସେହିଭଳି ଶିଳ୍ପ ଲାଗି ଅନୁକୂଳ ଭିତ୍ତିଭୂମି ଏବଂ ରାଜ୍ୟର ଅବସ୍ଥିତି ଦେଶୀ ଏବଂ ବିଦେଶୀ କମ୍ପାନିଙ୍କୁ ଆକୃଷ୍ଟ କରିପାରିବ । ପାରାଦୀପ, ଧାମରା, ଗୋପାଳପୁର ବନ୍ଦର, ପୂର୍ବତଟ ରେଳପଥ, ଏନ୍ଏଚ୍୧୬ ଏବଂ ୫୫ ଦ୍ୱାରା ଉନ୍ନତ ଯୋଗାଯୋଗ ଏବଂ ପରିବହନ ସୁବିଧା ରହିଛି ।
ଶିଳ୍ପ ଲାଗି ତ୍ୱରିତ ବ୍ୟବହାର ଉପଯୋଗୀ ଜମି ଯୋଗାଣ, ପରିବେଶ ମଞ୍ଜୁରି, ଭୁବନେଶ୍ୱରରେ ସ୍ୱତନ୍ତ୍ର ଫାର୍ମା ପାର୍କ ବା ବାୟୋଟେକ୍ନୋଲୋଜି ପାର୍କ, ଗୋପାଳପୁର ଏବଂ ପାରାଦୀପ ପିସିପିଆଇଆର୍ରେ ଏସ୍ଇଜେଡ୍ ସୁବିଧା ପ୍ରଦାନ କରାଯିବ । ସେହିଭଳି ଘରୋଇ ବଜାରର ଚାହିଦା ସହ ରପ୍ତାନି ରାଜ୍ୟରୁ ତ୍ୱରାନ୍ୱିତ ହୋଇ ପାରିବ ।
ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି, ଓଡ଼ିଶା ଫାର୍ମାସ୍ୟୁଟିକାଲ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦେଇଛି । ଏ କ୍ଷେତ୍ରରେ ସ୍ୱତନ୍ତ୍ର ଫାର୍ମା ପାର୍କ ସହ ନିବେଶ ଲାଗି ଆକର୍ଷଣୀୟ ଡେଷ୍ଟିନେସନ ପାଲଟୁଛି ଓଡ଼ିଶା । ଏସବୁ ପାର୍କରେ ଅତ୍ୟାଧୁନିକ ଭିତ୍ତିଭୂମି, ନିୟାମକ ସହଯୋଗ, ସମନ୍ୱିତ ସୁବିଧା ରହିଛି । ଏହା ଦ୍ୱାରା କମ୍ପାନି ଗୁଡ଼ିକ ସହଜରେ ସେମାନଙ୍କ ଫାସିଲିଟି ଏହି ପାର୍କଗୁଡ଼ିକରେ ସ୍ଥାପନ କରିବା ସହ ଗବେଷଣା, ଅପରେସନ ଏବଂ ନବସୃଜନ କ୍ଷେତ୍ରରେ କାମ କରିପାରିବେ ।