ଭୁବନେଶ୍ଵର, ୧୭/୯: ମଧ୍ୟପ୍ରଦେଶରୁ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ଶୁଭାରମ୍ଭ । ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିନା ସଙ୍କୋଚରେ କ୍ୟାମ୍ପ୍ ଯାଇ ସ୍ବାସ୍ଥ୍ୟ ଯାଞ୍ଚ କରିବାକୁ ମହିଳାଙ୍କୁ ଅପିଲ୍ କରିଛନ୍ତି। କ୍ୟାମ୍ପରେ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଔଷଧ ସମ୍ପୂର୍ଣ୍ଣ ଦେୟ ମୁକ୍ତ ରହିଛି । ତେଣୁ ଅଧିକରୁ ଅଧିକ ମହିଳାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ମୋଦି ପରିବାରର ପୁରୁଷମାନଙ୍କୁ ଆହ୍ଵାନ ଦେଇଛନ୍ତି। ଆଦିବାସୀ ଅଞ୍ଚଳରେ ସିକିଲସେଲ ଓ ଅମେନିଆ ଭଳି ସମସ୍ୟା ଅଧିକ ଦେଖାଦେଉଛି। ଶିଶୁ ଏବଂ ମାତୃ ମୃତ୍ୟୁହାର କମାଇବା ପାଇଁ ଏହି ପ୍ରକ୍ରିୟାରେ ସାମିଲ ହେବାକୁ ପିଏମ୍ ସମସ୍ତଙ୍କୁ ଅପିଲ୍ କରିଛନ୍ତି। 

ଅନ୍ୟପଟେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କ ପାଇଁ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ୨୨ଟି ହେଲ୍‌ଥ ସ୍କ୍ରିନିଂ ଷ୍ଟଲ କରାଯାଇଛି । ଏହାସହ ସାରା ରାଜ୍ୟରେ ୯୬୩ ଜାଗାରେ କ୍ୟାମ୍ପ୍ କରାଯାଇଛି। ୮୦ଟି ସ୍ଥାନରେ ରକ୍ତଦାନ ଶିବିର କରାଯାଇଛି । ୯ ହଜାରରୁ ଅଧିକ ସୁବିଧା ଯୋଗାଇ ଦିଆଯାଇଛି । ଏବେ ସୁଦ୍ଧା ୭୦ ହଜାରରୁ ଅଧିକ ମହିଳା ଓ ଶିଶୁ ମାନଙ୍କୁ ସ୍କ୍ରିନିଂ ସୁବିଧା ଯୋଗାଇ ଦିଆଯାଇଛି । ଏଥିରେ ଓଡ଼ିଶା ପୁରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଓଡ଼ିଶାର ୩୦ ଜିଲ୍ଲାରେ ଦେଢ଼ କୋଟି ମହିଳା ଓ ଝିଅମାନେ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଉଚ୍ଚ ରକ୍ତଚାପ, ମଧୁମେହ, ସିକିଲସେଲ, ରକ୍ତ ହୀନତା ଭଳି ରୋଗର ସ୍କ୍ରିନିଂ କରି ଚିକିତ୍ସ କରାଯିବ। ସରକାର ମହିଳାମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସେବା ଏବଂ ଔଷଧ ଦେବେ। ଅକ୍ଟୋବର ୨ ତାରିଖ ଭିତରେ ୪୦ ହାଜର ଜେନେରାଲ ହେଲ୍ଥ କ୍ୟାମ୍ପ, ୫୦୪୭ ସ୍ପେଶାଲ କ୍ୟାମ୍ପ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ୧୦ ହଜାର ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି। ରାଜ୍ୟରେ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନକୁ ନିଜେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟକ୍ରମ ତତ୍ତ୍ଵାବଧାନ କରିଛନ୍ତି। ଆଗାମୀ ଦିନରେ ନାରୀ ଓ ଶିଶୁଙ୍କ କ୍ଷେତ୍ରରେ ସୂଚକାଙ୍କରେ ସୁଧାର ଆସିବ।