ଭୁବନେଶ୍ୱର,୨୯/୦୯: ବିଜେଡିର ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ  ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ  ଖାଲିପଡ଼ିଥିବା ଆସନରେ ହେବାକୁ ଥିବା ଉପନିର୍ବାଚନ ବିହାର ବିଧାନସଭା ନିର୍ବାଚନ ସହ ହେବ । ଆସନ୍ତା ନଭେମ୍ବରରେ ଏହି  ଉପନିର୍ବାଚନ ହୋଇପାରେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ଆକଳନ କରିଛନ୍ତି ।  

ସେହିପରି ବିହାର ବିଧାନସଭା ନିର୍ବାଚନ ସହ ନୂଆପଡ଼ା ଉପନିର୍ବାଚନ ବେଳେ ନିଯୁକ୍ତ ହେବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ । ଏହି ପର୍ଯ୍ୟବେକ୍ଷକମାନେ ନିର୍ବାଚନମଣ୍ଡଳୀରେ ନିର୍ବାଚନ ପରିଚାଳନା ତଦାରଖ କରିବେ । ସେମାନେ ଆୟୋଗଙ୍କୁ ରିପୋର୍ଟ କରିବେ ।  ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କୁ ପ୍ରାର୍ଥୀମାନଙ୍କ ଦ୍ୱାରା  ହୋଇଥିବା ନିର୍ବାଚନ ଖର୍ଚ୍ଚ ଯାଞ୍ଚ କରିବା ପାଇଁ  ନିଯୁକ୍ତ କରାଯାଏ । ଏହି ପର୍ଯ୍ୟବେକ୍ଷକମାନେ  ବିହାର ବିଧାନସଭା ନିର୍ବାଚନ ସହ ଓଡ଼ିଶାର  ନୂଆପଡ଼ା, ଜମ୍ମୁ ଏବଂ କାଶ୍ମୀରର ବଡଗାମ  ଏବଂ ନାଗ୍ରୋଟା, ରାଜସ୍ଥାନର ଅନ୍ତା, ଝାଡ଼ଖଣ୍ଡର  ଘାଟସିଳା, ତେଲଙ୍ଗାନାର ଜୁବଲି ହିଲ୍ସ,  ପଞ୍ଜାବର ତରନତାରନ, ମିଜୋରାମର ଡମ୍ପାରେ  ଉପନିର୍ବାଚନ ପାଇଁ କାର୍ଯ୍ୟ କରିବେ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ୪୭୦ ଅଧିକାରୀ ନିୟୋଜିତ  ହେବେ । ସେଥିମଧ୍ୟରେ ୩୨୦ ଆଇଏଏସ୍‌,  ୬୦ ଆଇପିଏସ୍‌ ଏବଂ ୯୦ ଆଇଆର୍‌ଏସ୍‌/  ଆଇଆରଏଏସ୍‌/ଆଇସିଏଏସ୍‌ ରହିବେ ।  

ବିହାର ନିର୍ବାଚନ ଓ ଅନ୍ୟ  ରାଜ୍ୟଗୁଡ଼ିକରେ ହେବାକୁ ଥିବା  ଉପନିର୍ବାଚନରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଓଡ଼ିଶାରୁ ୧୦ ଜଣ ଆଇଏଏସ୍‌ ଓ  ୨ଜଣ ଆଇପିଏସ୍‌ଙ୍କୁ ନିଯୁକ୍ତ କରାଯାଇଛି ।  ସେମାନଙ୍କୁ ଆସନ୍ତାକାଲି(ସୋମବାର)  ନୂଆଦିଲ୍ଲୀର ଦ୍ୱାରକାରେ ଥିବା ଇଣ୍ଡିଆ  ଇଣ୍ଟରନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌  ଡେମୋକ୍ରେସି ଆଣ୍ଡ ଇଲେକ୍ସନ୍‌ ମ୍ୟାନେଜମେଣ୍ଟ୍‌  (ଆଇଆଇଆଇଡିଇଏମ୍‌)ରେ ତାଲିମ  ଦିଆଯିବ । ଓଡ଼ିଶାରୁ ଥିବା ଆଇଏଏସ୍‌  ତାଲିକାରେ ରାଜେଶ ପ୍ରଭାକର ପାଟିଲ,  ଅରବିନ୍ଦ ଅଗ୍ରୱାଲ, ବଲୱନ୍ତ ସିଂ, ଭୁପିନ୍ଦର  ସିଂ ପୁନିଆ, ବି ପରମେଶ୍ୱରନ୍‌, ଡି ପ୍ରଶାନ୍ତ  କୁମାର ରେଡ୍ଡି, ପ୍ରେମଚନ୍ଦ୍ର ଚୌଧୁରୀ,  ଇନ୍ଦ୍ରମଣି ତ୍ରିପାଠୀ, ସିଦ୍ଧାର୍ଥ ଦାସ, ଶୁଭଶ୍ରୀ  ନନ୍ଦ ଅଛନ୍ତି । ସେହିପରି ୨୦୦୦ ବ୍ୟାଚ୍‌  ଆଇପିଏସ୍‌ ପ୍ରତୀକ ମହାନ୍ତି ଓ ୨୦୦୧ର ସାଇନି  ଏସ୍‌ ମଧ୍ୟ ଏହି ପର୍ଯ୍ୟବେକ୍ଷକ ତାଲିକାରେ  ଥିବା ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ  ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଲେଖା  ଯାଇଥିବା ଚିଠିରେ ସୂଚିତ କରାଯାଇଛି ।