ଭାବନଗର,୨୦/୦୯ (ଅନିଲକାନ୍ତ ଦାସ): ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସ୍ଥାପନ ହେବାକୁ ଯାଉଛି ବୃହତ୍ ଜାହାଜ ନିର୍ମାଣ କ୍ଲଷ୍ଟର । ପାରାଦୀପ ବନ୍ଦର ଓ ଓଡ଼ିଶା ମାରିଟାଇମ୍ ବୋର୍ଡ (ଓଏମ୍ବି) ସହଭାଗିତାରେ ଏହି କ୍ଲଷ୍ଟର ନିର୍ମାଣ ହେବ । କେନ୍ଦ୍ରାପଡା ଜିଲ୍ଲାର ନଦୀ କୂଳ ଓ ପାରାଦୀପ ଇଫ୍କୋ ପ୍ଲାଣ୍ଟର ବିପରୀତ ପାର୍ଶ୍ୱରେ ସ୍ଥାପିତ ହେବାକୁ ଥିବା ଏହି ପ୍ରକଳ୍ପରେ ନିବେଶ ହେବ ୨୪,୭୦୦ କୋଟି । ୨୦୦୦ରୁ ୨୫୦୦ ଏକର ଜମିରେ ଛିଡ଼ା ହେବ ଏ କ୍ଲଷ୍ଟର ।
ସେହିଭଳି ଗଞ୍ଜାମ ବାହୁଦା ମୁହାଣରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ମାଣ ହେବ ଏହି ଗ୍ରୀନ ଫିଲ୍ଡ ସାଟେଲାଇଟ ବନ୍ଦର । ଏଥିରେ ନିବେଶ ହେବ ୨୧,୫୦୦ କୋଟି ଟଙ୍କା । ଏହି ବନ୍ଦରର ପ୍ରସ୍ତାବିତ ବାର୍ଷିକ କ୍ଷମତା ୧୫୦ ନିୟୁତ ଟନ୍ ରହିବ । ଏ ଦୁଇଟି ମେଗା ପ୍ରକଳ୍ପ ପାଇଁ ସ୍ୱାକ୍ଷରିତ ହୋଇଛି ଏମ୍ଓୟୁ ।
ଗୁଜରାଟର ଭାବନଗରରେ ସାମୁଦ୍ରିକ କ୍ଷେତ୍ର ରୂପାନ୍ତରଣ କନ୍କ୍ଲେଭ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଉପସ୍ଥିତିରେ ଏହି ଦୁଇଟି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ପ୍ରସ୍ତାବିତ ଜାହାଜ ନିର୍ମାଣ ପ୍ରକଳ୍ପ ଏକ ସମନ୍ୱିତ ଇକୋସିଷ୍ଟମ ବିକଶିତ କରିବ । ଏଥିରେ ବୃହତ୍ ଜାହାଜ ନିର୍ମାଣ ୟୁନିଟଗୁଡ଼ିକ ଆସିବ । ଯାହାର ମିଳିତ ବାର୍ଷିକ କ୍ଷମତା ୧.୦୨ରୁ ୧.୨ ନିୟୁନ ଗ୍ରସ ଟନେଜ୍ ରହିବ । ଏହି କ୍ଲଷ୍ଟରର ଜାହାଜ ନିର୍ମାଣ କ୍ଷେତ୍ରରେ ଆନୁଷଙ୍ଗିକ ଶିଳ୍ପ ଯଥା- ଇଞ୍ଜିନ ବିନିର୍ମାଣ, ଇସ୍ପାତ ଫାବ୍ରିକେସନ, ଯନ୍ତ୍ରାଂଶ ଯୋଗାଣକାରୀଙ୍କ ଲାଗି ମଧ୍ୟ ଆବଶ୍ୟକ ସ୍ଥାନ ଯୋଗାଇ ଦେବେ ରାଜ୍ୟ ସରକାର । ଏଥିପାଇଁ ୨ରୁ ୨.୫ କିମିର ୱାଟର ଫ୍ରଣ୍ଟ୍ ବ୍ୟବସ୍ଥା କରାଯିବ।
୨୦୪୭ ସୁଦ୍ଧା ଦେଶକୁ ବିଶ୍ୱର ଶ୍ରେଷ୍ଠ ୫ ଜାହାଜ ଉତ୍ପାଦନକାରୀଙ୍କ ମଧ୍ୟରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏଥିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ଓଡ଼ିଶା । ଏହାଛଡ଼ା ଏହି ବୃହତ୍ ପ୍ରକଳ୍ପ ପାଇଁ ଆନୁଷଙ୍ଗିକ ଭିତ୍ତିଭୂମି ଯଥା ପ୍ରଶାସନିକ କାର୍ଯ୍ୟାଳୟ, ତାଲିମ କେନ୍ଦ୍ର, ଗବେଷଣା ଏବଂ ଉନ୍ନତୀକରଣ ଫାସିଲିଟି ମଧ୍ୟ ସ୍ଥାପନ ହେବ । ପାରାଦୀପ ବନ୍ଦର ଏବଂ ଓଏମ୍ବି ମିଳିତ ଭାବେ ଏହି ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକୁ ବିକଶିତ କରିବେ । ଏହି କ୍ଲଷ୍ଟର ନିବେଶକଙ୍କୁ ଆକୃଷ୍ଟ କରିବା ସହ ପରିବେଶ ଉପଯୋଗୀ ପଦକ୍ଷେପ ଗ୍ରହଣ କରିବ । ଦେଶର ବାଣିଜ୍ୟିକ ଜାହାଜ ନିର୍ମାଣ କ୍ଷମତାକୁ ବଢ଼ାଇବ ।
