ୱାଶିଂଟନ,୧୭/୦୯: ପ୍ରଖ୍ୟାତ ଆମେରିକୀୟ  ଅଭିନେତା, ନିର୍ଦ୍ଦେଶକ-ପ୍ରଯୋଜକ ରୋବର୍ଟ ରେଡ୍‌ଫୋର୍ଡ  ଜୁନିୟରଙ୍କ ଦେହାନ୍ତ ମନୋରଞ୍ଜନ ଜଗତକୁ ଦୋହଲାଇ ଦେଇଛି। ମଙ୍ଗଳବାର ସନ୍‌ଡାନ୍ସ ସ୍ଥିତ ନିଜ ଘରେ  ଶୋଇଥିବାବେଳେ ୮୯ ବର୍ଷୀୟ ରେଡ୍‌ଫୋର୍ଡଙ୍କ ମୃତ୍ୟୁ ହୋଇଛି । ମନୋରଞ୍ଜନ ଜଗତର ଅଗଣିତ ସଦସ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରେଡ୍‌ଫୋର୍ଡଙ୍କୁ ଶ୍ରଦ୍ଧାଞ୍ଜଳି  ଜ୍ଞାପନ କରିଛନ୍ତି । ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ଭାବେ ସମ୍ବୋଧିତ କରିଛନ୍ତି ଏବଂ ଉଭୟ ଚଳଚ୍ଚିତ୍ର ଉଦ୍ୟୋଗ ଓ ଆମେରିକୀୟ ସଂସ୍କୃତିକୁ ତାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ।

ଅସ୍କାର, ବାଫ୍‌ଟା, ଗୋଲ୍ଡେନ୍‌ ଗ୍ଲୋବ୍‌ସ ଭଳି ଏକାଧିକ ପୁରସ୍କାର ଓ ସମ୍ମାନର  ସେ ଥିଲେ ଅଧିକାରୀ । ଚଳଚ୍ଚିତ୍ର ଜଗତରେ ଏଣ୍ଟ୍ରି ପୂର୍ବରୁ ‘ଅଲ୍‌ଫ୍ରେଡ୍‌ ହିଚ୍‌କକ୍‌  ପ୍ରେଜେଣ୍ଟ୍‌ସ’ ଓ ‘ଦ ଟ୍ୱିଲାଇଟ୍‌ ଜୋନ୍‌’ ଜରିଆରେ ସେ ଟେଲିଭିଜନ୍‌ରେ ଅଭିନୟ  କ୍ୟାରିଅର ଆରମ୍ଭ କରିଥିଲେ । ୧୯୬୨ରେ ମୁକ୍ତିପ୍ରାପ୍ତ ‘ୱାର୍‌ ହଣ୍ଟ୍‌’ ଥିଲା ତାଙ୍କର  ପ୍ରଥମ ଫିଲ୍ମ । ‘ଦ ଷ୍ଟିଙ୍ଗ୍‌’ (୧୯୭୩) ପାଇଁ ଅସ୍କାର୍‌ରେ ଶ୍ରେଷ୍ଠ ଅଭିନେତା ବିଭାଗରେ  ସେ ନୋମିନେଟ୍‌ ହୋଇଥିଲେ । ଅନେକ ଫିଲ୍ମରେ କାମ କରିବା ପରେ ‘ଆଭେଞ୍ଜର୍ସ:  ଏଣ୍ଡ୍‌ଗେମ୍‌’ (୨୦୧୯)ରେ ଶେଷ ଥର ସେ ବଡ଼ ପରଦାକୁ ଆସିଲେ । ୧୯୮୦ର  ଫ୍ୟାମିଲି ଡ୍ରାମା ‘ଅର୍ଡିନାରୀ ପିପଲ୍‌’ ଜରିଆରେ ରେଡ୍‌ଫୋର୍ଡ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ  ଥାପିଥିଲେ । ଫିଲ୍ମଟି ଶ୍ରେଷ୍ଠ ଚଳଚ୍ଚିତ୍ର ଓ ଶ୍ରେଷ୍ଠ ନିର୍ଦ୍ଦେଶକ ସମେତ ୪ ଅସ୍କାର ପୁରସ୍କାର  ଜିତିଥିଲା । ନାଟକ, ଐତିହାସିକ ନାଟକ ଭଳି ୮ ଫିଲ୍ମର ସେ ନିର୍ଦ୍ଦେଶନା ଦେଇଥିଲେ ।