ଝାରସୁଗୁଡା,୧୬/୧୦(ଆପ୍ର): ବିଦେଶ ମାଟିରେ ହଜାର ହଜାର ଫୁଟ ଉପରୁ ଆକାଶରୁ ଏକାଧିକବାର ଡେଇଁ ଦେଶ ଓ ରାଜ୍ୟ ପାଇଁ ଗର୍ବ ଗୌରବ ଆଣୁଥିବା ଝାରସୁଗୁଡ଼ା ସହର ପୁରୁଣାବସ୍ତି ର ଯୁବକ ଦିଲୀପ ସାହୁ ପୁଣି ଏକ ଦୁଃସାହାସିକ ଅଭିଯାନ କରିଛନ୍ତି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ମରିଶସ ଯାଇ ସେଠାରେ ଆକାଶରୁ ଡେଇଁ ନବୀନ ପଟ୍ଟନାୟକଙ୍କୁ ଆକାଶରେ ଉଡ଼ିବା ଅବସ୍ଥାରେ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି।
ପୂର୍ବରୁ ଥାଇଲାଣ୍ଡ ଏବଂ ଦୁବାଇରେ ସେ ଅତି ସାହାସ ସହ ସ୍କାଏ ଡାଇଭିଂ ପ୍ରଦର୍ଶନ କରିଥିବା ବେଳେ ଇଣ୍ଡୋନେସିଆ ନୂସା ପେନିଡ଼ାଠାରେ ବଙ୍ଗି ଜମ୍ପିଂ କରିଥିଲେ। ସେଠାରେ ସେ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଚିତ୍ର ଥିବା ପୋଷାକ ପରିଧାନ କରିଥିଲେ । ଏଥର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଦିଲୀପ ମରିଶସକୁ ଯାଇ ସେଠାରେ ବିମାନ ଯୋଗେ ଉଚ୍ଚ ଆକାଶରୁ ଉଭୟଦେଶର ଜାତୀୟ ପତାକା ସହ ନିଜ ପରିଧାନରେ ପ୍ରିୟ ନେତା ନବୀନଙ୍କ ଚିତ୍ର ଧାରଣ କରି ଡେଇଁଛନ୍ତି ।