ନୂଆଦିଲ୍ଲୀ/ଜଗତସିଂହପୁର,୦୪/୧୧: ହିଂସାଗ୍ରସ୍ତ ସୁଦାନରେ ଜଣେ ଓଡ଼ିଆ ପୁଅଙ୍କୁ ଅପହରଣ କରି ନିଆଯାଇଛି । ସେଠାକାର ଉଗ୍ରବାଦୀ ସଙ୍ଗଠନ ରାପିଡ୍‌  ସପୋର୍ଟ ଫୋର୍ସେସ (ଆର୍‌ଏସ୍‌ଏଫ୍‌)ହିଁ  ଏହି କାଣ୍ଡ ଭିଆଇଛି । ଏହାର ଏକ ଭିଡିଓ  ସାମ୍ନାକୁ ଆସିବା ପରେ ପରିବାରରେ କାନ୍ଦ ବୋବାଳି ପଡ଼ିଛି । ଉତ୍ତର ଆଫ୍ରିକାର ଏହି  ଦେଶରୁ ପୁଅକୁ ସୁରକ୍ଷିତ ଫେରାଇ ଆଣିବା ଲାଗି ପରିବାର ଲୋକ ନିବେଦନ କରିଛନ୍ତି ।

ଉଗ୍ରବାଦୀ ସଙ୍ଗଠନ ଆର୍‌ଏସ୍‌ଏଫ୍‌  ଦ୍ୱାରା ଅପହୃତ ହୋଇଥିବା ଯୁବକ ଜଣକ ହେଉଛନ୍ତି ଆଦର୍ଶ ବେହେରା (୩୬) ।  ଘର ଜଗତ୍‌ସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ତରଜଙ୍ଗା ପଞ୍ଚାୟତସ୍ଥିତ କୋଟକଣା  ଗ୍ରାମରେ । ଏବେ ତାଙ୍କୁ ଉଗ୍ରବାଦୀମାନେ ସୁଦାନର ଅଲ୍‌ଫସିରରେ ବନ୍ଦୀ କରି ରଖିଛନ୍ତି । ସେଠାରେ ଆର୍‌ଏସ୍‌ଏଫ୍‌ ଉଗ୍ରବାଦୀଙ୍କ  ଦବ୍‌ଦବା ଥିବାରୁ ତାଙ୍କୁ ପଣବନ୍ଦୀ ରଖାଯାଇଛି ।

ମୁମ୍ୱାଇରେ କାମ କରିବା ସମୟରେ ଆଦର୍ଶ ଏକ କମ୍ପାନିର ମାଲିକଙ୍କ ପରାମର୍ଶରେ ସୁଦାନର ଏକ ପ୍ଲାଷ୍ଟିକ କାରଖାନାରେ କାମ କରିବାକୁ ଚୁକ୍ତିବଦ୍ଧ ହୋଇଥିଲେ । ସୁଦାନରେ  ପ୍ରଥମ ୮ ମାସ ଠିକ୍‌ଠାକ୍‌ ରହିଥିଲା । କିନ୍ତୁ ଯୁଦ୍ଧ ଲାଗିବା ପରେ ସମସ୍ୟାରେ ପଡ଼ିଯାଇଥିଲେ ଆଦର୍ଶ । ବର୍ତ୍ତମାନ ସେ ପଣବନ୍ଦୀ । ଦୁଇ ବର୍ଷ  ଧରି ଠିକ୍‌ରେ ଖାଇବାକୁ ପାଉ ନାହାନ୍ତି । ଦୀର୍ଘ ମାସ ଧରି ପରିବାର ସହ କଥା ହୋଇନାହାନ୍ତି । ଏକ ଭିଡିଓ ବାର୍ତ୍ତା ଜାରି କରି ଆଦର୍ଶ  ରାଜ୍ୟ ସରକାରଙ୍କୁ ଉଦ୍ଧାର କରିବାକୁ ନିବେଦନ  କରିଛନ୍ତି ।

ଗ୍ରାମବାସୀଙ୍କ ସୂଚନା ମୁତାବକ, ଆଦର୍ଶ  ବେହେରାଙ୍କ ପରିବାର କହିଲେ ବାପା କ୍ଷେତ୍ରବାସୀ ବେହେରା, ମାଆରତୀ, ପତ୍ନୀ ଓ ଦୁଇ ପୁତ୍ର  (୮, ୩) । ଆଦର୍ଶଙ୍କ ସାନ ଭାଇ ଗୁଜରାଟରେ କାର୍ଯ୍ୟ କରୁଥିଲେ । ସେ ଏବେ ନିଜ ପରିବାର ସହ  ଗ୍ରାମରେ ରହୁଛନ୍ତି । ବର୍ତ୍ତମାନ ସୁଦାନରେ ଆଦର୍ଶଙ୍କ  ସହ ଆଉ ଦୁଇ ଜଣ ଫସି ରହିଥିବା କୁହାଯାଉଛି ।

