ଭୁବନେଶ୍ୱର/ଝାରସୁଗୁଡ଼ା, ୨୭/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସୁଛନ୍ତି ଝାରସୁଗୁଡ଼ା । ଓଡ଼ିଶାକୁ ମିଳିବ ପୂଜା ଭେଟି । କେବଳ ଓଡ଼ିଶା ନୁହେଁ ଦେଶର ବହୁ ପ୍ରକଳ୍ପର ଶିଳାନ୍ୟାସ ସହ ଉଦ୍ଘାଟନ କରିବେ ମୋଦି । ଶନିବାର ଝାରସୁଗୁଡ଼ା ଅମଲିପାଲି ପଡ଼ିଆରେ ଆୟୋଜିତ ହେବାକୁ ଥିବା ଯୁବ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ ୬୦ ହଜାର କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ସହ ଶିଳାନ୍ୟାସ କରିବେ । ଦୂରସଂଚାର, ରେଳବାଇ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ସହ ଗ୍ରାମ୍ୟ ଗୃହ ନିର୍ମାଣର ଏହି ପ୍ରକଳ୍ପଗୁଡ଼ିକ ଦେଶବାସୀଙ୍କୁ ହେବ ପ୍ରଧାନମନ୍ତ୍ରୀଙ୍କ ପାର୍ବଣ ଭେଟି । ସମାବେଶରେ ମୋଦି ସାଧାରଣ ଜନତାଙ୍କୁ ମଧ୍ୟ ସମ୍ବୋଧିତ କରିବେ ।
ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାରୁ ସାରା ଭାରତବର୍ଷ ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିଏସ୍ଏନ୍ଏଲ୍ ୪ଜି ନେଟୱର୍କ ସେବା ଉଦ୍ଘାଟନ କରିବେ । ସାରା ଦେଶରେ ନିର୍ମିତ ହୋଇଛି ୯୭ ହଜାର ୫୦୦ ୪ଜି ମୋବାଇଲ ଟାୱାର । ଏହାର ମୂଲ୍ୟ ହେଉଛି ପ୍ରାୟ ୩୭ ହଜାର କୋଟି ଟଙ୍କା । ଏହି ବିଏସଏନଏଲ୍ ୪ଜି ନେଟ୍ୱର୍କ ସମ୍ପୂର୍ଣ୍ଣ "ଆତ୍ମନିର୍ଭର’ ୪ଜି ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ହେବ । ଏହି ସଫ୍ଟୱେର ୫ଜିକୁ ସହଜରେ ଅପ୍ଗ୍ରେଡ କରାଯାଇପାରିବ । ଦୁର୍ଗମ, ସୀମାନ୍ତ ଏବଂ ନକ୍ସଲ ପ୍ରଭାବିତ ଅଞ୍ଚଳର ପ୍ରାୟ ୨୬,୭୦୦ ଗାଁକୁ ମିଳିବ ମୋବାଇଲ ସେବା । ୨୦ ଲକ୍ଷରୁ ଅଧିକ ନୂତନ ଗ୍ରାହକଙ୍କୁ ସେବା ମିଳିବ ।
ବ୍ରହ୍ମପୁରରୁ ସୁରଟ (ଉଧନା) ସଂଯୋଗ କରୁଥିବା "ଅମୃତ ଭାରତ ଏକ୍ସପ୍ରେସ'କୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ଯୁବ ସମାବେଶ ଅବସରରେ ମୋଦି ୩ଟି ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ । ସମ୍ବଲପୁର ସହର-ସର୍ଲା ମଧ୍ୟରେ ରେଲୱେ ଫ୍ଲାଏଓଭରର ଭିତ୍ତିପ୍ରସ୍ତର ଦେବେ ପ୍ରଧାନମନ୍ତ୍ରୀ । ଏହି ଫ୍ଲାଏଓଭର ପାଇଁ ୨୭୩ କୋଟିର ପାଣ୍ଠି ବରାଦ ହୋଇଛି ।
