ଭୁବନେଶ୍ୱର,୨୨/୦୯: ଦେଶରେ ଜିଏସ୍ଟି ୨.୦ ଲାଗୁ। ନୂଆ ଜିଏସ୍ଟି ଲାଗୁ ପରେ ଶସ୍ତା ହେଲା ଅତ୍ୟାବଶ୍ୟକ ସାମଗ୍ରୀ। ପରିବର୍ତ୍ତିତ ଜିଏସ୍ଟି ଲାଗୁ ହେବା ଯୋଗୁ ପନିର, ଘିଅ, ଦୁଗ୍ଧ ଜାତୀୟ ସାମଗ୍ରୀ ଦର କମିଛି । ଆଜି ଓମ୍ଫେଡ ମଧ୍ୟ ଠାରୁ କ୍ଷୀର, ପନିର, ଘିଅର ଦର କମିଛି।
ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ଫେଡେରେସନ୍ ଲିମିଟେଡ୍(ଓମଫେଡ୍) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ଓମଫେଡ୍ କ୍ଷୀର(୫୦୦ ମିଲି) ଦର ୩୯ ଓ ଲିଟର ପିଛା ୭୦ ଟଙ୍କା ଥିଲା । ଏଥିରେ ୫ ପ୍ରତିଶତ ଜିଏସ୍ଟି ଲାଗୁଥିଲା । ହେଲେ ଏବେ ଜିଏସ୍ଟି ହଟିଯିବାରୁ ୨ଟଙ୍କା ଦର କମିଯାଇ ୫୦୦ ମିଲି ପିଛା ୩୭ ଓ ଲିଟର ପିଛା ୩ ଟଙ୍କା କମି ୬୭ଟଙ୍କାରେ ବିକ୍ରି ହେଉଛି । ଅଧ କିଲୋ ପନିର ୧୯୦ ଟଙ୍କା ଥିଲା ଏବେ ତାହା ୧୦ଟଙ୍କା କମି ୧୮୦ରେ ବିକ୍ରି ହେଉଛି । ପଲି ଜାର ଘିଅ ଲିଟର ପିଛା ପୂର୍ବରୁ ୭୧୦ ଟଙ୍କା ଥିଲା । ସେଥିରେ ୧୦ ପ୍ରତିଶତ ଜିଏସ୍ଟି ଲାଗୁଥିଲା । ୫ ପ୍ରତିଶତ ଜିଏସ୍ଟି ହ୍ରାସ ହେବା ପରେ ପରିବର୍ଦ୍ଧିତ ଦର ୬୬୫ ଟଙ୍କାରେ ଏହା ମିଳୁଛି । ୧ ଲିଟର ଟିଣ ଘିଅର ଦର ପୂର୍ବରୁ ୭୨୦ ଟଙ୍କା ଥିବା ବେଳେ ଏବେ ୬୬୫ଟଙ୍କାରେ ବିକ୍ରି ହେଉଛି । ୧ ଲିଟର ପାଉଚ ଘିଅର ଦର ୬୬୦ ଟଙ୍କା ଥିଲା । ଆଜିଠୁ ୬୨୦ ଟଙ୍କାରେ ଉପଲବ୍ଧ ହୋଇଛି । ୫୦୦ ଗ୍ରାମ ବଟରକୁ ଖାଉଟି ୨୯୦ ଟଙ୍କାରେ କିଣୁଥିଲେ । ୫ ପ୍ରତିଶତ ଜିଏସ୍ଟି ଖସିବା ପରେ ଏହା ୨୭୨ଟଙ୍କାରେ ବିକ୍ରି ହେଉଛି।