ରାଉରକେଲା, ୨୯/୧୦: ଖଣ୍ଡାଧାରର ଶାନ୍ତ ପାହାଡ଼ରେ ବସବାସ କରୁଥିବା ଧୀର ନାୟକ ସବୁବେଳେ ସ୍ୱପ୍ନ ବୁଣୁଥିଲେ। ସେ ନିଜ ଜୀବନକାଳ ମଧ୍ୟରେ ଯେଉଁ ସୁଯୋଗ ନିଜେ ପାଇନଥିଲେ, ସେ ସେଇ ସୁଯୋଗ ତାଙ୍କ ସନ୍ତାନମାନଙ୍କୁ ଦେବାକୁ ଚାହୁଁଥିଲେ। ଅଶିକ୍ଷିତ ଓ ଅଣକୁଶଳୀ ଦିନମଜୁରିଆ ଭାବେ କାମ କରୁଥିବା ଧୀର ପରିବାର ପୋଷଣ ପାଇଁ ପ୍ରତିଦିନ କଠିନ ପରିଶ୍ରମ କରୁଥିଲେ। କିନ୍ତୁ ଗୁଣାତ୍ମକ ଶିକ୍ଷା ସେମାନଙ୍କ ପାଇଁ ସ୍ୱପ୍ନ ଭଳି ଲାଗୁଥିଲା। ବିଶେଷ ଦୁର୍ବଳ ଆଦିବାସୀ ଗୋଷ୍ଠୀ (PVTG)ର ସଦସ୍ୟ ଧୀର ଆଶା କରୁଥିଲେ ଯେ ତାଙ୍କ ସନ୍ତାନମାନେ ଭବିଷ୍ୟତରେ ଜ୍ଞାନ ଓ ସମ୍ମାନ ଭରା ଜୀବନ ଗଢ଼ିବେ।

ତେବେ ୨୦୨୩ ମସିହାରେ ଧିର ତାଙ୍କ ଝିଅ ମହୁଲିଙ୍କୁ ରାଉରକେଲାର ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ (ଓଏମଏଭି)ରେ ନାମ ଲେଖାଇବା ପରେ ସବୁକିଛି ବଦଳି ଯାଇଥିଲା। ପ୍ରଥମ ଥର ପାଇଁ ଧୀର ଝିଅର ଆଖିରେ ଆତ୍ମବିଶ୍ୱାସ ଓ କୌତୂହଳର ଝଲକ ଦେଖିଥିଲେ। ମହୁଲି ଇଂରାଜୀରେ ସାବଲୀଳ ଭାବେ କଥା କହିବାକୁ ଲାଗିଲେ, ପାଠପଢ଼ାରେ ଉତ୍କୃଷ୍ଟ ପ୍ରଦର୍ଶନ ସହ ଘରକୁ ବିଜ୍ଞାନ ପରୀକ୍ଷା ଓ ଡିଜିଟାଲ୍ ଶିକ୍ଷାର କାହାଣୀ ନେଇ ଫେରୁଥିଲେ। ସେ ପିତାମାତାଙ୍କୁ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ଆତ୍ମସମ୍ମାନ ବିଷୟରେ ମଧ୍ୟ ଶିଖାଇଥିଲେ, ଯାହା ପୂର୍ବରୁ ସେମାନଙ୍କ ପରିବାରଠୁ ଗୋଟିଏ ପ୍ରକାର ଅପରିଚିତ ବିଷୟ ଭଳି ଥିଲା।

ନିଜ ଝିଅର ଅଗ୍ରଗତିରୁ ପ୍ରେରିତ ହୋଇ ଧୀର ୨୦୨୫ ମସିହାରେ ନିଜ ସାନ ପୁଅ ବିଜୁଙ୍କୁ ମଧ୍ୟ ଓଏମଏଭିରେ ନାମ ଲେଖାଇଥିଲେ। ଏନେଇ ସେ ଗର୍ବରେ ଭରା ଆଖିରେ କହନ୍ତି ଯେ, “ମୋ ସନ୍ତାନମାନେ ମୋତେ ଆତ୍ମବିଶ୍ୱାସ ଓ ସମ୍ମାନ ବିଷୟରେ ଶିଖାଇବେ ବୋଲି ମୁଁ କେବେ ଭାବି ନଥିଲି। ଓଏମଏଭି ଆମ ପରିବାରକୁ ଆଶା ଦେଇଛି।ଓଡ଼ିଶା ମାଇନିଂ କର୍ପୋରେସନ୍ (ଓଏମସି) ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍)ର ସହଯୋଗରେ ପରିଚାଳିତ ଓଏମଏଭିଗୁଡ଼ିକ ଓଏମସିର କାର୍ଯ୍ୟକ୍ଷେତ୍ରର ଖଣି ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକର ଶିଶୁମାନଙ୍କ ପାଇଁ ନିର୍ମିତ ହୋଇଛି।

ରାୟଗଡ଼ା, କେନ୍ଦୁଝର, ବଡବିଲ, ରାଉରକେଲା ଓ କଳିଙ୍ଗନଗରରେ ଅବସ୍ଥିତ ଏହି ପାଞ୍ଚଟି ପୂର୍ଣ୍ଣ ଆବାସିକ ବିଦ୍ୟାଳୟ ସିବିଏସ୍ଇ ସହ ସମ୍ବନ୍ଧିତ ହୋଇ ନିଃଶୁଳ୍କ ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରଦାନ କରିବା ସହ ପୁଷ୍ଟିକର ଭୋଜନ, ଆଧୁନିକ ଶ୍ରେଣୀଗୃହ ଓ ସମଗ୍ରତାପୂର୍ଣ୍ଣ ଶିକ୍ଷା ସୁଯୋଗ ପ୍ରଦାନ କରୁଛି। ୧,୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୦%ରୁ ଅଧିକ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ହୋଇଥିବା ବେଳେ ଏହି ବିଦ୍ୟାଳୟଗୁଡ଼ିକ ଏକ ନୂଆ ପିଢ଼ିକୁ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରସ୍ତୁତ କରୁଛି।

୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରାୟ ୪୭୫ ଜଣ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟମାନଙ୍କରେ ନାମ ଲେଖାଇଛନ୍ତି। ଧୀରଙ୍କ ଭଳି ପରିବାରଗୁଡ଼ିକ ପାଇଁ ଏହି ବିଦ୍ୟାଳୟଗୁଡ଼ିକ କେବଳ ଶିକ୍ଷା ନୁହେଁ ସମ୍ମାନ, ଅନ୍ତର୍ଭୁକ୍ତି ଓ ଉଜ୍ଜ୍ୱଳ ଭବିଷ୍ୟତର ଏକ ଦ୍ୱାର ଭାବେ କାମ କରୁଛି।