ମାଲକାନଗିରି, ୧୨/୯(ଆପ୍ର): ତୁଳସୀ ଦୁଇ ପତ୍ରରୁ ବସିଲା ପରି ଜଣେ ତିନିବର୍ଷର ଶିଶୁ ସଫଳତାର ମହକ ପହଁଚି ଯାଇଛି ଇଣ୍ଡିଆ ବୁକ ଅଫ ରେକର୍ଡସରେ। ଖୁବ କମ ଓ ସଠିକ ସମୟରେ ଠିକ ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ହାସଲ କରିଛନ୍ତି ମାଲକାନଗିରିର ମର୍ଡନ ଇଂରାଜୀ ବିଦ୍ୟାଳୟ ପ୍ଲେ ସ୍କୁଲର ୩ବର୍ଷର ଛାତ୍ର (ଶିଶୁ) ଏମ୍. ପ୍ରତ୍ୟୁଷ କୁମାର।

ତାଙ୍କ ନିଜ ଜନ୍ମ ସ୍ଥାନ ଓଡ଼ିଶାର ପୁରୀର ଜିଲ୍ଲାରେ ହୋଇଥିଲେ ମଧ୍ୟ ତାଙ୍କ ବାପା ପ୍ରଭାତ ଗୌଡ, ମାତା-ମନାସି ବେହେରା ଦୁହେଁ ମାଲକାନଗିରି ଥାନାରେ ସବ ଇନିସପେକ୍ଟର (ଉପନିରୀକ୍ଷକ) ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କର ଏକ ମାତ୍ର ସନ୍ତାନ ଏମ୍. ପ୍ରତ୍ୟୁଷ କୁମାର ବର୍ତମାନ ମାଲକାନଗିରିରେ ବାପା ଓ ମାଙ୍କ ନିକଟରେ ରହୁଛନ୍ତି ଏବଂ ମାଲକାନଗିରି ମଡର୍ନ ଇଂଗ୍ଲିଶ ସ୍କୁଲର ପ୍ଲେସ୍କୁଲରେ ପାଠ ପଢୁଛି ।  

ସୂଚନା ମୁତାବକ, ଏମ୍. ପ୍ରତ୍ୟୁଷ କୁମାରଙ୍କୁ ୨୩ ପ୍ରକାର ଫଳ, ୨୦ପ୍ରକାର ପନିପରିବା, ୨୦ପ୍ରକାର ଗୃହପାଳିତ ପଶୁ, ୨୧ପ୍ରକାର ବନ୍ୟ ପ୍ରାଣୀ, ୨୦ପ୍ରକାର ପକ୍ଷୀ, ୨୦ପ୍ରକାର ଫୁଲ, ୨୦ପ୍ରକାର ରଙ୍ଗ, ୧୧ ପ୍ରକାର ଆକୃତି ରୂପ, ୨୪ ପ୍ରାଣୀ, ୧୮ପ୍ରକାର ଯାନ, ୩୩ ପ୍ରକାର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଏବଂ ଇଂରାଜୀ ବର୍ଣ୍ଣମାଳାର ଅକ୍ଷର ସହିତ ଜଡିତ ଶବ୍ଦଗୁଡ଼ିକୁ ଚିହ୍ନଟ ଏବଂ ନାମକରଣ କରିବା ପାଇଁ 'ଆଇବିଆର ଆଚିଭର୍' ଭାବରେ ରେକାସ୍ ଉପାଧି ଦିଆଯାଇଛି। ୨୦ଟି କାର୍ଯ୍ୟ କରିବା, ୧ ରୁ ୩୦ ପର୍ଯ୍ୟନ୍ତ ଗଣନା କରିବା, ୨୮ଟି ରାଜ୍ୟର ରାଜଧାନୀ ଏବଂ ୧୭ଟି ଜାତୀୟ ପ୍ରତୀକକୁ ମନେ ପକାଇବା, ୧୯ଟି ଜି.କେ. ପ୍ରଶ୍ନର ଉତ୍ତର ଦେବା ପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରିଛନ୍ତି।

ପୁସ୍ତକର ମୁଖ୍ୟ ସମ୍ପାଦକ ଡକ୍ଟର ବିଶ୍ୱରୂପ ରାୟ ଚୌଧୁରୀ ଗୁରୁବାର ଦିନ ଏହି ଛୋଟ ଶିଶୁ ନିକଟକୁ ପ୍ରମାଣ ପତ୍ର, ପଦକ ପଠାଇ ଇଣ୍ଡିଆ ବୁକ ଅଫ ରେକର୍ଡସରେ ଆଇବିଆର ଏଚିବର ଭାବେ ପୁରସ୍କୃତ କରିଛନ୍ତି। ଏତେ କମ ବୟସ ରେ ସଫଳତାର ସହିତ  ସମସ୍ତ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରିଥିବା ଶିଶୁ ଏମ୍. ପ୍ରତ୍ୟୁଷ କୁମାରଙ୍କୁ ଜିଲ୍ଲାବାସୀଙ୍କ ପକ୍ଷରୁ ପ୍ରଶଂସାର ସୁଅ ଛୁଟୁଛି ଓ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇ ଉଜ୍ଜଳ ଭବିଷ୍ୟତ କାମନା କରାଯାଇଛି।