ଭୁବନେଶ୍ୱର,୨୫/୦୯: ବିଧାନସଭାର ମୌସୁମୀ ଅଧିବେଶନରେ ଥିଲା ମାତ୍ର ୭ଟି କାର୍ଯ୍ୟ ଦିବସ । ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇଥିଲା, ସରିଥାଆନ୍ତା ୨୫ରେ । କିନ୍ତୁ, ଏହି ସ୍ୱଳ୍ପକାଳୀନ ଅଧିବେଶନ ଦିନକ ଆଗରୁ ବୁଧବାର ସରିଛି । ଚାଲିଲା ମାତ୍ର ୬ଦିନ ।
ମୌସୁମୀ ଅଧିବେଶନର ପ୍ରଥମ ଦିନଟି ଦିବଂଗତ ସଦସ୍ୟ ଓ ପୂର୍ବତନ ସଦସ୍ୟଙ୍କୁ ଶୋକାଞ୍ଜଳି ଅର୍ପଣ ପାଇଁ ସମର୍ପିତ ଥିଲା । ବାକି ସବୁଦିନ ହଟ୍ଟଗୋଳ ଜାରି ରହିଥିଲା । ସାର ସଙ୍କଟ ପାଇଁ ବିଜେଡି ତିନିଦିନ କାଳ ନାରାବାଜି, ହଟ୍ଟଗୋଳ ଚଳାଇଲା । ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ଜନପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ହେବା ପ୍ରସଙ୍ଗକୁ ନେଇ ମଙ୍ଗଳବାର ବିଜେଡି ଗୃହରେ ହଙ୍ଗାମା କରିଥିଲା । ସେହିପରି ଅନାସ୍ଥା ନୋଟିସ ଗ୍ରହଣ ଦାବିରେ କଂଗ୍ରେସ ସଭ୍ୟମାନଙ୍କ ପ୍ରତିବାଦ ଜାରି ରହିଥିଲା ଏହି ଅଧିବେଶନ ଆରମ୍ଭରୁ। ଶେଷ ଦିନରେ କଂଗ୍ରେସ ସଭ୍ୟମାନେ ନାରୀ ସୁରକ୍ଷାକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିଥିଲେ ।
ହଟ୍ଟଗୋଳ ଭିତରେ ଗୋଟିଏ ବି ଦିନ ପ୍ରଶ୍ନକାଳ ସ୍ୱାଭାବିକ ହୋଇପାରିନଥିଲା ଏହି ଅଧିବେଶନରେ । ବୁଧବାର ସର୍ବାଧିକ ୩୦ ମିନିଟ ପ୍ରଶ୍ନକାଳ ଚାଲିପାରିଥିଲା, ତାହା ବି ନାରାବାଜି ଭିତରେ । ଅଧିବେଶନରେ ଗୋଟିଏ ମାତ୍ର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ସମ୍ଭବପର ହୋଇଥିଲା । ୮ଟି ତାରକା ପ୍ରଶ୍ନ ଉପରେ ଆଲୋଚନା ହୋଇଥିବାବେଳେ ୨ଟି ସଂଶୋଧନ ବିଲ୍ ପାରିତ ହୋଇଛି । ଶେଷ ଦିନରେ ୪ଟି ସିଏଜି ରିପୋର୍ଟ ଉପସ୍ଥାପନ ହୋଇଥିଲା । ଏହାସହ ଅଧିବେଶନରେ ୧୪ଟି କାଗଜ, ୧୫ଟି ବାର୍ଷିକ ରିପୋର୍ଟ, ଗୋଟିଏ କମିଟି ରିପୋର୍ଟ, ଗୋଟିଏ ଅଧ୍ୟାଦେଶ ଗୃହରେ ଉପସ୍ଥାପନ ହୋଇଛି । ଜିଏସଟି ସଂସ୍କାର ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇବା ଉଦ୍ଦେଶ୍ୟରେ ସଂକଳ୍ପ ପାରିତ ହୋଇଥିଲା ।
ଏହି ମୌସୁମୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିୟମିତ ଆସିଥିବାବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ପାରିନଥିଲେ । ତେବେ ମୁଖ୍ୟ ବିରୋଧୀ ଦଳ ବିଜେଡି ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିଥିଲା । ଗୃହ ଭିତରେ ଓ ବାହାରେ ବିଜେଡି ଶକ୍ତି ପ୍ରଦର୍ଶନ କରିଥିଲା । କଂଗ୍ରେସ ମଧ୍ୟ ସମାନ ଢଙ୍ଗରେ ଗୃହ ଭିତରେ ଓ ବାହାରେ ପ୍ରତିବାଦ କରି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲା । ଅପରପକ୍ଷରେ ସରକାରୀ ଦଳ ମଧ୍ୟ ବିରୋଧୀ ଦଳର ସବୁ ଅସ୍ତ୍ରକୁ ଠିକଣା ଭାବେ ସାମ୍ନା କରିଥିଲା ।