ସୁଦାନର ରାଜଧାନୀ ଖାର୍‌ତୁମ୍‌ଠାରୁ  ପ୍ରାୟ ୧,୦୦୦ କିଲୋମିଟର ଦୂରରେ ଥିବା  ଅଲ୍‌ ଫସିର ସହରରୁ ଆଦର୍ଶଙ୍କୁ ଅପହରଣ  କରାଯାଇଛି । ୨୦୨୨ ମସିହାରୁ ଆଦର୍ଶ  ସୁଦାନରେ ସୁକାରାତି ପ୍ଲାଷ୍ଟିକ ଫ୍ୟାକ୍ଟ୍ରିନାମକ  ଏକ କମ୍ପାନିରେ କାମ କରୁଥିଲେ । କେଉଁ  କାରଣରୁ ଉଗ୍ରବାଦୀମାନେ ତାଙ୍କୁ ଅପହରଣ  କରିନେଲେ ତାହା ନେଇ ଜଣାପଡ଼ି ନାହିଁ ।

ଉଗ୍ରବାଦୀଙ୍କ ସହ ଆଦର୍ଶଙ୍କର ଏକ ଭିଡିଓ  ସାମ୍ନାକୁ ଆସିଛି । ଭିଡିଓରେ ଆଦର୍ଶ ଦୁଇଜଣ  ଉଗ୍ରବାଦୀଙ୍କ ସହ ବସିଛନ୍ତି । ତାଙ୍କୁ ସେମାନେ  ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି । ତୁମେ ଶାହରୁଖ୍‌ ଖାନ୍‌ଙ୍କୁ  ଜାଣିଛ କିବୋଲି ସେମାନେ ପଚାରିଥିଲେ ।  ଆଉ ଜଣେ ସଦସ୍ୟ ଆଦର୍ଶଙ୍କୁ କ୍ୟାମେରାକୁ  ଚାହିଁ ଦାଗାଲୋ ଭଲବୋଲି କହିବାକୁ ବାଧ୍ୟ  କରୁଥିବା ଦେଖିବାକୁ ମିଳିଛି । ମହମ୍ମଦ ହମଦାନ୍‌ ଦାଗାଲୋ ହେଉଛି ଆର୍‌ଏସ୍‌ଏଫ୍‌ର ନେତା ।

ପରିବାର ଦେଖାଇଥିବା ଏକ ଭିଡିଓରେ  ଆଦର୍ଶ ହାତ ଯୋଡ଼ି ଉଦ୍ଧାର ପାଇଁ ନେହୁରା  ହେଉଛନ୍ତି । ସେ କହୁଛନ୍ତି, ‘ଅଲ୍‌ ଫସିର  ସହରରେ ମୁଁ ଦୁଇବର୍ଷ ହେଲା ବହୁ କଷ୍ଟରେ  ରହୁଛି । ମୋ ପରିବାର ଓ ସନ୍ତାନ ମୋ ପାଇଁ  ଚିନ୍ତାରେ ଅଛନ୍ତି । ମୁଁ ଓଡ଼ିଶା ସରକାରଙ୍କୁ  ସହାୟତା ଯୋଗାଇବାକୁ ଅନୁରୋଧ କରୁଛି ।

ଉଲ୍ଲେଖଥାଉ କି ୨୦୨୩ରୁ ସୁଦାନରେ  ସଶସ୍ତ୍ର ବଳ ଏବଂ ଆର୍‌ଏସ୍‌ଏଫ୍‌ ମଧ୍ୟରେ  ହିଂସାତ୍ମକ ସଙ୍ଘର୍ଷ ଜାରି ରହିଛି । ଏହାଯୋଗୁ ୧  କୋଟି ୩୦ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି ।  ରାଜଧାନୀ ଖାର୍‌ତୁମ୍‌ରେ ଏହି ସଙ୍ଘର୍ଷ ଭୟାବହ  ରୂପ ନେଇଛି । ଅଲ୍‌ ଫସିର୍‌ ସହରକୁ  ସମ୍ପୂର୍ଣ୍ଣ କବ୍‌ଜା କରିନେଇଛନ୍ତି ଉଗ୍ରବାଦୀ ।  ଘଟଣାକୁ ନେଇ ଅନ୍ତର୍ଜାତୀୟ ଅପରାଧ  କୋର୍ଟ ସୋମବାର ସତର୍କତା ଜାରି କରିଛନ୍ତି ।  ସୁଦାନରେ ଗଣହତ୍ୟା, ଗଣବଳାତ୍କାର ଘଟଣା  ବଢୁଥିବାରୁ ଆର୍‌ଏସ୍‌ଏଫ୍‌ର କାର୍ଯ୍ୟ ଯୁଦ୍ଧ  ଅପରାଧ ବିବେଚିତ ହେବ ବୋଲି କହିଛନ୍ତି ।

