ଜୟପୁର, ୧୫/୯ : କୋରାପୁଟ ଜିଲ୍ଲା ଜୟପୁର ସହରରୁ ଏକ ବିରଳ ସାପ ଉଦ୍ଧାର କରାଯାଇଛି। ସୋମବାର ସକାଳେ ସ୍ଥାନୀୟ ଗୌଡ଼ ସାହିରୁ ଏକ ଓରନେଟ୍ ଫ୍ଲାଇଂ ସ୍ନେକ୍ ଉଦ୍ଧାର କରାଯାଇଛି। ସାପଟିକୁ ଜୟପୁର ବନଖଣ୍ଡର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସୁରକ୍ଷିତ ସ୍ଥାନରେ ନେଇ ଛଡ଼ାଯାଇଛି।
ସୂଚନାନୁଯାୟୀ, ସୋମବାର ସକାଳେ ସ୍ଥାନୀୟ ଗୌଡ଼ ସାହିର ଜନୈକ ବ୍ୟକ୍ତିଙ୍କ ଗାଧୁଆ ଘର ଭିତରେ ଗୋଟିଏ ସାପ ପଶିଥିଲା। ଏନେଇ ସୂଚନା ପାଇବା ପରେ ବନ୍ୟ ପ୍ରାଣୀ ଉଦ୍ଧାରକାରୀ ଦଳର ସଂସ୍ଥାପକ କୃଷ୍ଣ କେଶବ ଷଡ଼ଙ୍ଗୀ ଓ ତାଙ୍କ ସହଯୋଗୀ ଚନ୍ଦନ ଭିମିଡ଼ି ରୁବେନଙ୍କ ସହିତ ମିଶି ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚିଥିଲେ। ସାପଟିକୁ ଗାଧୁଆ ଘର ଭିତରୁ ଉଦ୍ଧାର କରିଥିଲେ। ଏହା ଏକ Ornate Flying Snake ବା ଉଡନ୍ତା ଚିତି ସାପ ବୋଲି ଚିହ୍ନଟ କରିଥିଲେ। ପରବର୍ତ୍ତୀ ସମୟରେ ଜୟପୁର ବନଖଣ୍ଡର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସାପଟିକୁ ନିକଟସ୍ଥ ସୁରକ୍ଷିତ ସ୍ଥାନରେ ଛଡ଼ାଯାଇଥିଲା।