ନୂଆଦିଲ୍ଲୀ,୧୯/୧୦: ଫ୍ରାନ୍ସ ପରେ ଏବେ ଆମେରିକାରେ ସବୁଠୁ ବଡ଼ ବିକ୍ଷୋଭ ପ୍ରଦର୍ଶନ । ଆମେରିକାରେ ଡୋନାଲ୍ଚ ଟ୍ରମ୍ପଙ୍କ ବିରୋଧରେ ବିଶାଳ ବିକ୍ଷୋଭ ହୋଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱଚ୍ଛାଚାରୀ ଶାସନ ବିରୋଧରେ ୨,୭୦୦୦ ସହରେ ଏକାଠୀ ହୋଇ ନୋ-କିଙ୍ଗ୍ ଆନ୍ଦୋଳନ କରିଛନ୍ତି ଲୋକ । ବିଶାଳ ବିକ୍ଷୋଭରେ ପ୍ରାୟ ୮ ଲକ୍ଷ ଲୋକ ସାମିଲ ହୋଇଛନ୍ତି । ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନର ତ୍ରୁଟିପୂର୍ଣ୍ଣ ଶାସନ ଓ ପଲିସିକୁ ଜୋରଦାର ବିରୋଧ ହୋଇଛି । ଆନ୍ଦୋଳନର ନାମ ନୋ-କିଙ୍ଗ୍ ରଖାଯାଇଛି ଅର୍ଥାତ୍ କେହି ଏଠି ରାଜା ନୁହଁନ୍ତି । ଚଳିତ ବର୍ଷ ଜୁନ୍ରେ ମଧ୍ୟ ନୋ-କିଙ୍ଗ୍ ଆନ୍ଦୋଳନ ହୋଇଥିଲା ।
ବଡ଼ କଥା ହେଉଛି ୪ ମାସ ପୂର୍ବରୁ ମଧ୍ୟ ଟ୍ରମ୍ପଙ୍କ ବିରୁଦ୍ଧରେ ସମାନ ଆନ୍ଦୋଳନ ହୋଇଥିଲା । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଥିଲେ ପ୍ରଦର୍ଶନକାରୀ କିନ୍ତୁ ବର୍ତ୍ତମାନ ବିକ୍ଷୋଭରେ ଲକ୍ଷ ଲୋକ ସାମିଲ ହୋଇଛନ୍ତି । ଜୁନ୍ରେ ହୋଇଥିବା ନୋ-କିଙ୍ଗ୍ ଆନ୍ଦୋଳନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ଷମତାର ପ୍ରତିବାଦରେ ଆମେରିକାର ଛୋଟ ବଡ଼ ସହରଗୁଡ଼ିକରେ ୫ ଲକ୍ଷରୁ ଅଧିକ ଲୋକ ରାସ୍ତାକୁ ଓହ୍ଲାଇଥିଲେ । ଆନ୍ଦୋଳନ ସଂଗଠନ ଏବଂ ଶ୍ରମିକ ସଂଘ ଅନୁଯାୟୀ, ଏହି ପ୍ରଦର୍ଶନ ଟ୍ରମ୍ପ ପ୍ରଶାସନର ଏକଛତ୍ରବାଦୀ ସ୍ୱଭାବ ବିରୁଦ୍ଧରେ ହୋଇଛି । ସାମ୍ପ୍ରତିକ ସଂଘୀୟ ସରକାରଙ୍କ ବନ୍ଦ ଯୋଗୁଁ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ଚାକିରି ପ୍ରଭାବିତ ହୋଇଛି । ଏହା ଟ୍ରମ୍ପଙ୍କ ଦ୍ୱାରା କ୍ଷମତା ଦଖଲ କରିବାର ଏକ ଚାଲ । ଚିକାଗୋ, ୱାଶିଂଟନ୍, ଡିସି ଏବଂ ଅଷ୍ଟିନ୍, ଟେକ୍ସାସ ସମେତ ସହରରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ବିକ୍ଷୋଭକାରୀମାନେ ରାସ୍ତାରେ ସ୍ଲୋଗାନ ଦେଇ, ଶୋଭାଯାତ୍ରା କରି ପ୍ଲାକାର୍ଡ ଧରି ଏହି ଆନ୍ଦୋଳନ କରିଛନ୍ତି ।
'ନୋ-କିଙ୍ଗ୍' ଅର୍ଥ କ'ଣ ? ଏହି ଆନ୍ଦୋଳନ ମୂଳତଃ ୫୦୫୦୧ ଆନ୍ଦୋଳନ ଭାବରେ ଆରମ୍ଭ ହୋଇଥିଲା, ଯାହାର ଅର୍ଥ ହେଉଛି ୫୦ଟି ରାଜ୍ୟରେ ୫୦ଟି ପ୍ରଦର୍ଶନ, ଗୋଟିଏ ଆନ୍ଦୋଳନ । ଏହାର ଉଦ୍ଦେଶ୍ୟ ହେଉଛି ଟ୍ରମ୍ପଙ୍କ ରାଜା ଭଳି ରାଜନୀତିକୁ ଚ୍ୟାଲେଞ୍ଜ କରିବା । ଏହି ଆନ୍ଦୋଳନର ଆୟୋଜକମାନେ କହିଛନ୍ତି ଯେ ଟ୍ରମ୍ପ ଖୋଲାଖୋଲି ଭାବରେ ତୃତୀୟ କାର୍ଯ୍ୟକାଳ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବା ବିଷୟରେ କଥା ହେଉଛନ୍ତି ଏବଂ ନିଜକୁ ରାଜା ଭାବରେ ଉପସ୍ଥାପନ କରୁଛନ୍ତି । ତେଣୁ ଲୋକେ ପୁଣିଥରେ ରାସ୍ତାକୁ ଓହ୍ଲାଇ ସମସ୍ତଙ୍କୁ ମନେ ପକାଇ ଦେଉଛନ୍ତି ଯେ ଆମେରିକାରେ କେହି ରାଜା ନାହାନ୍ତି ।