ଚୌଦ୍ୱାର-ଗୁରୁଡିଝାଟିଆ,୨୩/୦୯: ଏକ ବାଇକ୍‌ ଲୁଟ୍‌ ଘଟଣାରେ ସନ୍ଦେହରେ ଜଣେ ଯୁବକଙ୍କ ସହ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ଚୌଦ୍ୱାର ଥାନା ପୁଲିସ ଉଠାଇ  ଆଣିଥିଲା । ସିସିଟିଭି ଆଢୁଆଳରେ ରଖିବା ପାଇଁ ଉଭୟଙ୍କୁ ଥାନା ହାଜତରେ ନରଖି ଥାନାଠାରୁ ପ୍ରାୟ ଦୁଇ ଶହ  ମିଟର ଦୂରରେ ଥିବା ବାରାକ୍‌ରେ ଅଟକ ରଖିଥିଲା ତଦନ୍ତକାରୀ ଟିମ୍‌ । ସନ୍ଦିଗ୍ଧ  ଯୁବକଙ୍କ ପାଟିରୁ ସତ ବାହାର କରିବା  ପାଇଁ ନିଷ୍ଠୁର ହୋଇଯାଇଥିଲା ପୁଲିସ । ଫୋର୍ସ ରହୁଥିବା ବାରାକ୍‌ରେ ଦୁଇ ଦିନ କାଳ ଯୁବକଙ୍କୁ ପୁଲିସ କର୍ମଚାରୀମାନେ ପର୍ଯ୍ୟାୟକ୍ରମେ ଜଣକ ପରେ ଜଣେ ପ୍ଲାଷ୍ଟିକ୍‌ ପାଇପ୍‌ରେ ପିଟି ଚାଲିଥିଲେ । ​​​​​​​ପୁଲିସର  ନିର୍ଘାତ ମାଡ଼ ଓ ଅକଥନୀୟ ଅତ୍ୟାଚାରରେ ଦୁଇ ଦିନ ହେଲା ବାରାକ୍‌ରେ ଅଟକ ଥିବା ଢେଙ୍କାନାଳ ଜିଲ୍ଲା ଭାପୁର ଥାନା କୋରଙ୍ଗା  ଗ୍ରାମର ରସାନନ୍ଦ ନାୟକ(୩୪)ଙ୍କର ମୃତ୍ୟୁ  ହୋଇଛି ବୋଲି ପରିବାର ଲୋକେ ପୁଲିସ  ବିରୋଧରେ ସଙ୍ଗିନ୍‌ ଅଭିଯୋଗ ଆଣିଛନ୍ତି।

ରସାନନ୍ଦଙ୍କ ମୃତ୍ୟୁ ପାଇଁ ପୁଲିସକୁ ପରିବାର ଲୋକେ ଓ ସମ୍ପର୍କୀୟମାନେ ସିଧାସଳଖ ଦାୟୀ କରିଛନ୍ତି । ଏହି ହାଜତ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଚୌଦ୍ୱାର ଥାନା ଆଇଆଇସି ଦାୟିତ୍ୱରେ ଥିବା ଏସିପି ଇନ୍‌ଚାର୍ଜ  ବିଶ୍ୱରଞ୍ଜନ ସାହୁଙ୍କୁ ନିଲମ୍ବିତ କରାଯାଇଛି । ଶ୍ରୀ ସାହୁ ୪ ମାସ ତଳେ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିଲେ ହେଁ ଥାନାର ଇନ୍‌ଚାର୍ଜ ଇନ୍ସପେକ୍ଟର ଭାବେ କାମ କରିଆସୁଥିଲେ । ସେହିପରି ଥାନାରେ ଡିସିଓ ଦାୟିତ୍ୱରେ ଥିବା ଏସ୍‌ଆଇ ନିରଞ୍ଜନ ଗୋଡ଼ା ଓ ସେଣ୍ଟ୍ରି ଦାୟିତ୍ୱରେ ଥିବା ଓଏପିଏଫ୍‌ କନଷ୍ଟେବଲ୍‌  କମଲ ଲୋଚନ ମାଝିଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।  