ସମ୍ବଲପୁର-ଝାରସୁଗୁଡ଼ା ସେକ୍ସନରେ ଲୋକାର୍ପଣ କରିବେ । କୋରାପୁଟ-ବାଇଗୁଡ଼ା ରେଳ ଲାଇନର ଦୋହରୀକରଣ କାମ ଶେଷ ହୋଇଛି । କୋରାପୁଟ ଅଞ୍ଚଳରେ କୃଷିଜାତ ସାମଗ୍ରୀ ସହ ଖଣିଜ ପରିବହନରେ ଏହି ଦୋହରୀକରଣ ବେଶ ଲାଭ ଦେବ । ସେହିଭଳି ମାନାବାରକୋରାପୁଟ-ଗୋରାପୁର ରେଳ ଲାଇନର ଦୋହରୀକରଣ କାମ ସରିଛି । ୮୨ କିମିର ଏହି ରେଳ ଲାଇନ ଦୋହରୀକରଣରେ ୯୫୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାଦ୍ୱାରା ବେଲାଡିଲା ଖଣିରୁ ଲୁହାପଥର ସୁବିଧାରେ ଶୀଘ୍ର ଦେଶର ବିଭିନ୍ନ ସ୍ଥାନରେ ଥିବା ଇସ୍ପାତ କାରଖାନାକୁ ପହଞ୍ଚିପାରିବ ।
ପ୍ରଧାନମନ୍ତ୍ରୀ ପ୍ରାୟ ୧୧ ହଜାର କୋଟି ଟଙ୍କା ବିନିଯୋଗରେ ୮ଟି ଆଇଆଇଟିର ସଂପ୍ରସାରଣ ପାଇଁ ଭିଭତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାଦ୍ୱାରା ତିରୁପତି, ପାଲକଡ, ଭିଲାଇ, ଜମ୍ମୁ, ଧରୱାଡ଼, ଯୋଧପୁର, ପାଟନା ଓ ଇନ୍ଦୋର ଆଇଆଇଟିରେ ଆଗାମୀ ଚାରି ବର୍ଷରେ ୧୦ ହଜାର ଅଧିକ ନୂଆ ଛାତ୍ରଛାତ୍ରୀ ପାଠ ପଢ଼ି ପାରିବେ । ଆଠଟି ଅତ୍ୟାଧୁନିକ ଗବେଷଣା ପାର୍କ ସ୍ଥାପନ ହେବ । ଏହା ଭାରତର ନବସୃଜନ ସହ ଗବେଷଣା ଓ ବିକାଶକୁ ପ୍ରୋତ୍ସାହିତ କରିବ । ପ୍ରଧାନମନ୍ତ୍ରୀ ଶନିବାର ‘ମେରିଟ୍’ ଯୋଜନାର ଶୁଭାରମ୍ଭ କରିବେ । ଏହା ଦେଶବ୍ୟାପୀ ୨୭୫ ଇଞ୍ଜିନିୟରିଂ ଓ ପଲିଟେକ୍ନିକ୍ ଅନୁଷ୍ଠାନରେ ଗୁଣବତ୍ତା, ସମାନତା, ଗବେଷଣା ଏବଂ ନବସୃଜନକୁ ଆଗକୁ ନେବ । ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ସମ୍ବଲପୁର ଓ ବ୍ରହ୍ମପୁରରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ ହେବ । ଏଠାରେ କୃଷି ପ୍ରଯୁକ୍ତି, ଅକ୍ଷୟ ଶକ୍ତି, ରିଟେଲ, ସାମୁଦ୍ରିକ ଆଦି ପାଠ୍ୟକ୍ରମ ରହିବ । ଏହାସହ ପାଞ୍ଚଟି ଆଇଟିଆଇକୁ ଉତ୍କର୍ଷ ଆଇଟିଆଇ ଭାବେ ଉନ୍ନୀତ କରାଯିବ । ୨୫ଟି ଆଇଟିଆଇକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରାଯିବା ସହ ଅତ୍ୟାଧୁନିକ ବୈଷୟିକ ତାଲିମ ପାଇଁ ନୂଆ କୋଠା ନିର୍ମାଣ ହେବ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ମଧ୍ୟ ଉଲ୍ଲେଖନୀୟ ଉନ୍ନତି ପାଇବ । ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ସମ୍ବଲପୁରର ଭିମ୍ସାର ହେବ ବିଶ୍ୱସ୍ତରୀୟ ସୁପର-ସ୍ପେସିଆଲିଟି ହସ୍ପିଟାଲ । ଏହାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି । ଅଧିକ ଶଯ୍ୟା କ୍ଷମତା, ଟ୍ରମା କେୟାର ୟୁନିଟ୍, ଡେଣ୍ଟାଲ କଲେଜ, ମାତୃ ଓ ଶିଶୁ ଯତ୍ନ ସେବା ଏବଂ ବିସ୍ତୃତ ଶିକ୍ଷା ଭିତ୍ତିଭୂମି ଏଠାରେ ଉପଲବ୍ଧ ହେବ । ଏହାସହ ପ୍ରଧାନମନ୍ତ୍ରୀ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦,୦୦୦ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିବେ ।