ସେହିଭଳି ବାହୁଦାରେ ସାଟେଲାଇଟ୍ ବନ୍ଦର ନିର୍ମାଣ ହେବ । ନୂଆ ସାଟେଲାଇଟ ବନ୍ଦର ଲାଗି ପାରାଦୀପ ପୋର୍ଟ ଅଥରିଟି, ଓଏମ୍ବି ଏବଂ ସାଗରମାଳା ଫାଇନାନ୍ସ କର୍ପୋରେସନ ତ୍ରିପାକ୍ଷିକ ଚୁକ୍ତିରେ ସାମିଲ ହୋଇଛନ୍ତି । ‘ମାରିଟାଇମ୍ ଭିଜନ ୨୦୩୦’ ଏବଂ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅଧିନରେ ଏହି ବନ୍ଦରର ବିକାଶ କରାଯିବ । ଦେଶର ନୌପରିବହନ ଭିତ୍ତିଭୂମିକୁ ଦୃଢ଼ୀକରଣ କରିବାରେ ଏହା ବିଶେଷ ଭାବେ ଯୋଗଦାନ ଦେବ । ଏହି ବନ୍ଦର ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା, ଉତ୍ତର ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶର କିଛି ଅଞ୍ଚଳ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ପଣ୍ୟ ପରିବହନରେ ଏହା ଉଲ୍ଲେଖନୀୟ ଭୂମିକା ତୁଲାଇବ ।
ଓଏମ୍ବି ଏ ନେଇ ରାଜ୍ୟସ୍ତରୀୟ ସହାୟତା, ବାହ୍ୟ ସଂଯୋଗ ଏବଂ ଆନୁଷଙ୍ଗିକ ମଞ୍ଜୁରୀ ପ୍ରଦାନ କରିବ । ବନ୍ଦର ଲାଗି କେନ୍ଦ୍ର ସରକାର ୫,୦୦୫ ହଜାର ଏକରର ଜମି ଯୋଗାଇ ଦେବେ । ଅତିରିକ୍ତ ଜମି ଯୋଗାଣ ନେଇ ମଧ୍ୟ ବ୍ୟବସ୍ଥା ହେବ । ପ୍ରକଳ୍ପକୁ ଆର୍ଥିକ ସହାୟତା ଯୋଗାଇ ଦେବ ସାଗରମାଳା ଫାଇନାନ୍ସ କର୍ପୋରେସନ । ବନ୍ଦର ନେଇ ଏକ ସ୍ପେଶାଲ ପର୍ପୋଜ ଭେଇକିଲ (ଏସ୍ପିଭି) ଗଠନ ହେବ। ଯାହା ବନ୍ଦରର କାର୍ଯ୍ୟାନ୍ୱୟନ, ଫାଇନାନ୍ସ ଏବଂ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଦେଖିବ ।
ଏ ଅବସରରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (ପିପିଏ) ଅଧ୍ୟକ୍ଷ ପି.ଏଲ୍ ହରନାଦ କହିଛନ୍ତି, ପ୍ରସ୍ତାବିତ ନୂଆ ବନ୍ଦରରେ କଣ୍ଟେନର, ବ୍ରେକ୍ ବଲ୍କ, ଡ୍ରାଏ ବଲ୍କ, ଲିକ୍ୟୁଡ ବଲ୍କ କାର୍ଗୋ ପରିଚାଳନା ଲାଗି ସ୍ୱତନ୍ତ୍ର ଡକ୍ ରହିବ । ସେହିଭଳି ପୋର୍ଟ କ୍ରାଫ୍ଟ, କୋଷ୍ଟ ଗାର୍ଡ ଜାହାଜ ଲାଗି ସର୍ଭିସ ଡକ୍ ଏବଂ ଡ୍ରାଏ ଡକ୍ ସୁବିଧା କରାଯିବ । ଏହି ବନ୍ଦର ଦେଶର ବନ୍ଦର କ୍ଷମତା ବୃଦ୍ଧି ସହ ପଣ୍ୟ କାରବାରକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ । ଓଡ଼ିଶା ଭଳି ରାଜ୍ୟ ଏଥିରୁ ବେଶ ଲାଭ ମଧ୍ୟ ଉଠାଇବ ।