ପୁଲିସ ପକ୍ଷରୁ ଘଟଣାକୁ ଚପାଇଦେବା  ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ତାହା  ସଫଳ ହୋଇପାରିନାହିଁ । ବାରାକ୍‌ର  ପାଇଖାନାରୁ ରସାନନ୍ଦଙ୍କ ଝୁଲନ୍ତା ମୃତଦେହ  ମିଳିଛି । ପୁଲିସ ୟୁନିଫର୍ମ ହ୍ୱିସିଲ୍‌ କଡ୍‌ରେ  ସେ ଫାଶି ଲଗାଇବା ଘଟଣା ଅଧିକ ସନ୍ଦେହ  ସୃଷ୍ଟି କରିଛି । ଚୌଦ୍ୱାର ଥାନା ପୁଲିସ  ବାରାକରୁ ଯୁବକଙ୍କ ମୃତଦେହକୁ ନେଇ  ଏସ୍‌ସିବି ମେଡିକାଲରେ ପହଞ୍ଚାଇଥିଲେ ହେଁ  ଆଜି ଶବ ବ୍ୟବଚ୍ଛେଦ ହୋଇପାରିନାହିଁ ।  ଏହା ଏକ ହାଜତ ମୃତ୍ୟୁ ଜନିତ ମାମଲା  ହୋଇଥିବାରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ  ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ  ବୋଲି ସୂଚନା ମିଳିଛି । ରସାନନ୍ଦଙ୍କ ପତ୍ନୀ  ଏସ୍‌ସିବି ମେଡିକାଲ୍‌ରେ ପହଞ୍ଚି ପୁଲିସର  ଥାର୍ଡ ଡିଗ୍ରୀ ନିର୍ଯାତନାକୁ ଦାୟୀ କରିବା  ସହ ପୁଲିସ ଅତ୍ୟାଚାର ବିରୋଧରେ ସେ  ସ୍ୱର ଉଠାଇଛନ୍ତି । ପୁଲିସ ତାଙ୍କ ସ୍ୱାମୀଙ୍କୁ  ମିଛ ଅଭିଯୋଗରେ ଉଠାଇ ଆଣି ନିସ୍ତୁକ  ପିଟିପିଟି ମାରିଦେଇଥିବା ସେ ଅଭିଯୋଗ  କରିଛନ୍ତି ।  

ମିଳିଥିବା ସୂଚନା ମୁତାବକ, ଏକ  ବାଇକ୍‌ ଚୋରି ମାମଲାରେ ଚୌଦ୍ୱାର ଥାନା  ପୁଲିସ ନିକଟରେ ଦୁଇ ଜଣ ଅଭିଯୁକ୍ତଙ୍କୁ  ଗିରଫ କରିବା ସହ ବାଇକ୍‌ ମଧ୍ୟ ଜବତ  କରିଥିଲା । ଗିରଫ ଅଭିଯୁକ୍ତମାନଙ୍କୁ ଜେରା  କରିବା ବେଳେ ଉକ୍ତ ଘଟଣାରେ ଢେଙ୍କାନାଳ  କୋରଙ୍ଗା ଗ୍ରାମର ରସାନନ୍ଦ ଓ ତାଙ୍କ  ସମ୍ପର୍କୀୟ ଭାଇ ତପନ ବାରିକ୍‌ଙ୍କ ସମ୍ପୃକ୍ତି  ଥିବା ପୁଲିସ ଜାଣିବାକୁ ପାଇଥିଲା । ତେଣୁ  ରସାନନ୍ଦ ଓ ତପନ ଉଭୟଙ୍କୁ ଭିନ୍ନ ଭିନ୍ନ  ସ୍ଥାନରୁ ଚୌଦ୍ୱାର ଥାନା ପୁଲିସ ଉଠାଇ  ଆଣି ପଚରାଉଚରା କରୁଥିଲା । ଚୌଦ୍ୱାର  ପୁଲିସ କହିବା କଥା, ରସାନନ୍ଦ ଆଜି ପରିସ୍ରା  କରିବା ପାଇଁ କହି ପାଇଖାନା ଭିତରକୁ  ଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ସେ  ନବାହାରିବାରୁ ପୁଲିସ ତାଙ୍କୁ ଡାକିଥିଲା ।  ସେ କବାଟ ନଖୋଲିବାରୁ ପୁଲିସ କବାଟ  ଭାଙ୍ଗି ଭିତରକୁ ପଶିଲା ବେଳକୁ ପୁଲିସ  ପୋଷାକରେ ବ୍ୟବହାର ହେଉଥିବା  ଏକ ହ୍ୱିସିଲ୍‌ କର୍ଡରେ ଫାଶି ଲଗାଇ ସେ  ଝୁଲୁଥିବାର ଦେଖିବାକୁ ମିଳିଥିଲା ।