ଭୁବନେଶ୍ୱର,୨୯/୧୦ : ୨୬ ବର୍ଷ ବିତିଗଲା । କିନ୍ତୁ, ଆଜି ବି ବାତ୍ୟା ନାଁ ଶୁଣିଲେ ମନେ ପଡ଼ିଯାଏ ୧୯୯୯ ମହାବାତ୍ୟା । ହଜାର ହଜାର ଜୀବନ ପୋକ ମାଛି ପରି ମରି ଭାସିଗଲେ । ଏହି ମହାବାତ୍ୟାରୁ ଓଡ଼ିଶା ଏମିତି ଶିକ୍ଷା ପାଇଲା, ସାରା ବିଶ୍ୱ ଆଗରେ ବିପର୍ଯ୍ୟୟ ମୁକାବିଲାର ରୋଲ୍‌ ମଡେଲ୍‌ ପାଲଟିଗଲା । ବାତ୍ୟା ମୁକାବିଲା ପ୍ରସ୍ତୁତିରେ ସାରା ଦୁନିଆ ପାଇଁ ଓଡ଼ିଶା ଆଲୋକ ବର୍ତ୍ତିକା ହୋଇଛି । ଯେତେ ଥର ବାତ୍ୟା ଆସିଛି, ଶୂନ୍ୟ ମୃତ୍ୟୁ ମିଶନକୁ ସଫଳତାର ସହ ସାକାର କରିଛି ଓଡ଼ିଶା ।  ବିଗତ ବର୍ଷମାନଙ୍କର ତଥ୍ୟକୁ ଅନୁଧ୍ୟାନରୁ ଜଣାପଡ଼ିଛି, ବାତ୍ୟାରେ କାଁ ଭାଁ ଜୀବନ ଯାଇଛି ଓଡ଼ିଶାରେ ।

୨୦୨୧- ୨୨ରୁ ୨୦୨୩-୨୪ ମଧ୍ୟରେ ତିନି ବର୍ଷରେ ବିପର୍ଯ୍ୟୟରେ ୧୦ ହଜାର ୩୦୨ ଜୀବନ ଯାଇଛି ରାଜ୍ୟରେ । କିନ୍ତୁ, ଏହି ୩ ବର୍ଷରେ ଆସିଥିବା ୪ଟି ବାତ୍ୟାରେ ମାତ୍ର ୩ଜଣ ପ୍ରାଣ ହରାଇଛନ୍ତି । ବାତ୍ୟା ମୁକାବିଲାରେ ଶୂନ୍ୟ ମୃତ୍ୟୁ ଟାର୍ଗେଟକୁ ଓଡ଼ିଶା ହାସଲ କରିପାରୁଛି । ମାତ୍ର ଚିନ୍ତା ବଢ଼ାଇଛି ପାଣି ବୁଡ଼ି, ବଜ୍ରପାତ ଓ ସାପ କାମୁଡ଼ା । ଶହଶହ ଜୀବନ ଯାଉଛି ଏଥିରେ । ଏସବୁ ବିପର୍ଯ୍ୟୟ ଏବେ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି । ସରକାରୀ ତଥ୍ୟ କହୁଛି, ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୨୦୨୧- ୨୨ରେ ୩୩୫୧, ୨୦୨୨-୨୩ରେ ୩୬୪୯, ୨୦୨୩-୨୪ରେ ୩୩୦୨ଜଣଙ୍କ ମୃତ୍ୟୁ ହୋଇଛି । ସର୍ବାଧିକ ଜୀବନ ଯାଇଛି ପାଣିରେ ବୁଡ଼ିଯିବା ଯୋଗୁ । ଏହି ୩ ବର୍ଷରେ ପାଣିରେ ବୁଡ଼ି ୫୫୩୪ଜଣ ଅକାଳରେ ଜୀବନ ହରାଇଛନ୍ତି । ୨୦୨୦ରୁ ୨୦୨୫ ଜୁନ୍‌ ଶେଷ ସୁଦ୍ଧା ପ୍ରାୟ ୭୮୦୦ ଜୀବନ ଯାଇଛି ପାଣିରେ ବୁଡ଼ିବା ଯୋଗୁ । ଏଥିରୁ ଅଧିକାଂଶ ମୃତ୍ୟୁ ବନ୍ୟା ସମୟରେ ହୋଇନାହିଁ । ପ୍ରାୟତଃ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଏଭଳି ମୃତ୍ୟୁର ଶିକାର ହେଉଛନ୍ତି । ନିକଟରେ କଟକ ୪୨ ମୌଜାର ବସନ୍ତକୁଣ୍ଡଳ ଗ୍ରାମରେ ଦୁଇ ଜଣ ସ୍କୁଲ ଛାତ୍ର ସିଢ଼ୁଆ ନଦୀରେ ଗାଧୋଇବା ସମୟରେ ଭାସି ଯାଇ ପ୍ରାଣ ହରାଇଥିଲେ । ଏଭଳି ଅଘଟଣ ପ୍ରାୟ ସବୁଦିନ ବିଭିନ୍ନ ଜିଲ୍ଲାରେ ଘଟୁଛି । ଏହାକୁ ରାଜ୍ୟ ବିପର୍ଯ୍ୟୟ ତାଲିକାଭୁକ୍ତ କରାଯିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ସରକାରୀ ସହାୟତା ପ୍ରଦାନ କରାଯାଉଛି । ଲୋକଙ୍କୁ ସଚେତନ କରିବା ସରକାରଙ୍କ ପାଇଁ ବଡ଼ ଆହ୍ୱାନ ହୋଇଛି ।

ସେହିପରି ସାପ କାମୁଡ଼ା ଆଉ ଏକ ବଡ଼ ବିପର୍ଯ୍ୟୟ ସାଜିଛି । ପ୍ରତିବର୍ଷ ପ୍ରାୟ ୧ ହଜାର ଜୀବନ ଯାଉଛି ସାପ କାମୁଡ଼ା ପାଇଁ । ୨୦୨୧- ୨୨ରୁ ୨୦୨୩-୨୪ ଭିତରେ ସାପ କାମୁଡ଼ାରେ ୩୩୫୬ଜଣ ଅକାଳରେ ଆରପାରିକୁ ଚାଲିଗଲେ । ଏହି ୩ ବର୍ଷରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ଥିଲା ୮୭୪ । ଶୂନ୍ୟରୁ ଖସୁଥିବା ଏହି ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ସରକାର ସଚେତନତା ସହ ତାଳ ଗଛ ଲଗାଇବା ଅଭିଯାନ ଚଳାଇଛନ୍ତି । ତଥାପି ଏହି ମୃତ୍ୟୁ ହ୍ରାସ କରିବା ବଡ଼ ଆହ୍ୱାନ ହୋଇଛି । ବନ୍ୟା, ବାତ୍ୟାକୁ ବାରମ୍ବାର ଓଡ଼ିଶା ସଫଳତାର ସହ ମୁକାବିଲା କରୁଥିବାବେଳେ ନୂଆ ଆହ୍ୱାନ ସୃଷ୍ଟି କଲାଣି ଭୂସ୍ଖଳନ । ଗତ ସେପ୍ଟେମ୍ବର ମାସରେ ଫୁଲବାଣୀ-ଗଞ୍ଜାମକୁ ସଂଯୋଗ କରୁଥିବା କଳିଙ୍ଗା ଘାଟି ରାସ୍ତାରେ ଯେଉଁଭଳି ଭୟାନକ ଭୂସ୍ଖଳନ ହେଲା, ବିଶେଷଜ୍ଞ ବି ଚକିତ ହୋଇଗଲେ । ଏମିତି ଆଗରୁ କେବେ ହୋଇନଥିଲା । ପୂର୍ବରୁ ତିତ୍‌ଲି ବାତ୍ୟାବେଳେ ଗଜପତିରେ ଭୟାନକ ଭୂସ୍ଖଳନରେ ବହୁ ଧନଜୀବନ ଯାଇଥିଲା । ଯଦିଓ ଇସ୍ରୋର ଭୂସ୍ଖଳନ ପ୍ରବଣ ମାନଚିତ୍ରରେ ଓଡ଼ିଶା ସ୍ଥାନ ପାଇନି । ତଥାପି ପ୍ରକୃତିର ପରିବର୍ତ୍ତିତ ରୂପକୁ ଦେଖି ରାଜ୍ୟର ୭ଟି ଜିଲ୍ଲାକୁ ସମ୍ଭାବ୍ୟ ଭୂସ୍ଖଳନ ପ୍ରବଣ ଅଞ୍ଚଳ ତାଲିକାରେ ଗଜପତି, ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ରହିଛି । ଏ ଦିଗରେ ଓଡ଼ିଶା ସରକାର ଏବେ ଗବେଷଣା ବି ଆରମ୍ଭ କରିଛନ୍ତି ।