ଆଦର୍ଶଙ୍କ ଉଦ୍ଧାର ସଂକ୍ରାନ୍ତରେ ଭାରତରେ  ଅବସ୍ଥାପିତ ସୁଦାନ ରାଷ୍ଟ୍ରଦୂତ ଡ. ମହମ୍ମଦ  ଅବ୍‌ଦଲ୍ଲା ଅଲ୍‌ ଏଲ୍‌ଟମ୍‌ ଯେଉଁ ଟିପ୍ପଣୀ ଦେଇଛନ୍ତିତାହା ତାଙ୍କ ଉଦ୍ଧାର ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  ସେ କହିଛନ୍ତି, ଅଲ୍‌ ଫସିରକୁ ଆମର ସମସ୍ତ  ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ବର୍ତ୍ତମାନ  କେହି କାହା ସହ କୌଣସି ପ୍ରକାର ଯୋଗାଯୋଗ  କରିପାରୁ ନାହାନ୍ତି । ଆମେ ଆଶା କରୁଛୁ ତାଙ୍କର  କୌଣସି କ୍ଷତି ହୋଇ ନ ଥିବ । ସେ ଶୀଘ୍ର  ଫେରି ଆସନ୍ତୁ ବୋଲି ଆମେ ଆଶା କରୁଛୁ ।

ଚଳିତବର୍ଷ ମାର୍ଚ୍ଚ ୨୨ରେ କେନ୍ଦ୍ରୀୟ  ଖାର୍‌ତୁମ୍‌ରେ ଥିବା ରାଷ୍ଟ୍ରପତି ଭବନକୁ  ଉଗ୍ରବାଦୀମାନେ ପୁନଃ ଅକ୍ତିଆର  କରିନେଇଥିଲେ । ତେବେ ଆର୍‌ଏସ୍‌ଏଫ୍‌ର  ଡ୍ରୋନ୍‌ ଆକ୍ରମଣରେ ଜଣେ ସେନା ମୁଖପାତ୍ର  ଏବଂ ସୁଦାନ ଟିଭିର ୩ ଜଣ କ୍ରୁ ସଦସ୍ୟ  ପ୍ରାଣ ହରାଇଥିଲେ । ବର୍ତ୍ତମାନ ଏହି ହିଂସାତ୍ମକ  ସଙ୍ଘର୍ଷ ନର୍ଥ ଡାର୍‌ଫର୍‌କୁ ବ୍ୟାପିଯାଇଛି ।  ଏଠାରେ ଆର୍‌ଏସ୍‌ଏଫ୍‌ ଏବଂ ଡାର୍‌ଫର୍‌ ମିଳିତ  ସୁରକ୍ଷା ବାହିନୀ ମଧ୍ୟରେ ଜୋରଦାର ମୁହାଁମୁହିଁ  ଲାଗିରହିଛି । ଏହିଭଳି ଏକ ଘଟଣାକ୍ରମେ  ଆର୍‌ଏସ୍‌ଏଫ୍‌ ଉଗ୍ରବାଦୀମାନେ ୭୦୦ରୁ ଅଧିକ  ଗାଡ଼ିରେ ଆସି ମିଳିତ ବାହିନୀ ଉପରେ ଆକ୍ରମଣ  କରିଥିଲେ । କିନ୍ତୁ ସେମାନଙ୍କ ଉପରେ ମିଳିତ  ବାହିନୀ ଭାରୀ ପଡ଼ିଥିଲା । ଏହି ସଙ୍ଘର୍ଷରେ ୧୦୦  ଉଗ୍ରବାଦୀ ନିପାତ ହୋଇଥିଲେ । ୩୦ଟି ଗାଡ଼ି  ଜବତ ହୋଇଥିଲା । ୧୭ଟି ନଷ୍ଟ ହୋଇଯାଇଥିଲା ।