ଅମଲିପାଲି ପଡ଼ିଆରେ ସମାବେଶ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୋଦିଙ୍କ ଗସ୍ତକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇ ପଡ଼ିଛି । ଝାରସୁଗୁଡ଼ା ବିମାନବନ୍ଦରରୁ ସଭା ସ୍ଥଳ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱର୍ରେ ମୋଦିଙ୍କ ସ୍ୱାଗତରେ ହୋର୍ଡିଂ, ବ୍ୟାନର, କଟଆଉଟ୍ ଲାଗିଛି । ୨୦୧୮ରେ ଝାରସୁଗୁଡ଼ା ବିମାନବନ୍ଦର ଠାରେ ବିମାନସେବା ଶୁଭାରମ୍ଭ କରବାକୁ ମୋଦି ଆସିଥିଲେ । ୭ ବର୍ଷର ବ୍ୟବଧାନରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଜୋର ଧରିଛି । ମୋଦିଙ୍କ ସମାବେଶକୁ ସଫଳ କରିବାକୁ ବିଜେପିର ନେତା ଓ କର୍ମକର୍ତ୍ତା ଅଣ୍ଟା ଭିଡ଼ିଛନ୍ତି ।
ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପୂର୍ବାହ୍ନ ୧୧ଟା ୧୫ ମିନିଟରେ ପହଞ୍ଚିବେ । ସେଠାରୁ ସଡ଼କପଥରେ ଅମଲିପାଲି ସଭାସ୍ଥଳକୁ ଯିବେ । ସାଢ଼େ ୧୧ରୁ ସାଢ଼େ ୧୨ ଯାଏଁ ସମାବେଶସ୍ଥଳରେ ରହିବେ । ପ୍ରାୟ ଘଣ୍ଟାଏ କାଳ ମୋଦି ମଞ୍ଚରେ ରହିବା ପରେ ଝାରସୁଗୁଡ଼ା ବିମାନବନ୍ଦରକୁ ଫେରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଗୁରୁବାର ଠାରୁ ଏଠାରେ ରହି ପ୍ରସ୍ତୁତି କାର୍ଯ୍ୟ ନିଜେ ତଦାରଖ କରୁଛନ୍ତି । ମୋଦିଙ୍କ ଗସ୍ତ ପୂର୍ବରୁ ସଭାସ୍ଥଳ ପରିଦର୍ଶନ ବେଳେ ପ୍ରସ୍ତୁତିକୁ ନେଇ ରାଜ୍ୟ ପୁଲିସ ଡିଜିଙ୍କ ଉପରେ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ମୋଦିଙ୍କ ଗସ୍ତକୁ ନେଇ ଝାରସୁଗୁଡ଼ା ବିମାନବନ୍ଦର ଠାରୁ ଆରମ୍ଭ କରି ସମାବେଶ ସ୍ଥଳ ପର୍ଯ୍ୟନ୍ତ ସବୁଠି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସ୍ଜି) ପକ୍ଷରୁ ଘନ ଘନ ସୁରକ୍ଷା ଯାଞ୍ଚ କରାଯାଉଛି । ଯୁବ ସମାବେଶରେ ଯୋଗ ଦେବାକୁ ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ, ସାଂସଦ, ବିଧାୟକ ଏବଂ ବିଜେପିର ରାଜ୍ୟ ଓ ରାଜ୍ୟ ବାହାରର ନେତାମାନେ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି।