ବେଲବାହାଳୀ/ଆନନ୍ଦପୁର, ୨୯/୯ : ଟ୍ରକ୍‌ରୁ ମାଲ୍ ଅନଲୋଡ୍ କରୁଥିବା ବେଳେ ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଲା ଟ୍ରକ୍। ବିଦ୍ୟୁତ୍ ଆଘାତରେ ଜଣେ ମୃତ, ୨ ଗୁରୁତର। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ୨୦ନଂ ଜାତୀୟ ରାଜପଥ ଘଷିପୁରା ବାଇପାସ୍ ଠାରେ ଥିବା କୋରିଅର କମ୍ପାନୀର ଗୋଦାମରେ ଏହି ଅଘଟଣ ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସୂଚନାନୁଯାୟୀ, ଘଷିପୁରା ବାଇପାସ୍ ଠାରେ ଏକ ଡେଲିଭରି କୋରିଅର କମ୍ପାନୀ ନିକଟରେ ଟ୍ରକ୍‌ରୁ ମାଲ୍ ଅନଲୋଡ୍ କରୁଥିବା ସମୟରେ ଟ୍ରକ୍‌ଟି ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିଥିଲା। ଫଳରେ ମାଲ୍ ଅନଲୋଡ୍ କରୁଥିବା ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ସ୍ଥାନୀୟ ମଙ୍ଗଳପୁର ଗାଁର ସୁଶାନ୍ତ କୁମାର ଦାସ ବୋଲି ଜଣାପଡ଼ିଛି । ସେହିପରି ଦୁଇ ଗୁରୁତର କର୍ମଚାରୀ ପଦ୍ମପୁର ଗାଁର କବିନ୍ଦ୍ର ଦାସ ଓ ଫକିରପୁର ଗାଁର ରଞ୍ଜନ କୁମାର ଶର୍ମା ବୋଲି ସୂଚନା ମିଳିଛି। ଖବର ପାଇ ଘଷିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ମୃତ ଯୁବକଙ୍କ ପରିବାରକୁ ଠିକା ସଂସ୍ଥା ପକ୍ଷରୁ କ୍ଷତିପୂରଣ ସହ ଆହତ ବ୍ୟକ୍ତିଙ୍କୁ ଉତ୍ତମ ଚିକିତ୍ସା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।​​​​​​​

anandapur​​​​​​​