ମୁମ୍ବାଇ,୦୧/୧୦: ନିକୋଲ କିଡ୍‌ମ୍ୟାନ୍‌ ଓ କିଥ୍‌ ଅର୍ବାନଙ୍କର ଦୀର୍ଘ ୧୯ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏହି ସ୍ଥିତିରେ ନିକୋଲଙ୍କୁ ତାଙ୍କ ପରିବାର ପୂର୍ଣ୍ଣ ସମର୍ଥନ କରିଛି । ତେବେ ରିପୋର୍ଟ ଅନୁସାରେ, ନିକୋଲ ବିବାହ ବିଚ୍ଛେଦ ଚାହୁଁନଥିଲେ । ବିବାହକୁ ବଞ୍ଚାଇବା ପାଇଁ ସେ ସଂଘର୍ଷ କରିଆସୁଥିଲେ । ଜୁନ୍‌ ୧୦୦୬ରେ ଉଭୟଙ୍କର ବିବାହ ହୋଇଥିଲା । ସନ୍‌ଡେ ରୋଜ୍‌ (୧୭) ଓ ଫେଥ୍‌ ମାର୍ଗାରେଟ୍‌ (୧୪) ନାମ୍ନୀ ତାଙ୍କର ଦୁଇ ଝିଅ ଅଛନ୍ତି । କିଡ୍‌ମ୍ୟାନ୍‌ ପୂର୍ବରୁ ଟମ୍‌ କ୍ରୁଜ୍‌ଙ୍କୁ ବିବାହ କରିଥିଲେ । ୨ ମାସ ତଳେ କିଡ୍‌ମ୍ୟାନ୍‌ ଓ କିଥ୍‌ଙ୍କ ବିବାହ ବିଚ୍ଛେଦ ଗୁଜବ ପ୍ରଥମେ ଚର୍ଚ୍ଚାକୁ ଆସିଥିଲା । ଉଭୟ ଅଲଗା ରହୁଥିବା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା ।

ଗତ ଜୁନ୍‌ ୨୫ରେ କିଡ୍‌ମ୍ୟାନ୍‌ ଏକ ପ୍ରେମପୂର୍ଣ୍ଣ ପୋଷ୍ଟ୍‌ ଶେୟାର କରି ସ୍ୱାମୀ କିଥ୍‌ ଅର୍ବାନଙ୍କୁ ବିବାହ ବାର୍ଷିକୀ ଶୁଭେଚ୍ଛା ଜଣାଇଥିଲେ । ଫଟୋରେ କିଥ୍‌ଙ୍କ କାନ୍ଧରେ କିଡ୍‌ମ୍ୟାନ୍‌ଙ୍କୁ ଆଉଜିଥିବା ଦେଖିବାକୁ ମିଳିଥିଲା । ଏଥିସହ ସେ କ୍ୟାପ୍‌ସନ ଲେଖିଥିଲେ ‘ହାପ୍ପି ଆନିଭର୍ସରୀ ବେବି ।’ କିଥ୍‌ ପୁରସ୍କାର ଜିତିବା ପରେ କିଡ୍‌ମ୍ୟାନ୍‌ ଏକ ମଜାଦାର ରିଲ୍‌ ଶେୟାର କରି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । କିଛି ଦିନ ତଳେ ଉଭୟଙ୍କ ବୈବାହିକ ସମ୍ପର୍କକୁ ନେଇ ଅନେକ କଥା ଇଣ୍ଟର୍‌ନେଟ୍‌ରେ ଚର୍ଚ୍ଚାର ବିଷୟ ହୋଇଥିଲା । କିଡ୍‌ମ୍ୟାନ୍‌ କିନ୍ତୁ ଅଦ୍ୟାବଧି ଏ ବିଷୟରେ ସର୍ବସାଧାରଣରେ କିଛି କହିନାହାନ୍ତି । ନିକଟରେ ସେ ଲଣ୍ଡନ୍‌ରେ ନିଜର ଆଗାମି ଫିଲ୍ମ ‘ପ୍ରାକ୍ଟିକାଲ ମ୍ୟାଜିକ୍‌-୨’ର ସୁଟିଂ ଶେଷ କରିଛନ୍ତି । ଏଥିସହିତ ନିଜର ଦୁଇ ଝିଅ ଓ ପରିବାର ସହିତ ସମୟ ବିତାଇବା ବିଷୟରେ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି । ଅନ୍ୟପକ୍ଷେ, ଅଷ୍ଟ୍ରେଲୀୟ-ଆମେରିକୀୟ ଗାୟକ କିଥ୍‌ ଏବେ ଟୁର୍‌ରେ ଅଛନ୍ତି ।